୫ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

padmashree-awardee-from-Odisha

ନୂଆଦିଲ୍ଲୀ  : ୬୯ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଓଡ଼ିଶାରୁ ୫ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ଲାଗି ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ଜନସେବା ପାଇଁ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ, ସ୍ଥାପତ୍ୟ ପାଇଁ ଶିଳ୍ପୀ ପ୍ରଭାକର ମହାରଣା ଏବଂ କଳା ଓ ହସ୍ତତନ୍ତ କ୍ଷେତ୍ରରେ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଥିବାବେଳେ ସିନେମା କ୍ଷେତ୍ରରେ ମହାରାଷ୍ଟ୍ରରୁ ଓଡ଼ିଶାର ପୁଅ ଶିଶିର ପୁରୁଷୋତ୍ତମ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଲାଗି  ନାମ ଘୋଷଣା କରାଯାଇଛି।

ସଂଗ୍ରାମୀ ଭବାନୀ ପଟ୍ଟନାୟକ: ଭବାନୀଚରଣ ପଟ୍ଟନାୟକ (୯୬ ବର୍ଷ) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା। ଭାରତୀୟ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ୧୯୬୧, ୧୯୬୬ ଏବଂ ୧୯୭୮ ଭଳି ୩ ଥର ସଦସ୍ୟ ରହିଥିଲେ। ପୂର୍ବରୁ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ୧୧ ମେ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ପୈତୃକ ଗ୍ରାମ ପୁରୀ ଜିଲାର ନିମାପଡ଼ା ଅଞ୍ଚଳରେ। ସେ ନାରୀ ଶିକ୍ଷା, ସଚେତନତା ଏବଂ ବିଶେଷକରି ମଦ ବିରୋଧୀ ଆନ୍ଦୋଳନକୁ ରାଜ୍ୟରେ ଅଦ୍ୟାବଧି ଜୋରଦାର କରିଛନ୍ତି।

କଥାକାର ଚନ୍ଦ୍ରଶେଖର ରଥ: ବଲାଙ୍ଗିର ଜିଲା ମାଲପଡ଼ାରେ ୧୭ ଅକ୍ଟୋବର ୧୯୨୯ ମସିହାରେ ଜନ୍ମିତ ଓଡ଼ିଶାର ବିଶିଷ୍ଟ କଥାକାର, ପ୍ରାବନ୍ଧିକ, ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ତଥା ଔପନ୍ୟାସିକ ଭାବେ ଚନ୍ଦ୍ରଶେଖର ରଥ ଏକ ସ୍ପର୍ଦ୍ଧିତ ନାମ। ଯନ୍ତ୍ରାରୁଢ, ଅସୂର୍ଯ୍ୟ ଉପନିବେଶ ଏବଂ ନବଜାତକ ଭଳି ତିନିଟି ଲୋକପ୍ରିୟ ଉପନ୍ୟାସ ସମେତ ୧୬ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୨ଟି ନିବନ୍ଧ ଗ୍ରନ୍ଥ, ୩ଟି କବିତା ସଙ୍କଳନ, ୪ଟି ଅନ୍ୟାନ୍ୟ ସଂକଳନ ପ୍ରକାଶିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ବହୁ ପୁରସ୍କାରରେ ସେ ସମ୍ମାନିତ।

ଶିଶିର ମିଶ୍ର: ଓଡ଼ିଶା ସିନେମା ଜଗତର ଦ୍ରୋଣାଚାର୍ଯ୍ୟ ରୂପେ ଲୋକପ୍ରିୟ ଶିଶିର ପୁରୁଷୋତ୍ତମ ମିଶ୍ର ଓରଫ ଶିଶିର ମିଶ୍ରଙ୍କ ଜନ୍ମ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବମକେଇ। ଖଲିକୋଟ କଲେଜରୁ ବିଏସସି ଓ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଅଧ୍ୟାପକ ଭାବେ ଚାକିରି କରିଥିଲେ। ମାତ୍ର ଏହି କ୍ଷେତ୍ର ତାଙ୍କୁ ବାନ୍ଧି ରଖିପାରିନଥିଲା। ୧୯୬୫ ଅଧ୍ୟାପନା ଛାଡ଼ି କଳା ଓ ସିନେମା ପ୍ରତି ଅହେତୁକ ଆଗ୍ରହ ତାଙ୍କୁ ମୁମ୍ବଇରେ ପହଞ୍ଚାଇଥିଲା। ମେହେବୁବ୍‌ ଖାନ୍‌ଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ମଦର ଇଣ୍ଡିଆ’ ଓ ନିର୍ଦେଶକ ଜ୍ୟୋତି ସ୍ୱରୂପଙ୍କ ‘ପଡୋସନ୍‌’ରେ ସହଯୋଗୀ ନିର୍ଦେଶକ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ତାଙ୍କ ନିର୍ଦେଶିତ ଲୋକାଦୃତି ପାଇଥିବା ଓଡ଼ିଆ ସିନେମା ମଧ୍ୟରେ ସିନ୍ଦୁର ବିନ୍ଦୁ, ସୁନା ସଂସାର, ସୁବର୍ଣ୍ଣ ସୀତା, ସମୟ ବଡ଼ ବଳବାନ, ଏଇ ଆମ ସଂସାର, ବସ୍ତ୍ରହରଣ, ସୁନା ଭାଉଜ, ସାବତ ମାଆ ପ୍ରମୁଖ ରହିଛି। ହିନ୍ଦୀ ଚଳଚ୍ଚିତ୍ର ନିର୍ଦେଶନା କ୍ଷେତ୍ରରେ ଭିଗୀ ପଲ୍‌କେ, ସମୟ କୀ ଧାରା, ବିଲୋ ବାଦ୍‌ଶାହା, ଟାଡା ଓ ଅସୀମା ବକ୍ସ ଅଫିସ୍‌କୁ ବେଶ୍‌ ହିଟ୍‌ କରିଥିଲା। ସିନେମା କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ଏକାଧିକ ସମ୍ମାନ ଓ ସ୍ୱୀକୃତି ମିଳିଛି।

