April 25, 2024

କେନ୍ଦ୍ର ସରକାରଙ୍କ କିଷାନ୍‌ ଯୋଜନାରୁ ଚାଷୀଙ୍କୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ ; ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Target-CM-Naveen-Patnaik-Aajira-Odisha

ଆଓରି-ଭୁବନେଶ୍ଵର(୨୨/୦୨) : ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଚାଷୀଙ୍କ ପାଇଁ ଡ୍ରାମା ବନ୍ଦ କରି ତାଙ୍କ ଦୁଃଖ ବୁଝିବା କଥା ବୋଲି କହିଛନ୍ତି ଧର୍ମେନ୍ଦ୍ର । ବରଗଡ଼ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଧର୍ମେନ୍ଦ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଗାଇଡଲାଇନ୍‌ ଆଧାରରେ ଓଡିଶାର ସବୁ ଯୋଗ୍ୟ ହିତାଧିକାରୀ ତାଲିକା ଏକାସଙ୍ଗେ ନଦେଇ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଡ୍ରାମା କରୁଛନ୍ତି ରାଜ୍ୟ ସରକାର । ଏଥିରୁ ବିରତ ରୁହନ୍ତୁ ବୋଲି ସେ ରାଜ୍ୟ ସରକାର କହିଛନ୍ତି । ଯେତେଶୀଘ୍ର ରାଜ୍ୟ ସରକାର ତାଲିକା ଦେବେ ସେତେ ଶୀଘ୍ର କେନ୍ଦ୍ର ସରକାର ଓଡ଼ିଆ ଚାଷୀଙ୍କ ଆକାଉଣ୍ଟରେ ୬୦୦୦ ଟଙ୍କା ପଠାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବଜେଟରେ ଏଥିପାଇଁ କୌଣସି ଅର୍ଥର ବ୍ୟବସ୍ଥା କରିନାହାନ୍ତି କିନ୍ତୁ କେନ୍ଦ୍ର ସରକାରଙ୍କ କିଷାନ ଯୋଜନା ପାଇଁ ସ୍ୱତନ୍ତ୍ର ବଜେଟର ବ୍ୟବସ୍ଥା କରିଛନ୍ତି । କାଳିଆ ଯୋଜନାରେ କୌଣସି ସ୍ଥାୟିତ୍ୱ ନଥିବା କଥା ପରୋକ୍ଷରେ କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ସୋସିଆଲ ମିଡିଆରେ କହିଛନ୍ତି ଯେ, ୧୯ ବର୍ଷର ସ୍ଥିର ସରକାର ସତ୍ତ୍ୱେ ରାଜ୍ୟର ଚାଷୀମାନଙ୍କର ବିକାଶ କରିବାରେ ବିଜେଡି ସରକାର ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀକୂଳକୁ ବୋକା ବନାଇବାର ଲାଗିଛନ୍ତି । କାଳିଆ ଯୋଜନାରେ ଲୋକଦେଖାଣିଆ ଟଙ୍କା ବାଣ୍ଟିବାର ଡ୍ରାମା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମନ୍ତ୍ରୀ, ବିଧାୟକଙ୍କ ଆକାଉଣ୍ଟକୁ ଓଡିଆ ଲୋକଙ୍କ କଷ୍ଟ ଅର୍ଜିତ ଝାଳବୁହା ଟଙ୍କା କେମିତି ଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଅୟୁଷ୍ମାନ ଯୋଜାନ ଭଳି କେନ୍ଦ୍ର ସରକାରଙ୍କ କିଷାନ୍‌ ଯୋଜନାରୁ ମଧ୍ୟ ରାଜ୍ୟର ଚାଷୀଙ୍କୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ତାଙ୍କର ଡର ରହିଛି ଯେ, ଯଦି କେନ୍ଦ୍ର ସରକାରଙ୍କ ଲୋକାଭିମୁଖି ଯୋଜନା ଗୁଡ଼ିକ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଲାଗୁ ହେବ ତେବେ ମୋଦି ଜୀଙ୍କ ଲୋକପ୍ରିୟତା ବଢିଯିବ । ମୋଦି ସରକାରର ଲୋକପ୍ରିୟତାକୁ ଭୟ କରି ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜାନାକୁ ଲାଗୁ କରାଯାଉ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେବାନେଇ ଅନିଶ୍ଚିତତା ଦେଖାଦେବା ପରେ ଏବେ ଜନମତର ଚାପରେ ତାଲିକା ଦେବାକୁ ବାଧ୍ୟ ହୋଇଛନ୍ତି । ଗଣମାଧ୍ୟମର ଆକଳନ ଅନୁସାରେ ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୪୦ରୁ ୪୫ ଲକ୍ଷ ପରିବାର ଏହି ଯୋଜନାରେ ହିତାଧିକାରୀ ହୋଇପାରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶା ସରକାର ସକାଳେ ଗୋଟେ ଏବଂ ସଂଧ୍ୟାରେ ଆଉ ଗୋଟେ କଥା କୁହନ୍ତି । ମୁଖ୍ୟମନ୍ତ୍ରୀ ଗୋଟେ କଥା କୁହନ୍ତି ଏବଂ ତାଙ୍କର ସଚିବମାନେ ଯାହା ଲେଖିଦେଇଥାନ୍ତି ତାଙ୍କ ମନ୍ତ୍ରୀମାନେ ଆଉ ଗୋଟେ କଥା କହନ୍ତି । ଗଣମାଧ୍ୟମ ଦେଖାଇଛି ଯେ ଅର୍ଥମନ୍ତ୍ରୀ ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରିବେ ନାହିଁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.