April 19, 2024

ସିବିଆଇ ନିକଟରେ ଅଛି ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ୪୭ ଜଣ ନେତାଙ୍କ ନାଁ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୯/୧୧) : ଓଡ଼ିଶାରେ ହୋଇଥିବା ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଚିଟ୍‌ଫଣ୍ଡ ଦୁର୍ନୀତିରେ ରାଜ୍ୟର ୪୫ରୁ ୪୭ ଜଣ ନେତା, ମନ୍ତ୍ରୀ ଓ ବିଧାୟକ ସମ୍ପୃକ୍ତ ଥିବା କହିଛନ୍ତି ଦାମୋଦର ରାଉତ । ସିଧାସଳଖ ବିଧାୟକ ପ୍ରଭାତ ତ୍ରିପାଠି ଓ ପ୍ରଭାତ ବିଶ୍ୱାଳଙ୍କ ନା ନେଇଛନ୍ତି ଦାମ । ସେ କହିଛନ୍ତି ପ୍ରଭାତ ତ୍ରିପାଠି ଏଟି ଗ୍ରୁପ୍‌ଠାରୁ ଟଙ୍କା ନେଇଥିବା ବେଳେ ପ୍ରଭାତ ବିଶ୍ୱାଳ ସି-ସୋରଠାରୁ ଟଙ୍କା ନେଇଛନ୍ତି ।

ସେ କହିଛନ୍ତି ଯେଉଁ ଚିଟ୍‌ଫଣ୍ଡ କମ୍ପାନୀର ମାଲିକମାନେ ଗିରଫ ହୋଇଛନ୍ତି ସେମାନେ ସିବିଆଇକୁ ଅନେକ ତଥ୍ୟ ଦେଇଛନ୍ତି । ସେହି ତଥ୍ୟ ସବୁ ଏକ ଅଡିଓ ସିଡିରେ ରେକର୍ଡ ରହିଛି ଏବଂ ସେହି ଅଡିଓ ସିଡି ସିବିଆଇ ହେଫାଜତରେ ମଧ୍ୟ ରହିଛି । ସେହି ଅଡିଓ ସିଡିରେ ଅନେକ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ନାଁ ରହିଛି । ଯେଉଁମାନେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀଠାରୁ ଟଙ୍କା ନେଇଛନ୍ତି । ସି-ସୋର ଡାଇରେକ୍ଟର ପ୍ରଶାନ୍ତ ଦାସ ସିବିଆଇକୁ ଦେଇଥିବା ତଥ୍ୟରେ କହିଛନ୍ତି ଯେ, ସେ ୫୫୦ କୋଟି ଟଙ୍କା କେବଳ ନେତା ମନ୍ତ୍ରୀଙ୍କୁ ବାଣ୍ଟିଛନ୍ତି । ସେଥିରେ ବିଧାନସଭାର ୪୭ ଜଣ ବିଧାୟକ ଓ ମନ୍ତ୍ରୀ ସାମିଲ ଅଛନ୍ତି ।

‘ସି-ସୋର’ର ବିଭିନ୍ନ ଅନୁଷ୍ଠାନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ୟାରିମୋହନ ମହାପାତ୍ର ମଧ୍ୟ ସେଥିରେ ସାମିଲ ଥିଲେ । ଡାଇରେକ୍ଟର ପ୍ରଶାନ୍ତ ଦାସଙ୍କୁ ପ୍ୟାରି ଅନେକ ପ୍ରଶଂସା ମଧ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେଇ ଦାମ ଜଣାଇବାକୁ ଚାହିଁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି ।

ଅନ୍ୟପକ୍ଷରେ ସିବିଆଇର କାର୍ଯ୍ୟପନ୍ଥାକୁ କଡ଼ା ସମାଲୋଚନା କରିଛନ୍ତି ଦାମ । ସେ କହିଛନ୍ତି, ସିବିଆଇ ହେଉଛି ଭାରତ ସରକାରଙ୍କର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ଯାହା ଏବେ ସମ୍ପୁର୍ଣ୍ଣ ଦୁର୍ନୀତିଗ୍ରସ୍ତ । ସିବିଆଇ ଅଧିକାରୀଙ୍କ ଘରେ ସବିଆଇ ପକ୍ଷରୁ ରେଡ୍‌ କରାଯାଉଛି, ଏହାଠାରୁ ବଡ଼ ଦୁଃଖର ବିଷୟ ଆଉ କିଛି ନୁହେଁ । ସେହିଭଳି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହାତ କରି ରାଜ୍ୟ ସରକାର ଚିଟ୍‌ଫଣ୍ଡ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି । ଯଦି ସିବିଆଇ ସଠିକ୍‌ ଦିଗରେ ତଦନ୍ତ କରିବ ତେବେ ଅନେକ ନେତା ମନ୍ତ୍ରୀ ଗିରଫ ହେବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.