April 18, 2024

ବ୍ୟାଙ୍କ କରିଥିବା ଖର୍ଚ ଫେରାଇବେ ବିଜୟ ମାଲ୍ୟା-ବ୍ରିଟେନ୍‌ ହାଇକୋର୍ଟଙ୍କ ନିର୍ଦେଶ

1 min read

ଆଓରି-ନୁଆଦିଲ୍ଲୀ(୧୬/୬):  ନିଜର ପ୍ରାପ୍ୟ ଫେରି ପାଇବା ପାଇଁ ୧୩ଟି ଭାରତୀୟ ବ୍ୟାଙ୍କ ମାଲ୍ୟାଙ୍କ ବିରୋଧରେ ବ୍ରିଟେନ୍‌ର ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଏହି ଲଢ଼େଇ ପାଇଁ ବ୍ୟାଙ୍କଗୁଡ଼ିକର ଯେଉଁ ଖର୍ଚ ହୋଇଛି ତାହା ଫେରାଇବାକୁୁ ବ୍ରିଟେନ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି। ଭାରତୀୟ ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ପାଉଣ୍ଡ୍‌ ଫେରାଇବାକୁ ମାଲ୍ୟାଙ୍କୁ କୁହାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କର ୯୦୦୦ କୋଟିରୁ ଅଧିକ ଟଙ୍କା ଠକେଇ କରି ମାଲ୍ୟା ଦେଶ ଛାଡ଼ି ଚାଲିଯାଇଛନ୍ତି। ମାଲ୍ୟାଙ୍କଠାରୁ ନିଜ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କଗୁଡ଼ିକ ବ୍ରିଟେନ୍‌ରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଗତ ମାସରେ ବିଚାରପତି ଆଣ୍ଡ୍ରୁ ହେନ୍‌ସ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଦେଇଥିଲେ। ଯେ ଭାରତୀୟ ବ୍ୟାଙ୍କଗୁଡ଼ିକ ସପକ୍ଷରେ ରାୟ ଦେଇଥିଲେ। ସାରା ବିଶ୍ୱରେ ବିଜୟ ମାଲ୍ୟାଙ୍କ ଯେତେ ସବୁ ସମ୍ପତ୍ତି ରହିଛି ତାହାକୁ ଜବତ କରିବା ଯେଉଁ ନିର୍ଦେଶ ଜାରି କରାଯାଇଛି ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ସେ ମନା କରିଦେଇଥିଲେ। ବିଶ୍ୱ ସ୍ତରରେ ସମ୍ପତ୍ତି ଜବତ ନିର୍ଦେଶ ଜାରି କରିବା ଓ କର୍ଣ୍ଣାଟକ ଡେବ୍‌ଟ ରିକଭରି ଟ୍ରିବ୍ୟୁନାଲ୍‌ଙ୍କ ଯେଉଁ ସବୁ ଖର୍ଚ ହୋଇଛି ତାହାକୁ ଫେରାଇବାକୁ ମାଲ୍ୟାଙ୍କୁ ହାଇକୋର୍ଟ କହିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, କର୍ପୋରେସନ୍‌ ବ୍ୟାଙ୍କ, ଫେଡେରାଲ୍‌ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ପିଏନ୍‌ବି ଭଳି ୧୩ଟି ବ୍ୟାଙ୍କରୁ ମାଲ୍ୟା ଋଣ ଠକେଇ କରିଛନ୍ତି। ମାଲ୍ୟା ଦେଶ ଛାଡ଼ି ଚାଲିଯିବା ପରେ ବ୍ୟାଙ୍କଗୁଡ଼ିକ ଚିନ୍ତିତ ହୋଇପଡ଼ିଥିଲେ। ସେମାନେ ଦେଶରେ ଥିବା ବିଭିନ୍ନ କୋର୍ଟରେ ମାମଲା ଦାୟର କରିଥିଲେ। ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ସେଥିରୁ ନିଜ ପ୍ରାପ୍ୟ ହାସଲ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ କୋର୍ଟ ନିର୍ଦେଶ ଦେଇଥିଲେ। ସେହି ରାୟକୁ ମାଲ୍ୟା ବ୍ରିଟେନ୍‌ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ବ୍ରିଟେନ୍‌ ହାଇକୋର୍ଟ ବ୍ୟାଙ୍କଗୁଡ଼ିକ ସପକ୍ଷରେ ରାୟ ପ୍ରକାଶ କରିିଥିଲେ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ଦାୟର କରାଯାଇଛି। ତାଙ୍କୁ ପ୍ରତ୍ୟର୍ପଣ ସଂକ୍ରାନ୍ତରେ ଭାରତ ସରକାର ଯେଉଁ ମାମଲା ଦାୟର କରିଥିଲେ ତାହାର ମଧ୍ୟ ବିଚାର ବ୍ରିଟେନ୍‌ କୋର୍ଟରେ ଚାଲିଛି। ଆସନ୍ତା ମାସରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ। ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାରେ ଓ୍ଵାରେଣ୍ଟ ଜାରି କରାଯାଇଥିଲା। ତାଙ୍କୁ ଗତବର୍ଷ ଏପ୍ରିଲ୍‌ରେ ବ୍ରିଟେନ୍‌ରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ମିଳିଯାଇଥିଲା। ଯଦି ପ୍ରତ୍ୟର୍ପଣ ମାମଲାର ରାୟ ମାଲ୍ୟାଙ୍କ ବିପକ୍ଷରେ ଯିବ ତେବେ ତାଙ୍କୁ ଭାରତ ପଠାଇ ଦିଆଯିବ। ଏଠାରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.