ସଂସାର ମୋହ


ଆ.ଓ.ରି(ତା୧୬|୫)-

ଦିନେ ଯୁଧିଷ୍ଠିର ଶ୍ରୀ କୃଷ୍ଣଙ୍କୁ ପ୍ରଶ୍ନ କଲେ-“ଭଗବାନ! ତୁମେ ତ ତୁମର ମୋହନ ବଂଶୀର ସ୍ଵନରେ ସମସ୍ତଙ୍କୁ ଆକର୍ଷଣ କରୁଛ – କାହିଁ, କେହିତ ସେ ଆକର୍ଷଣରେ ଆକୃଷ୍ଟ ହେଉନାହାନ୍ତି।” ଶ୍ରୀ କୃଷ୍ଣ ସେତେବେଳେ ଯୁଧିଷ୍ଠିରଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଲେ ନାହିଁ। ଅପରାହ୍ନରେ ଶ୍ରୀ କୃଷ୍ଣ ଯୁଧିଷ୍ଠିରଙ୍କୁ ସଙ୍ଗରେ ନେଇ ଗୋଟିଏ ବନରେ ଭ୍ରମଣ କରିବାକୁ ଗଲେ। ବନ ମଧ୍ୟରେ ଗୋଟିଏ ଗଛରେ ଏକ ମହୁଫେଣା ହୋଇଥିଲା। ସେହି ମହୁଫେଣାରୁ ମହୁ ଝରି ଟୋପା ଟୋପା ହୋଇ ତଳେ ପଡୁଥିଲା। ଜଣେ ଲୋକ ସେହି ଗଛତଳେ ଠିଆ ହୋଇ ଆଁ କରି ମହୁ ଖାଉଥିଲା। ମଧୁପାନରେ ସେ ବ୍ୟକ୍ତି ଏତେ ମତ୍ତ ହୋଇଯାଇଥିଲା ଯେ, ଏକ ପ୍ରକାର ତାର ବାହ୍ୟ ଚେତନା ଶୂନ୍ୟ ହୋଇଯାଇଥିଲା। ଗୋଟିଏ ପ୍ରକାଣ୍ଡ ଅଜଗର ସାପ ମୁଖ ବ୍ୟାଦାନ କରି ସେହି ବ୍ୟକ୍ତି ଆଡ଼କୁ ଅଗ୍ରସର ହେଉଥିଲା। ଯୁଧିଷ୍ଠିର ଶ୍ରୀ କୃଷ୍ଣଙ୍କୁ କହିଲେ-ଏହି ଲୋକଟାକୁ ଏହିକ୍ଷଣି ଏହି ସାପଟି ଗିଳି ଦେବ ବୋଧେ। ଶ୍ରୀ କୃଷ୍ଣ କହିଲେ- ଲୋକଟିକୁ ଡାକନ୍ତୁ। ଯୁଧିଷ୍ଠିର ଲୋକଟିକୁ ଡାକିବାକୁ ଲାଗିଲେ। କିନ୍ତୁ ଲୋକଟି ମଧୁପାନରେ ଏତେ ମତ୍ତ ଥିଲା ଯେ, ଯୁଧିଷ୍ଠିରଙ୍କ ଡାକ ଶୁଣିପାରିଲା ନାହିଁ। ଯୁଧିଷ୍ଠିର ପୁନରାୟ ଲୋକଟି ପାଖକୁ ଯାଇ ଚିତ୍କାର କରି ଡାକିଲେ। କିନ୍ତୁ ଲୋକଟି କହିଲା ଆରେ ଭାଇ ଆଉ ଗୋଟିଏ ଟୋପା ମଧୁ ପାନ କରିବାକୁ ଦିଅ। କିନ୍ତୁ ଠିକ୍ ପର ମୂହୁର୍ତ୍ତରେ ସାପଟି ତାକୁ ଗିଳି ଦେଲା।

ଶ୍ରୀ କୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ- ଆପଣ ସେତେବେଳେ ମୋତେ ପ୍ରଶ୍ନ କରିଥିଲେ ଯେ, ମୋ ବଂଶୀରେ ତ କେହି ଆକୃଷ୍ଟ ହେଉନାହାନ୍ତି। ଆପଣତ ଏ ଲୋକଟିକୁ ଏତେ ଡାକିଲେ , କିନ୍ତୁ ଆପଣଙ୍କ ଡାକ ତ ଲୋକଟି ଶୁଣିପାରିଲା ନାହିଁ।

ଏ ସ୍ଥଳରେ ଏ ସଂସାର ହେଉଛି ମଧୂଚକ୍ର । ବିଷୟ ହେଉଛି ସର୍ପ । ସଂସାରର ମଧୂପାନରେ ମତ୍ତହୋଇ ମନୁଷ୍ୟ ଭଗବାନଙ୍କ ଡାକ ଶୁଣିପାରୁନାହିଁ। ସେ କେବଳ କହୁଛି ଆଉ କିଛି ଦିନ ପରେ ପୁତ୍ର ଉପଯୁକ୍ତ ହୋଇଗଲେ ତା ହାତରେ ସଂସାର ଭାର ଛାଡ଼ିଦେଇ ଅବଶିଷ୍ଟ ଜୀବନ କେବଳ ଭଗବାନଙ୍କ ନାମ ନେଇ କଟାଇ ଦେବି। ପୁତ୍ର ଉପଯୁକ୍ତ ହେଲାପରେ କହିଲା- ପୌତ୍ରର ମୁଖ ଦେଖିଲେ ମୋର ସଂସାର ସୁଖର ଆଶା ମେଣ୍ଟିଯିବ। ଏହିପରି କହୁକହୁ ତାକୁ ମୃତ୍ୟୁ ରୂପୀ ସର୍ପ ଆସି ଗ୍ରାସ କରିଦିଏ।