April 20, 2024

ଫୋର୍ବସ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି

1 min read

ଆ.ଓ.ରି.ଦିଲ୍ଲୀ (ତା ୭/୬) ନ୍ୟୁୟର୍କ: ଫୋର୍ବସ ପକ୍ଷରୁ ପ୍ରକାଶିତ ସର୍ବାଧିକ ପାରିଶ୍ରମିକ ପାଉଥିବା ୧୦୦ ଜଣିଆ ଖେଳାଳି ତାଲିକାରେ କ୍ରିକେଟ୍‍ ତାରକା ବିରାଟ କୋହଲି ସ୍ଥାନ ପାଇଛନ୍ତି। ଭାରତରୁ ଏକମାତ୍ର ଖେଳାଳି ଭାବେ କୋହଲି ଏହି ଗୌରବ ଲାଭ କରିଛନ୍ତି। ତାଲିକାରେ କୌଣସି ମହିଳା ଖେଳାଳିଙ୍କ ନାମ ନ ଥିବା ଜଣାପଡ଼ିଛି। ଆମେରିକୀୟ ମୁଷ୍ଟିଯୋଦ୍ଧା ଫ୍ଲଏଡ୍‍ ମେୱେଥର ତାଲିକାର ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି। ୧୦୦ ଜଣିଆ ତାଲିକାରେ କୋହଲି ୮୩ତମ ସ୍ଥାନରେ ଥିବା ବେଳେ ତାଙ୍କର ବାର୍ଷିକ ଆୟ ୨୪ ନିୟୁତ ଆମେରିକୀୟ ଡଲାର ବୋଲି ସେଥିରେ ଦର୍ଶାଯାଇଛି। ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ କୋହଲିଙ୍କ ୨୫ ନିୟୁତ ଟ୍ୱିଟର ପ୍ରଶଂସକ ରହିଛନ୍ତି। ନିକଟରେ ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ କୋହଲିଙ୍କୁ ଏ + ତାଲିକାଭୁକ୍ତ କରିଛି। ଏହି ତାଲିକାରେ ଥିବା ଖେଳାଳିଙ୍କୁ ବାର୍ଷିକ ୧ ନିୟୁତ ଆମେରିକୀୟ ଡଲାର ମିଳିବ।
ଫ୍ଲଏଡ୍‍ଙ୍କ ଆୟ ବାର୍ଷିକ ୨୮୫ ନିୟୁତ ଆମେରିକୀୟ ଡଲାର ବୋଲି ତାଲିକାରେ ଉଲ୍ଲେଖ ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଫୁଟ୍‍ବଲ୍‍ ତାରକା ମେସି। ଆର୍ଜେଣ୍ଟିନାର ଏହି ଫୁଟ୍‍ବଲ୍‍ ତାରକାଙ୍କ ବାର୍ଷିକ ଆୟ ୧୧୧ ନିୟୁତ ଆମେରିକୀୟ ଡଲାର। ସେହିପରି ବ୍ରାଜିଲ୍‍ର ଫୁଟ୍‍ବଲ୍‍ ତାରକା ନେମାର ବାର୍ଷିକ ୯୦ ନିୟୁତ ଆମେରିକୀୟ ଡଲାର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.