ବର୍ଷୀୟାନ ଅଭିନେତା ତଥା ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ
1 min readଆଓରି-ଭୁବନେଶ୍ଵର(୨୧/୭) : ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ମଞ୍ଚ ନାଟକ ଓ ଗୀତିନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀଙ୍କର ଶୁକ୍ରବାର ଅପରାହ୍ନରେ ହରଚଣ୍ଡୀସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ଶଯ୍ୟା ନିକଟରେ ଦୁଇ ପୁଅ, ଝିଅ, ଜ୍ୱାଇଁ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ଗଣେଶ ପ୍ରତିହାରୀ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବରିଷ୍ଠ ମଞ୍ଚ ଏବଂ ଓଡ଼ିଆ ସିନେ ଅଭିନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ପୂର୍ଣ୍ଣଚନ୍ଦ୍ର ସତୁରୀ ଦଶକରେ ମଞ୍ଚ ଜଗତରେ ପାଦ ଥାପିଥିଲେ। ଅନ୍ନପୂର୍ଣ୍ଣା ଥିଏଟରରୁ ଆରମ୍ଭ ହୋଇଥିଲା ତାଙ୍କ କଳା ଜୀବନ। ସିନ୍ଦୂର ବିନ୍ଦୁରେ ପ୍ରଥମେ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏଥିସହିତ ସେ କୃଷ୍ଣା କାବେରୀ, ପକା କମ୍ବଳ ପୋତ ଛତା, ଏମିତି ଭାଇ ଜଗତେ ନାହିଁ ପ୍ରଭୃତି ଓଡ଼ିଆ ସିନେମାରେ ନିଖୁଣ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଅନ୍ନପୂର୍ଣ୍ଣାରେ ମଧ୍ୟ ନିଜ କଳା ଜୀବନ ଜାରି ରଖିଥିଲେ। ଅନେକ ନାଟକରେ ଅଭିନୟ କରିବା ସହ ପ୍ରାୟ ଶତାଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଏହା ମଧ୍ୟରେ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଜନାଦୃତ ହୋଇଥିଲା। ରବୀନ୍ଦ୍ର ମଣ୍ଡପରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ପଦ୍ମପାଖୁଡ଼ା ସୂର୍ଯ୍ୟ’କୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଗତ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ।