April 18, 2024

ଭାରତକୁ ଫେରିଲା ଘାତକ ନିପାହ ଭାଇରସ!

1 min read

ଆଓରି-ଭୁବନେଶ୍ଵର :(୦୩/୦୬) କେରଳର କୋଚିରେ ଜଣେ ୨୩ ବର୍ଷିୟ  ଛାତ୍ର ନିପାହ ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକ ନିପାହ ଭାଇରସରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ତାହା ଏନଆଇବି ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହୋଇଯିବ । ଛାତ୍ରଙ୍କ ଘର ଏର୍ଣ୍ଣାକୁଲମ୍ ଓ ସେ ଇଡ୍ଡୁକିର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ। ଏହାପୂର୍ବରୁ ମଧ୍ୟ କେରଳରେ ନିପାହ ଭାଇରସ ବ୍ୟାପିଥିଲା, ଯାହାଫଳରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା ।

ନିପାହ ଭାଇରସର କିଭଳି ମୁକାବିଲା କରାଯାଇପାରିବ ସେଥିପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ.ଶିଲଜା । ଏପରିକି ନିପାହକୁ ମୁକାବିଲା କରିବା ପାଇଁ ସମସ୍ତ ଆବଶ୍ୟକୀୟ ଔଷଧ ମହଜୁଦ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲରେ ନିପାହ ଭାଇରସ ସଂକ୍ରମିତଙ୍କ ପାଇଁ ଭିନ୍ନ ୱାର୍ଡ କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବାଦୁଡ଼ି ଯୋଗୁଁ ନିପାହ ଭାଇରସ ବ୍ୟାପିଥାଏ । ପ୍ରଥମେ ଏହା ବିଭିନ୍ନ ଫଳକୁ ବ୍ୟାପିଥାଏ ଏବଂ ଫଳରୁ ମଣିଷ ଓ ଜୀବଜନ୍ତୁଙ୍କ ଶରୀରକୁ ବ୍ୟାପିଥାଏ । ୧୯୯୮ ମସିହାରେ ପ୍ରଥମ ଥର ପାଇଁ ମାଲେସିଆର କାପୁଙ୍ଗ ସୁଙ୍ଗଇ ନିପାହ ଅଞ୍ଚଳରେ ଏହି ଭାଇରସ ଦେଖିବାକୁ ମିଳିଥିଲା । ଏହି ସ୍ଥାନ ନାମନୁସାରେ ଏହି ଭାଇରସର ନାଁ ନିପାହ ଭାଇରସ ରଖାଯାଇଛି ।

ଭାରତରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଏହି  ନିପାହ ଭାଇରସ ଦେଖିବାକୁ ମିଳିଥିଲା । ୨୦୦୧ରେ ସିଲିଗୁଡି ଅଞ୍ଚଳରେ ଏହି ଭାଇରସର ଚିହ୍ନଟ କରାଯାଇଥିଲା । ତେବେ ଗତବର୍ଷ ଏହି ମାରାତ୍ମକ ଭାଇରସ କେରଳରେ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ନିପାହ ଭାଇରସ ପାଇଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଭାଇରସ ମଣିଷ ଶରୀରରେ ବ୍ୟାପିବା ଫଳରେ ଜ୍ୱର ହୋଇଥାଏ । ଏହି ଭାଇରସରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହାଛଡ଼ା ମସ୍ତିଷ୍କ ଜଳାପୋଡ଼ା  ଅନୁଭବ ହୋଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିକିତ୍ସା ନ କରିଲେ ଭାଇରସ ପ୍ରଭାବିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ଫଳ ଖାସକରି ଖଜୁରୀ ଖାଇବାରୁ ଦୂରେଇ ରହିବା ଉଚିତ । ଏପରିକି ଏହି ଭାଇରସ ଆକ୍ରାନ୍ତ ଜୀବଜନ୍ତୁଙ୍କ ଠାରୁ ଦୁରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.