April 20, 2024

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ରେ ବିଜେପି ପକ୍ଷରୁ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୫/୮) : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଜେପି ପକ୍ଷରୁ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇ ସ୍ୱର୍ଗତଃ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ସର୍ବଦଳୀୟ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ବାଜପେୟୀଙ୍କ ନିଧନ ରାଷ୍ଟ୍ର ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ନିଧନରେ ଗୋଟିଏ ଯୁଗର ଅବସାନ ଘଟିଛି। ଜଣେ ଉଚ୍ଚକୋଟୀର ରାଜନୀତିଜ୍ଞ ଭାବେ ସେ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇପାରିଥିଲେ। ବିବିଧତା ସତ୍ତ୍ୱେ ସବୁଦଳକୁ ଏକାଠି କରି ମିଳିତ ସରକାର ଚଳାଇବାର କଳା ବିଶ୍ୱବାସୀଙ୍କୁ ଦେଖାଇପାରିଥିଲେ। ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସେ ସଂସଦରେ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପାଇଁ ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା। ଓଡ଼ିଶାର ଲୋକମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ। ରାଜ୍ୟବାସୀଙ୍କ ନିକଟରେ ସେ ସବୁବେଳେ ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଅଟଳଜୀ ଦେଶର ସର୍ବସମ୍ମତ ସାମାଜିକ ଚେତନା ଥିଲେ। ତାଙ୍କ ସହିତ ସମଗ୍ର ଦେଶ ସମେତ ଓଡ଼ିଆ ଲୋକମାନଙ୍କର ଏକ ଭାବଗତ ସଂପର୍କ ଥିଲା। ଦେଶର ପ୍ରତ୍ୟେକ ଘରେ ତାଙ୍କ ବାର୍ତା ପହଞ୍ଚାଇ ପାରିଲେ ତାଙ୍କପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ରାଜ୍ୟର ଦଳମତ ନିର୍ବିଶେଷରେ ରାଜନୈତିକ ନେତୃତ୍ୱ, ସାମାଜିକ ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁସନ୍ଥ ସମାଜ ଗୋଟିଏ ମଞ୍ଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତିଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱକୁ ସୂଚାଉଛି। ତାଙ୍କର କେହି ବିରୋଧୀ ନ ଥିଲେ। ତାଙ୍କ ବିଚାରଧାରାର ଦୃଢ଼ ବିରୋଧୀମାନେ ମଧ୍ୟ ଅଟଳଜୀଙ୍କ ପ୍ରଶଂସକ ହେବା ତାଙ୍କ ମହାନତାକୁ ସ୍ପଷ୍ଟ କରୁଛି। ରାଜ୍ୟରେ ତାଙ୍କର ପ୍ରତିମୂର୍ତି ନିର୍ମାଣ କରାଯିବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ସ୍ୱର୍ଗତ ବାଜପେୟୀ ହେଉଛନ୍ତି ରାଜନୈତିକ ଆକାଶର ଧ୍ରୁବତାରା। କ୍ଷମତାରେ ଥିଲେ ହେଁ, ସେ ନିଜକୁ କଦାପି କ୍ଷମତାଶାଳୀ ଭାବୁ ନ ଥିଲେ। ତାଙ୍କୁ ମଧ୍ୟ କେହି କ୍ଷମତାଶାଳୀ ପ୍ରଧାନମନ୍ତ୍ରୀ ବୋଲି କହୁ ନ ଥିଲେ। ଜଣେ ଭଲ ପ୍ରଧାନମନ୍ତ୍ରୀ ହେବା ପାଇଁ କ୍ଷମତାଶାଳୀ ହେବା ଜରୁରୀ ନୁହେଁ ବୋଲି ସେ ପ୍ରମାଣିତ କରିଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ସେ ପୂଜାରୀ ଥିଲେ। ଭାରତର ଆତ୍ମାକୁ ସେ ବୁଝିପାରିବା ସହିତ ସମସ୍ତଙ୍କୁ ଏକାଠି କରିପାରିଥିଲେ। ଆଜିର ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଲେ, ପୋଖରାନ ପରୀକ୍ଷଣ, ପ୍ରଧାନମନ୍ତ୍ରୀ ସଡ଼କ, ଅନ୍ନପୂର୍ଣ୍ଣା ଯୋଜନା, ସର୍ବଶିକ୍ଷା ଓ ସ୍ୱର୍ଣ୍ଣ ଚତୁର୍ଭୂଜ ଭଳି ଯୋଜନା ତାଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିଲା। ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶା ଭାଙ୍ଗି ପଡ଼ିଥିବା ବେଳେ ଅକୁଣ୍ଠ ଚିତ୍ତରେ ସେ ସହାୟତାର ହାତ ବଢ଼ାଇଥିଲେ। ତାଙ୍କର ବକ୍ତବ୍ୟ ଶୁଣିବା ପାଇଁ ହଜାର ହଜାର ଲୋକ ଧାଇଁ ଆସୁଥିଲେ। ତାଙ୍କର ନିଧନ ଦେଶରେ ଏକ ଗଭୀର ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସ୍ୱର୍ଗତ ବାଜପେୟୀଙ୍କ ପାଇଁ ପ୍ରାର୍ଥନା କରିବାର କୌଣସି ଆବଶ୍ୟକତା ନାହିଁ। ତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ଶୋକସଭାକୁ ସତ୍‌ସଙ୍ଗ ଭାବେ ଗ୍ରହଣ କରାଯାଉ। ସତସଙ୍ଗରେ ଜଣେ ବ୍ୟକ୍ତିର ଗୁଣ କୀର୍ତନ ସହିତ ଭଜନ ଓ ପ୍ରାର୍ଥନା ହୁଏ। ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି କହିବା ଅପେକ୍ଷା ନୂଆ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ସ୍ୱର୍ଗତ ବାଜପେୟୀଙ୍କ ରାଜନୈତିକ ଚିନ୍ତାଧାରାର ଅନେକ ବିରୋଧୀ ଥିଲେ, ମାତ୍ର ତାଙ୍କର କେହି ଶତ୍ରୁ ନ ଥିଲେ। ପଶ୍ଚିମ ଓଡ଼ିଶାରେ ହୋଇଥିବା ମରୁଡ଼ି ସମୟର ସ୍ମୃତିକୁ ମନେ ପକାଇ ଶ୍ରୀ ମିଶ୍ର କହିଥିଲେ, ଏ ବାବଦରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଯଦିଓ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇଥିଲା ତଥାପି ସେ ସହାୟତାର ହାତ ବଢ଼ାଇଥିଲେ। ବାଜପେୟୀଙ୍କ ଦିଗଦର୍ଶନ ଓ କାର୍ଯ୍ୟଶୈଳୀକୁ ଆଗକୁ ନେଇପାରିଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମିଶ୍ର କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ବାମପନ୍ଥୀ ନେତା ଆଶିଷ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ ଓ ଅଧ୍ୟାପକ ବିଶ୍ୱରଂଜନ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତା, ବିଧାୟକ, ବୁଦ୍ଧିଜୀବୀ, ସାଧୁ ସନ୍ଥ ଓ ରାଷ୍ଟ୍ରୟୀ ସ୍ୱୟଂ ସେବକ ସଂଘର କର୍ମକର୍ତାମାନେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.