April 20, 2024

ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଡ଼ିଜାଷ୍ଟର ରିସ୍କ ରିଡକ୍ସନ୍ ପାଇଁ ଶସକାୱା ପୁରସ୍କାର ପ୍ରଦାନ

1 min read

ଆଓରି-ନୂଆଦିଲ୍ଲୀ(୧୭/୦୫) : ଭାରତ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଡ଼ିଜାଷ୍ଟର ରିସ୍କ ରିଡକ୍ସନ୍ ପାଇଁ ଶସକାୱା ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । ଗତକାଲି ଜେନେଭା ଠାରେ ଗ୍ଲୋବାଲ ପ୍ଲାଟଫର୍ମ ଫର୍ ଡ଼ିଜାଷ୍ଟର ରିସ୍କ ରିଡକ୍ସନ୍ (GPDRR)୨୦୧୯ର ଷଷ୍ଠତମ ଅଧିବେଶନରେ ପୁରସ୍କୃତ କରାଯିବା ସହିତ ସମ୍ମାନିତ ମଧ୍ୟ କରାଯାଇଛି ।

ସମ୍ବଲପୁରର ‘ଭୂମିପୁତ୍ର’ ଡକ୍ଟର ମିଶ୍ର ସହରର ପଟ୍ଟନାୟକପଡ଼ାରେ ଜନ୍ମିତ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାରମ୍ଭିକ ଓ ବାଲ୍ୟଶିକ୍ଷା ସାରି ସେ ତତ୍କାଳୀନ ଗଙ୍ଗାଧର ମେହେର କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଡକ୍ଟର ମିଶ୍ର ୧୯୭୨ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ। ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅଧ୍ୟୟନ ସହ ସସେକ୍ସ ବିଶ୍ୱବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ଉଲ୍ଲେଖନୀୟ ଗବେଷଣା କରି ଡକ୍ଟରେଟ୍ ଉପାଧି ପାଇଛନ୍ତି।

ଗୁଜୁରାଟ କ୍ୟାଡ଼ରର ଆଇଏଏସ‌୍‍ ଅଧିକାରୀ ୬୭ ବର୍ଷ ବୟସ୍କ ଡ. ପି.କେ.ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ସଚିବ ପଦ ଅଳଙ୍କୃତ କରିଛନ୍ତି। ସେ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ଗୁଜୁରାଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଥିଲେ। ଜଣେ ଆରଏସଏସ‌୍‍ ପ୍ରଚାରକରୁ ସଫଳ ମୁଖ୍ୟମନ୍ତ୍ରୀ ରୂପେ ମୋଦିଙ୍କୁ ପରିବର୍ତ୍ତିତ କରିବାରେ ଡ଼. ମିଶ୍ରଙ୍କ ପ୍ରମୁଖ ଭୂମିକା ରହିଥିଲା। ତେଣୁ ୨୦୦୮ ମସିହାରେ ଡ଼. ମିଶ୍ର ଅବସର ଗ୍ରହଣ କରିବା ପରେ ମଧ୍ୟ ମୋଦି ତାଙ୍କୁ ଛାଡ଼ି ନଥିଲେ। ୫ ବର୍ଷ ପାଇଁ ଗୁଜୁରାଟ ଇଲେକଟ୍ରିସିଟି ରେଗୁଲେଟରୀ କମିଶନର ଚେୟାରମ୍ୟାନ କରି ରଖିଥିଲେ। କଚ୍ଛ ଭୂମିକମ୍ପ ପରେ ଗୁଜୁରାଟ ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଗଠନ ଏବଂ କଚ୍ଛର ପୁନଃ ନିର୍ମାଣରେ ଡ଼. ମିଶ୍ର ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ। ଡ. ପ୍ରମୋଦ କୁମାର ମିଶ୍ରଙ୍କ ସମର୍ପିତ କାର୍ଯ୍ୟଧାରା ଏବଂ କେନ୍ଦ୍ର ସରକାରରେ ତାଙ୍କର ଅଖଣ୍ଡ ପ୍ରଭାବର ସୁଫଳ ସମ୍ୱଲପୁର ମଧ୍ୟ ପ୍ରାପ୍ତ କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.