ଗୋବର୍ଦ୍ଧନ ପାଣିକା: କୋରାପୁଟ ଜିଲାର କୋଟପାଡ ହେଉଛି ଏକ କ୍ଷୁଦ୍ର ସହର। ଏହାକୁ ଚାରିପଟୁ ଘେରି ରହିଛି ଦେଓମାଳୀ ପର୍ବତମାଳା। ଗୋବର୍ଦ୍ଧନଙ୍କ ଘର ଏହି କୋଟପାଡରେ। ସାପ୍ତାହିକ ହାଟରେ ସେ କୌଣସି ଆଧୁନିକ ବୟନ ସାମଗ୍ରୀକୁ ନ ଆପଣାଇ ପାରମ୍ପରିକ ଭାବେ ଟସରରେ ଲୁଗା ବୁଣିଥା’ନ୍ତି। ପାଖ ଜଙ୍ଗଲରୁ ସେ ଟସର ସଂଗ୍ରହ କରି ଲୁଗାବୁଣି କୋଟପାଡ ସାପ୍ତାହିକ ହାଟରେ ବିକ୍ରି କରି ଆସୁଥିଲେ। ପୂର୍ବରୁ ହସ୍ତତନ୍ତ ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଛି।

ପ୍ରଭାକର ମହାରଣା: ପ୍ରସ୍ତର ଶିଳ୍ପୀ ପ୍ରଭାକରଙ୍କ ଘର ପୁରୀ ଜିଲାର କୋଣର୍କ ଅଞ୍ଚଳରେ। ଜଣେ ସାଧାରଣ ଚିତ୍ରଶିଳ୍ପୀ ପରିବାରରେ ୧୯୬୦ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ। ପିଲାଦିନୁ ଚିତ୍ର ଆଙ୍କିବା ତାଙ୍କର ଶୌକ୍‌ ଥିଲା। ଯୁବାବସ୍ଥାରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରରେ ଥିବା ମନ୍ଦିରଗୁଡ଼ିକୁ ପରିଦର୍ଶନ କରି ସେ ସବୁର ଚିତ୍ର ଅଙ୍କନ କରୁଥିଲେ। ଏପରିକି ରାତିରେ ମନ୍ଦିର ପରିସରରୁ ତାଙ୍କୁ ତଡ଼ି ଦିଆଯାଉଥିଲେ ମଧ୍ୟ ସକାଳ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହୁଥିଲେ। ଚିତ୍ର-କଳା ପ୍ରତି ତାଙ୍କର କେତେ ଆଗ୍ରହ ଏଥିରୁ ସ୍ପଷ୍ଟ। ବାପା ସ୍ୱର୍ଗତ ସାଧୁ ଚରଣ ମହାରଣା ଓ ଗୁରୁ ସତ୍ୟବାଦୀ ମହାରଣାଙ୍କ ଯୋଗୁଁ ସେ ଖ୍ୟାତନାମା ପସ୍ତର ଶିଳ୍ପୀ ଭାବେ ପରିଚିତ ଲାଭ କରିଛନ୍ତି ବୋଲି କହନ୍ତି। ଏବେ ଭୁବନେଶ୍ୱରସ୍ଥିତ ତାଙ୍କ କାର୍ଯ୍ୟଳାୟରେ ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରାୟ ୧୫୦ ଜଣ ପିଲା ପଥର ଶିଳ୍ପୀ ଭାବେ ତାଲିମ ନେଉଥିବା ପ୍ରଭାକର କହନ୍ତି। ତାଙ୍କର ଶିଷ୍ୟମାନେ ଏବେ ଦେଶର ବିଭିନ୍ନ ଖ୍ୟାତନାମା ମନ୍ଦିରଗୁଡ଼ିକରେ ପଥର ଶିଳ୍ପୀ ଭାବେ କାର୍ଯ୍ୟରତ। “ ସୂର୍ଯ୍ୟ ନାରାୟଣ ଅଫ କୋଣାର୍କ ଟେମ୍ପଲ’ ନିର୍ମାଣ କରି ୧୯୮୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ୧୯୯୨ରେ “କନ୍ଦର୍ପ ହର୍ସ୍ତୀ’ ନିର୍ମାଣ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚିନ୍ତା ଓ ଚେତନା ପକ୍ଷରୁ ତାଙ୍କୁ ୨୦୧୨ରେ ପୁରସ୍କୃତ କରାଯାଇଥିଲା।