ଆସନ୍ତାକାଲି ରାଜ୍ୟର ସବୁ ଘରୋଇ ହସ୍ପିଟାଲ ବନ୍ଦ
1 min readଆ.ଓ.ରି(ତା୨୪|୫)-ଆସନ୍ତାକାଲି ଘରୋଇ ହସ୍ପିଟାଲ ବନ୍ଦ। ସାରା ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆସନ୍ତାକାଲି ସକାଳ ୬ଟାରୁ ଶନିବାର ସକାଳ ୬ଟା ୨୪ ଘଣ୍ଟା ଧରି ବନ୍ଦ ରହିବ। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହେବେ।
ଆଉଟ ଡୋର୍ ବନ୍ଦ ରହିବ ଏବଂ ନୂଆ ରୋଗୀଙ୍କୁ ଆଡମିଶନ କରାଯିବନି। କିନ୍ତୁ ପୂର୍ବରୁ ଆଡମିଶନ ହୋଇଥିବା ପୁରୁଣା ରୋଗୀଙ୍କ ଚିକିତ୍ସା ଚାଲିବ। ବନ୍ଦ ଡାକରା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗୀ ଯେମିତି ଅସୁବିଧା ନଭୋଗିବେ ସେ ଦିଗରେ ଦୃଷ୍ଟି ଦେବାକୁ ସବୁ ମେଡିକାଲକୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଘରୋଇ ମେଡିକାଲ ବନ୍ଦ ଡାକରାକୁ ନେଇ କଟକ ଏସ୍ସିବି ମେଡିକାଲ କଲେଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। କାଜୁଆଲିଟି, ଟ୍ରମାକେୟାର ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ଅଧିକ ସଂଖ୍ୟକ ପାରା ମେଡିକାଲ ଷ୍ଟାଫ୍ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।