୮୦୦ ବର୍ଷ ପରେ ସାବରୀମାଳା ମନ୍ଦିରରେ ପ୍ରବେଶ କଲେ ୨ଜଣ ମହିଳା
1 min readଆଓରି-ନୂଆଦିଲ୍ଲୀ(୦୨/୦୧) : କେରଳର ସାବରୀମାଳା ମନ୍ଦିର ଭିତରେ ୫୦ ବର୍ଷରୁ କମ୍ ବୟସର ଦୁଇ ମହିଳା ବୁଧବାର ଦିନ ପ୍ରବେଶ କରିଥିଲେ । ଏହାସହ ଭଗବାନ ଆୟପ୍ପାଙ୍କ ଦର୍ଶନ ସହ ପୂଜା କରିଥିବା ଜଣାପଡ଼ିଛି । ୪୦ ବର୍ଷ ପାଖାପାଖି ବୟସର ଏହି ଦୁଇ ମହିଳାଙ୍କ ନାମ ବିନ୍ଦୁ ଏବଂ କନକଦୁର୍ଗା ବୋଲି ଜଣାଯାଇଛି ।
ଭୋର ୩.୪୫ବେଳେ ଦୁଇ ମହିଳା ପାହାଡ଼ ଶିଖରରେ ଥିବା ଏହି ତୀର୍ଥକ୍ଷେତ୍ରରେ ପହଞ୍ଚିଥିଲେ । ପାରମ୍ପରିକଭାବେ ସେମାନେ କଳା ପୋଷାକ ପିନ୍ଧିବା ସହିତ ପୁଲିସ୍ ସୁରକ୍ଷା ବଳୟରେ ପହଞ୍ଚିଥିବା ଭିଡିଓରୁ ଜଣାଯାଉଛି । ସୁପ୍ରିମକୋର୍ଟରୁ ସାବରୀମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ କରିବାର ଅନୁମତି ମିଳିବାର ତିନି ମାସ ପରେ ଏହି ଦୁଇ ମହିଳା ପ୍ରବେଶ କରିଥିଲେ ।
ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ମହିଳାମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୮୦୦ ବର୍ଷ ପରେ ଦୁଇ ଜଣ ମହିଳା ସାବରୀମାଳା ମନ୍ଦିରରେ ପ୍ରବେଶ କରି ଭଗବାନ ଆୟପ୍ପାଙ୍କ ପୂଜା କରିଛନ୍ତି । ଚଳିତ ବର୍ଷ ୨୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ସବୁ ବୟସର ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ପ୍ରଦାନ କରିଥିଲେ ।
ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କେରଳର ରାଜ ପରିବାର, ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ବହୁ ହିନ୍ଦୁ ସଂଗଠନ ପୁର୍ନବିଚାର ଯାଚିକା ଦାଏର କରିଥିଲେ । କିନ୍ତୁ କୋର୍ଟ ଏହାକୁ ଏଡ଼ାଇ ଯାଇଥିଲେ । ଏହାପୂର୍ବରୁ ସାବରୀମାଳା ମନ୍ଦିରରେ ୧୦- ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ନିଷେଧ ଥିଲା । ଏହି ପ୍ରଥା ଦୀର୍ଘ ୮୦୦ ବର୍ଷ ଧରି ଚାଲି ଆସିଥିଲା । ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ସାରା ରାଜ୍ୟରେ ବିରୋଧ କରାଯାଇଥିଲା ।