April 25, 2024

‘ହାଓଦି ମୋଦୀ’ ସମାବେଶରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

1 min read

ଆଓରି-ନୂଆଦିଲ୍ଲୀ(୧୬/୦୯) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ପାଳି ସରକାର ଗଠନ କରିବା ପରେ ଚଳିତ ମାସ ୨୧ରୁ ୨୭ ପର୍ଯ୍ୟନ୍ତ ପ୍ରଥମ ଆମେରିକା ଗସ୍ତରେ ଯାଉଛନ୍ତି। ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ବାଦ ଦେଲେ ହଷ୍ଟନ୍‌ଠାରେ ୨୨ତାରିଖରେ ମୋଦୀଙ୍କ ସମ୍ମାନାର୍ଥେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଏହାର ନାମ ରଖାଯାଇଛି ‘ହାଓଦି ମୋଦୀ’। ଏହି ସମାବେଶରେ ମୋଦୀ ଭାରତୀୟ ସମୁଦାୟଙ୍କୁ ଉଦ୍‌ବୋଧନ ଦେବେ। ଏହି ସମାବେଶ ହୁଏତ ଆମେରିକା ମାଟିରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ନେତା ପୋପ୍‌ଙ୍କୁ ବାଦ୍‌ ଦେଲେ କୌଣସି ବିଦେଶୀ ନେତାଙ୍କ ପାଇଁ ସବୁଠୁ ବଡ଼ କାର୍ଯ୍ୟକ୍ରମ ହେବ ବୋଲି ପୂର୍ବରୁ ପରିକଳ୍ପନା କରାଯାଇଛି। ଆୟୋଜକଙ୍କ ସୂତ୍ରାନୁସାରେ ଏହି ସମାବେଶରେ ଆମେରିକା କଂଗ୍ରେସର ପ୍ରାୟ ୬୦ ପ୍ରତିନିଧି ଯୋଗଦେବାର ସମ୍ଭାବନା ରହିଛି। ଏହି ବିଶାଳ କାର୍ଯ୍ୟକ୍ରମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଟ୍ରମ୍ପ ଓ ମୋଦୀ ଉଭୟ ୨୩ ତାରିଖରେ ନ୍ୟୁୟର୍କଠାରେ ଜାତିସଙ୍ଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ଥିବାରୁ ଟ୍ରମ୍ପଙ୍କ ଉପସ୍ଥିତି ନେଇ ଯଥେଷ୍ଟ ସମ୍ଭାବନା ପ୍ରକାଶ ପାଇଛି।

ମୋଦୀ ପ୍ରଥମ ପାଳି ପ୍ରଧାନମନ୍ତ୍ରିତ୍ଵ ସମୟରେ ୬ ଥର ଆମେରିକା ଯାଇଛନ୍ତି। ଏହି ସମୟରେ ନ୍ୟୁୟର୍କ ଓ ସାନ୍‌ ଜୋସ୍‌ଠାରେ ଅନୁଷ୍ଠିତ ଦୁଇଟି ବିଶାଳ ସମାବେଶରେ ଭାରତୀୟ ସମୁଦାୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିରେ ପ୍ରାୟ ୨୦ହଜାର ଭାରତୀୟ ଯୋଗ ଦେଇଥିଲେ। ଏହା ଆମେରିକୀୟ ଭାରତୀୟଙ୍କୁ ବେଶ୍‌ ପ୍ରଭାବିତ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ପଶ୍ଚିମାଞ୍ଚଳ ହଷ୍ଟନ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ନାମକରଣ କରାଯାଇଛି। ‘ହାଓ ଡୁ ୟୁ ଡୁ’; ଅର୍ଥାତ୍‌ ‘ଆପଣ କିପରି ଅଛନ୍ତି’ ବୋଲି ଏହି ଅଞ୍ଚଳରେ ଆଗନ୍ତୁକଙ୍କୁ ଯେଉଁ ସମ୍ଭାଷଣ କରାଯାଏ ତାହାରି ଆଧାରରେ କାର୍ଯ୍ୟକ୍ରମର ନାମ ‘ହାଓଦି ମୋଦି’ ରଖାଯାଇଛି। ‘ଟେକ୍ସାସ୍‌ ଇଣ୍ଡିଆ ଫୋରମ୍‌’ ପକ୍ଷରୁ ଟେକ୍ସାସ୍‌ର ଏନ୍‌ଆରଜି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭାରତୀୟ ତଥା ଅନ୍ୟମାନଙ୍କୁ ଅନ୍‌ ଲାଇନ୍‌ରେ ନାମ ପଞ୍ଜୀକରଣ କରିବାକୁ ହେଉଛି।

ସେହି ଅନୁସାରେ ସମାବେଶରେ ଉପବିଷ୍ଟ ହେବା ପାଇଁ ସେମାନଙ୍କୁ ଆସନ ଯୋଗାଇଦିଆଯିବା ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୫୦ହଜାର ଭାରତୀୟ-ଆମେରିକୀୟ ଏଥିରେ ଯୋଗଦେବେ​ ବୋଲି ନାମ ପରଞ୍ଜୀକରଣ କରିଛନ୍ତି। ଦେଢ଼ ଘଣ୍ଟାବ୍ୟାପୀ ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ଭାଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏହାର ନାମକରଣ ‘ସେୟାର୍‌ଡ ଡ୍ରିମ୍ସ, ବ୍ରାଇଟ୍‌ ଫ୍ୟୁଚର’ ରଖାଯାଇଛି। ଏହା ଭାରତ-ଆମେରିକା ସମ୍ପର୍କକୁ ଦୃଢ଼ କରିବ ବୋଲି ଆୟୋଜକ କହୁଛନ୍ତି। ଏହି ସମାବେଶକୁ ଆମେରିକାରେ ଅବସ୍ଥାନ କରୁଥିବା ମୁସଲମାନ ସମ୍ପ୍ରଦାୟ ମଧ୍ୟ ସମର୍ଥନ କରୁଛନ୍ତି। କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ୟାପକ ପ୍ରଚାର ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.