ନରେନ୍ଦ୍ର ମୋଦିଙ୍କୁ ନକଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Naveen-Patnaik-in-Tension-Aajira-Odisha

ଆଓରି-ଭୁବନେଶ୍ଵର(୧୧/୦୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଏହିଭଳି ଚର୍ଚ୍ଚାର କାରଣ ହେଲା ଯେ, ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଯେଉଁଭଳି ସ୍ଲୋଗାନ୍‌ ଦିଆଯାଉଥିଲା ସେହିଭଳି ଅବିକଳ ସ୍ଲୋଗାନ୍‌ ଏବେ ବିଜେଡି ପକ୍ଷରୁ ଦିଆଯାଉଛି ।

୨୦୧୪ ନିର୍ବାଚନ ପୂର୍ବରୁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ପ୍ରଚାର ପାଇଁ ବିଜେପିର ସ୍ଲୋଗାନ୍‌ ଥିଲା ‘ଅବ୍‌ କି ବାର୍‌ ମୋଦି ସରକାର’ । ଏମିତିକି ପ୍ରତ୍ୟେକ ବ୍ୟାନର ଓ ପୋଷ୍ଟରରେ ଲେଖାଯାଉଥିଲା ‘ହର ହର ମୋଦି ଘର ଘର ମୋଦି’ । ଏହି କ୍ରମରେ ବିଜେପି ପକ୍ଷରୁ ୨୦୧୯ରେ ମଧ୍ୟ ସମାନ ସ୍ଲୋଗାନ୍‌କୁ ଟିକେ ବଦଳାଇ କୁହାଯାଇଛି । ୨୦୧୯ରେ ବିଜେପିର ନାରା ରହିଛି ‘ନମୋ ଏଗେନ୍‌’, ଏହାର ଅର୍ଥ ହେଉଛି ‘ପୁଣି ଥରେ ମୋଦି । ‘ଫିର୍‌ ସେ ଏକ ବାର୍‌ ମୋଦି ସରକାର’ ଏହିଭଳି ମଧ୍ୟ ସ୍ଲୋଗାନ୍‌ ରହିଛି । ସୋସିଆଲ ମିଡିଆ ଓ ବ୍ୟାନର ପୋଷ୍ଟରରେ ମଧ୍ୟ ବିଜେପି ପକ୍ଷରୁ ଏହି ସ୍ଲୋଗାନ୍‌ ଦେଖିବାକୁ ମଳିଛି ।

ତେବେ ସେପଟେ ନବୀନ ମଧ୍ୟ ଅବିକଳ ଏହିଭଳି ସ୍ଲୋଗାନ୍‌ ଦେଇଛନ୍ତି । ନବୀନଙ୍କ ବିଭିନ୍ନ ବ୍ୟାନର ଓ ପୋଷ୍ଟରରେ ରହିଛି ‘ପୁଣି ଥରେ ନବୀନ’ । ସାଧାରଣରେ ଏବେ ପ୍ରଶ୍ନ ଉଠୁଛି ଯେ, ବିଜେଡି ପକ୍ଷରୁ ପୂର୍ବରୁ ଏଭଳି ସ୍ଲୋଗାନ୍‌ ଦିଆଯାଉନଥିଲା । କିନ୍ତୁ ହଠାତ୍‌ ଏଭଳି ସ୍ଲୋଗାନ୍‌ ପଛରେ ରହସ୍ୟ କ’ଣ ଥାଇପାରେ । ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ଫ୍ଲପ୍‌ ହୋଇଯାଇଛି । ତେଣୁ ସେ ଏବେ ମୋଦିଙ୍କ ନକଲ କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଚେଷ୍ଟା କରୁଛନ୍ତି ।

ଭୋଟ୍‌ ହାତେଇବା ପାଇଁ ନବୀନ ମିଶନ ଶକ୍ତି ଦ୍ୱାରା ମହିଳାଙ୍କୁ ମୋବାଇଲ ବାଣ୍ଟିବା ସହ ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତି । ସେତିକିରେ ମନକୁ ଆସ୍ୱସ୍ଥି ମିଳିଲା ନାହିଁ ଯେ ପୁଣି ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତ୍ତ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ପଞ୍ଚାୟତ ସ୍ତରରେ ଲୋକଙ୍କ ନିକଟତ୍ତର ହେବା ପାଇଁ ପିଠା ଯୋଜନା ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏହି ସବୂ ଯୋଜନା ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଏବଂ ଭୋଟ୍‌ ହାତେଇବା ପାଇଁ ଯଥେଷ୍ଟ ନୁହେଁ ବୋଲି ବୋଧ ହୁଏ ନବୀନ ବୁଝି ସାରିଛନ୍ତି । ତେଣୁ ମୋଦିଙ୍କ ଲୋକପ୍ରିୟତା ବଢୁଥିବା ଦେଖି ନବୀନ ଏବେ ମୋଦିଙ୍କ ପ୍ରଚାର ଢାଞ୍ଚାକୁ ଆପଣାଇଛନ୍ତି ବୋଲି ଏବେ ସହର ଗଳି କନ୍ଦି ଏବଂ ଚା’ ଖଟିରେ ପ୍ରବଳ ଚର୍ଚ୍ଚା ହେଉଛି ।