April 25, 2024

ବଜରଙ୍ଗଙ୍କ ସ୍ୱର୍ଣ୍ଣିମ ବିଜୟ ସହିତ ପ୍ରଥମ ଦିନରେ ଭାରତକୁ ୩ ପଦକ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୦/୮) : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ବନ୍ଧୁକ ଚାଳନାର ୧୦ ମିଟର ଏୟାର ରାଇଫଲ୍‌ରେ ରବି କୁମାର  ରୌପ୍ୟ ପଦକ ଓ ଅପୂର୍ବୀ ଚାନ୍ଦିଲା କାଂସ୍ୟ ଜିତି ଦେଶବାସୀଙ୍କୁ ପ୍ରଥମ ପଦକ ଉପହାର ଦେଇଥିଲେ। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ଫ୍ରି’ ଷ୍ଟାଇଲ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ମଧ୍ୟ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ।

ଫାଇନାଲ୍‌ରେ ପ୍ରବେଶ କରିବା ପରେ ବଜରଙ୍ଗଙ୍କ ପ୍ରଦର୍ଶନକୁ ନେଇ ପ୍ରାରମ୍ଭରୁ ଉତ୍କଣ୍ଠା ପ୍ରକାଶ ପାଇଥିଲା। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ବଜରଙ୍ଗ ପରବର୍ତୀ ତିନି ରାଉଣ୍ଡ୍‌କୁ ଟେକ୍ନିକାଲ ସୁପିରିଓଟିରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ସେଠାରେ ଜାପାନର ତାକାତାନି ଦାଇଚିଙ୍କୁ ୧୧-୮ରେ ହରାଇ ସ୍ମରଣୀୟ ସଫଳତା ଲାଭ କରିଥିଲେ। ବଜରଙ୍ଗ ଆରମ୍ଭରୁ ଆକ୍ରମଣ କରି ୬-୦ରେ ଆଗୁଆ ହୋଇଯାଇଥିଲେ। ହେଲେ ଦାଇଚି ସଫଳ ପ୍ରତ୍ୟାବର୍ତନ କରି ସ୍ଥିତି ୬-୬ କରି ନେଇଥିଲେ। ଶେଷରେ କିନ୍ତୁ ବଜରଙ୍ଗଙ୍କ ରକ୍ଷଣାତ୍ମକ ଶୈଳୀ ଆଗରେ ହାର ମାନି ୩ ପଏଣ୍ଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ।

ଏହାପୂର୍ବରୁ ବଜରଙ୍ଗ ଦ୍ୱିତୀୟ ରାଉଣ୍ଡରେ ଉଜବେକିସ୍ତାନର ସିରୋଜିଦ୍ଦିନ ଖସାନୋଭଙ୍କୁ ୧୩-୩ ଓ କ୍ୱାର୍ଟର ଫାଇନାଲରେ ତାଜିକିସ୍ତାନର ଅବଦୁଲକୋସିମ ଫେିଜଏଭଙ୍କୁ ୧୨-୨ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେହିଭଳି ସେମିରେ ମଙ୍ଗୋଲିଆର ଏନ୍‌ ବାତମାଙ୍ଗନି ବାତଚୁଲୁଙ୍କୁ ୧୦-୦ରେ ଧୂଳି ଚଟାଇ ଫାଇନାଲ୍‌ ଯାଇଥିଲେ। ଏହି ୨୪ ବର୍ଷୀୟ ହରିଆଣା ହିରୋ ଚଳିତବର୍ଷର ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଲଗାତାର ତିନିଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ଜିତିବାର ହ୍ୟାଟ୍ରିକ୍‌ ସଫଳତା ନେଇ ଜାକର୍ତା ଯାଇଥିବା ବଜରଙ୍ଗ ରବିବାର ପ୍ରଥମ ବ୍ୟକ୍ତିଗତ ଏସୀୟ ସ୍ୱର୍ଣ୍ଣ ହାସଲ କରିଥିଲେ। ଏହାକରି ନିଜ ମାର୍ଗଦର୍ଶକ ତଥା ଅଲିମ୍ପିଆନ୍‌ ଯୋଗେଶ୍ୱର ଦତ୍ତଙ୍କ ସହ ସମକକ୍ଷ ହୋଇଥିଲେ। ଯୋଗେଶ୍ୱର ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାର ୬୫ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଯୋଗ୍ୟତା ପର୍ଯ୍ୟାୟରେ ହାରିବା ରବିବାର ଭାରତ ପାଇଁ ଶକ୍ତ ଧକ୍କା ଥିଲା। ସେହିଭଳି ପବନ କୁମାର ରିପିଚେଜ୍‌ ରାଉଣ୍ଡରେ ହାରି ପଦକ ବିଜୟରୁ ବଞ୍ଚିତ ହେବା ଆଉ ଏକ ନୈରାଶ୍ୟଜନକ ଖବର ଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.