April 20, 2024

ଫ୍ରିଜ ବିସ୍ଫୋରଣ ରେ ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ

1 min read

ଆଓରି -(ଭୁବନେଶ୍ଵର) : ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଚୁନୁକୁଳି ବସ୍ତିରେ ଥିବା ଏକ ଗୋଦାମ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ବନ୍ଦ ଘରେ ଥିବା ଏକ ଫ୍ରିଜରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଯାଇଛି । ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଆପାର୍ଟମେଣ୍ଟରେ ଥିବା କିଛି ଘରର ଝରକା ଓ କବାଟ କାଚ ଭାଙ୍ଗିରୁଜି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏପରିକି ବିସ୍ଫୋରଣ ହୋଇଥିବା ଘରେ ମଧ୍ୟ କେହି ନଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସମେତ ଏକ ମୋଟରସାଇକେଲ୍, ଲାପଟପ, କମ୍ପ୍ୟୁଟର୍ ସହ ନଗଦ ଟଙ୍କା ପୋଡ଼ି ଯାଇଥିବା ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ସୂଚନାଯୋଗ୍ୟ, ବିସ୍ଫୋରଣ ଘଟିଥିବା ଘରଟି ବିଜୟ କୁମାର ସାହୁଙ୍କର। ଏହାକୁ ଭଡ଼ାରେ ନେଇ ସେଠାରେ ଏକ ଷ୍ଟୋର ରୁମ୍ କରାଯାଇଥିଲା।

ପୋଲିସ ସୂଚନାନୁସାରେ, ଚୁନୁକୁଳି ବସ୍ତିରେ ବିଜୟ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ନିଜେ ୨ ବଖରା ତିଆରି କରି ତାହାକୁ ଗୋଦାମ ଘର କରିଥିଲେ। ସେ ଉକ୍ତ ଘରେ ବିଭିନ୍ନ କମ୍ପାନୀର ସ୍ନାକ୍ସ ସାମଗ୍ରୀ ରଖି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ଖୁଚୁରା ବ୍ୟବସାୟୀଙ୍କ ଯୋଗାଇଥାନ୍ତି। ଗତକାଲି ରାତିରେ ବିଜୟ ନ ଥିବାବେଳେ ଉକ୍ତ ଗୋଦାମ ଘରେ ତାଲା ପଡ଼ିଥିଲା। ହଠାତ୍ ଗୋଦାମରୁ ଧୂଆ ବାହାରିବା ପରେ ଲୋକେ ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ତୁରନ୍ତ ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ପରେ ଗୋଦାମ ଘରଟି ଭୁଶୁଡି ପଡ଼ିଥିଲା।

ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଆଉ କିଛି ବାକି ନ ଥିଲା। ଉକ୍ତ ଘରେ ଥିବା ରନ୍ଧନ ଗ୍ୟାସ୍ ଟାଙ୍କି ଫାଟିଯାଇ ବିସ୍ଫୋରଣ ଘଟିଥିବା ଲୋକେ ଅନୁମାନ କରିଥିଲେ। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଯାଞ୍ଚ କରିବା ପରେ ସେଠାରେ ଥିବା ଫ୍ରିଜର ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିବା ଜଣାପଡ଼ିଥିଲା। ଯଦି ରନ୍ଧନ ଗ୍ୟାସ୍ ଟାଙ୍କି ଫାଟିଥାନ୍ତା ନିଶ୍ଚିତ ଆହୁରି ବଡ଼ ଧରଣର କ୍ଷୟକ୍ଷତି ଘଟିଥାନ୍ତା। ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.