Mon. May 20th, 2019

ଲୋକସଭା ନିର୍ବାଚନରେ ୭୦ ଜଣ ସେଲିବ୍ରିଟିଙ୍କୁ ଟିକଟ ପ୍ରଦାନ କରିବ ବିଜେପି

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୮/୯) : କେନ୍ଦ୍ରରେ ପୁନଃ କ୍ଷମତାଶୀନ ହେବା ନେଇ ଆବଶ୍ୟକ କୁହୁକ ନମ୍ବର ଯୋଗାଡ଼ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ରଣକୌଶଳ ପ୍ରସ୍ତୁତ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ୭୦ ଜଣ ସେଲିବ୍ରିଟିଙ୍କୁ ଟିକଟ ପ୍ରଦାନ କରିବାକୁ ସ୍ଥିର କରିଛି। ଚଳଚ୍ଚିତ୍ର, କଳା ଓ ସଂସ୍କୃତି, କ୍ରୀଡ଼ା, ଗଣମାଧ୍ୟମ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ତଥା ଲୋକପ୍ରିୟତା ଲାଭ କରିଥିବା ବ୍ୟକ୍ତିଙ୍କୁ ଦଳ ପ୍ରାଥମିକତା ଦେବ। ଏ ନେଇ ବିଜେପି ତାଲିକାରେ କ୍ରିକେଟ୍‍ ଖେଳାଳୀ ବୀରେନ୍ଦ୍ର ସେହୱାଗ, ଅଭିନେତା ଅକ୍ଷର କୁମାର, ମୋହନଲାଲ, ମାଧୁରୀ ଦୀକ୍ଷିତ, ସନି ଦେଓଲଙ୍କ ଭଳି ବହୁପ୍ରମୁଖ ସେଲିବ୍ରିଟି ବିଜେପିର ପ୍ରସ୍ତାବିତ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଥିବା ଜଣାପଡିଛି। ଦଳର ବହୁ ସାଂସଦଙ୍କ ବିରୋଧରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିରୋଧୀ ମନୋଭାବର ଲହର ଚାଲିଥିବା ଜାଣିବା ପରେ ବିଜେପିର ପ୍ରମୁଖ ନେତାମାନେ ସେମାନଙ୍କ ବିକଳ୍ପ ବାଛିବାକୁ ସ୍ଥିର କରିଥିବା ଜଣାପଡିଛି। ଫଳତଃ ଦଳର ବହୁ ପ୍ରମୁଖ ସାଂସଦଙ୍କ ଟିକଟ କଟିବା ଆଶଙ୍କା ସୃଷ୍ଟି ହୋଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କୁମାର ନୂଆଦିଲ୍ଲୀରୁ, ସନ୍ନି ଦେଓଲ ଗୁରଦାସପୁରରୁ, ମାଧୁରୀ ମୁମ୍ବାଇରୁ ଏବଂ ମୋହନଲାଲ ଥିରୁଭାନନ୍ଥପୁରମ୍‍ରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ବନ୍ଧରେ ବିଜେପି ନେତୃବୃନ୍ଦ ବିଚାରବିମର୍ଶ କରୁଛନ୍ତି। ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା ଗୁରୁଦାସପୁର ଲୋକସଭାରୁ ବିଜେପିର ସାଂସଦ ଥିଲେ। ତାଙ୍କ ପରଲୋକପରେ ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି କଂଗ୍ରେସଠାରୁ ପରାଜିତ ହୋଇଥିଲା। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ଅଧିକାଂଶ ବୃତ୍ତିଧାରୀ ଲୋକଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏପରିକି ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କୁ ମଧ୍ୟ ସାମିଲ କରିବାକୁ ସେ ଜୋର ଦେଇଛନ୍ତି। ଏଥିନିମିତ୍ତ ସେ ୨୦୧୭ରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୫ ଜଣ ଲେଖାଏଁ ବୃତ୍ତିଧାରୀ ଲୋକଙ୍କ ନାମତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ନିଜର ଲୋକପ୍ରିୟତା ଦ୍ୱାରା ଏମାନେ ଦଳ ପାଇଁ ବିପୁଳ ଭୋଟ ଏକତ୍ର କରିବାରେ ସମର୍ଥ ହେବେ ବୋଲି ବିଜେପିର ପୁରୁଖା ନେତୃବୃନ୍ଦ ଆଶା ବାନ୍ଧିଛନ୍ତି। ବିଜେପି ପୂର୍ବରୁ କେବଳ ଚଳଚ୍ଚିତ୍ର ଜଗତର ଲୋକଙ୍କୁ ଦଳରେ ସ୍ଥାନ ଦେଇଥିଲା। ୨୦୧୪ରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରର କିଛି ଲୋକଙ୍କୁ ନିର୍ବାଚନରେ ସାମିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.