ପୁରୀ ଶ୍ରୀମନ୍ଦିରର ଇତିହାସ


ଆ.ଓ.ରି(ତା୨୦|୫)-

ଦ୍ଵାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗ ବର୍ମା ବର୍ତ୍ତମାନ ବଡ଼ଦାଣ୍ଡ ପତନ ଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଭଭୀମ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି। ମେଘନାଦ ପାଚେରି ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି।

ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି।

ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ଵିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଅଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ଵରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଅଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି । ମନ୍ଦିରର ତିନି ପାର୍ଶ୍ଵରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ଵଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦିଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଅଛି ।