ପଦାରେ ପଡ଼ିଲା ସରକାରଙ୍କ ମହାମିଛ ବିଜ୍ଞାପନ ; ହିତାଧିକାରୀଙ୍କୁ ମିଳିନି ସହାୟତା

Aajira-Odisha-Biju-Swasthya-Yojna

ଆଓରି-ଭୁବନେଶ୍ଵର(୦୫/୧୨) : ସାମ୍ନାକୁ ଆସିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ମିଛ । ରାଜ୍ୟ ସରକାର କିଭଳି ନିଜର ମିଛ ପ୍ରଚାର କରୁଛନ୍ତି ତାହା ପଦାରେ ପଡ଼ିଯାଇଛି । ଦୈନିକ ଖବର କାଗଜରେ ପ୍ରକାଶିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ବିଜ୍ଞାପନକୁ ନେଇ ଆସିଛି ବିବାଦ । ଏହି ବିଜ୍ଞାପନରେ ଯେଉଁ ଉପଭୋକ୍ତାଙ୍କ ଫଟୋ ଲାଗିଛି ସେହି ବ୍ୟକ୍ତି ନିଜେ ସରକାରଙ୍କୁ ବିରୋଧ କରି ଏକ ଭିଡ଼ିଓ ଭାଇରାଲ କରିଛନ୍ତି । ସେହି ଭିଡ଼ିଓରେ ସେ କହିଛନ୍ତି ଯେ, ତାଙ୍କ ଅଜାଣତରେ ତାଙ୍କ ଫଟୋ ଏହି ବିଜ୍ଞାପନରେ ବ୍ୟବହାର କରାଯାଇଛି । ସବୁଠାରୁ ବଡ଼ ଅଭିଯୋଗ କରିଛନ୍ତି ଯେ, ସେ କେବେ ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇ ନାହାନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କୌଣସି ସୁବିଧା ସେ ନେଇ ନାହାନ୍ତି । ତଥାପି ତାଙ୍କ ଫଟୋ ବିଜ୍ଞାପନରେ ପ୍ରକାଶ ପାଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ସେ ନୂଆପଡ଼ା ମେଡ଼ିକାଲ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଅପରେସନ୍‌ ପାଇଁ କହିଥିଲେ । କିନ୍ତୁ ଟଙ୍କା ଅଭାବରୁ ସେ ନିଜର ଅପରେସନ କରାଇପାରି ନାହାନ୍ତି । ତାଙ୍କର ପ୍ରଥମେ କାଶ ହେଉଥିଲା ଏବଂ ପାଟିରୁ ରକ୍ତ ପଡ଼ୁଥିଲା । ଡାକ୍ତର ତାଙ୍କୁ ପରୀକ୍ଷା କରି କହିଥିଲେ ହାର୍ଟ ପ୍ରୋବ୍ଲେମ୍‌ ରହିଛି । ଏହାକୁ ଠିକ୍‌ କରିବାକୁ ହେଲେ ଅପରେସନ୍‌ କରିବାକୁ ପଡ଼ିବ ।

ଦୁଇ ଦିନ ହସ୍ପିଟାଲରେ ଚିକିତ୍ସା ହେବା ପରେ ସେଠାରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ମାଧ୍ୟମରେ କଟକ ପଠାଇ ଦିଆଗଲା । କିନ୍ତୁ କଟକରେ କୌଣସି ପ୍ରକାର ସୁବିଧା ସେ ପାଇପାରି ନାହାନ୍ତି ବୋଲି କହିଛନ୍ତି । ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବାରମ୍ବାର କଟକ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।