April 25, 2024

ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପ ଉଡ଼ାଇଲା ଭାରତୀୟ ବାୟୁ ସେନା

1 min read
India-launched-air-strikes-on-Pakistani-territory-Aajira-Odisha
  • ୧୨ମିରାଜ ୨୦୦୦ ଜେଟ୍‌ ପାକିସ୍ତାନରେ ୧୦୦୦ କିଲୋଗ୍ରାମର ବୋମା ନିକ୍ଷେପ
  • ହମ୍‌ଲାରେ ପାକିସ୍ତାନର ପ୍ରାୟ ୩୦୦ ଆତଙ୍କବାଦୀ ନିପାତ

ଆଓରି-ନୂଆଦିଲ୍ଲୀ(୨୬/୦୨) : ପୁଲ୍‌ଓ୍ୱାମା ହମ୍‌ଲାର କଡ଼ା ଜବାବ ଦେଇଛି ଭାରତ । ଆତଙ୍କବାଦୀ ବିରୋଧରେ ଭାରତ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେବା ସହିତ ପାକିସ୍ତାନର ଆତଙ୍କବାଦୀ ଠିକଣା ଉପରେ ଭାରତ ଜୋରଦାର ଆକ୍ରମଣ କରିଛି । ଭାରତର ୧୨ମିରାଜ ୨୦୦୦ ଜେଟ୍‌ ପାକିସ୍ତାନରେ ୧୦୦୦ କିଲୋଗ୍ରାମର ବୋମା ପକାଇଛନ୍ତି । ଅନ୍ୟପଟେ ଏହି ଆକ୍ରମଣ ନେଇ ଭାରତୀୟ ବାୟୁସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ମିରାଜ ଫାଇଟର୍‌ ଜେଟ୍‌ ଗୁଡ଼ିକ ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ କରି ଦେଇଛି । ପାକିସ୍ତାନ ସେନା ପକ୍ଷରୁ ଏହା ସ୍ୱୀକାର କରାଯାଇଛି ଯେ, ଭାରତୀୟ ବାୟୁ ସେନା ସୀମା ପାର୍‌ କରି ପାକିସ୍ତାନ କ୍ଷେତ୍ର ମଧ୍ୟରେ ପ୍ରବେଶ କରିଥିଲେ ।

ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଭାରତୀୟ ଜେଟ୍‌ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଏଭଳି କାର୍ଯ୍ୟାନଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଜୈସ ଓ ଅନ୍ୟ ଆତଙ୍କୀ ସଂଗଠନ ଗୁଡ଼ିକର ଲଞ୍ଚ ପ୍ୟାଡ୍‌କୁ ଟାର୍ଗେଟ କରାଯାଇ ବୋମା ମାଡ଼ କରାଯାଇଛି । ପୁଲଓ୍ୱାମା ହମଲା ପରେ ହିଁ ଭାରତୀୟ ସେନା ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଙ୍କେତ ଦିଆଯାଉଥିଲା ।

ଆତଙ୍କୀ ଠିକଣା ଉପରେ ଆକ୍ରମଣ ହେବା ପରେ ସେମାନଙ୍କର କେତେ ପରିମାଣର କ୍ଷୟକ୍ଷତି ହୋଇଛି ବର୍ତ୍ତମାନ ସୁଦ୍ଧା ଏହାର ଆକଳନ କରାଯାଇ ନାହିଁ । କିନ୍ତୁ ଏହି ହମ୍‌ଲାରେ ପାକିସ୍ତାନର ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । କାଶ୍ମୀରର ଏଲ୍‌ଓସିରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି । ଏୟାରଫୋର୍ସ ବେସ୍‌ରେ ମଧ୍ୟ ତତ୍ପରତା ଦେଖାଦେଇଛି ।

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଳା ଟ୍ୱିଟ୍‌ କରି କହିଛନ୍ତି ଯେ, ଯଦି ଏହି କାର୍ଯ୍ୟାନୁଷ୍ଠାନ ସତ ହୋଇଥାଏ ତେବେ ନିହାତି ଭାବେ ଏହା ଏକ ବଡ଼ ପଦକ୍ଷେପ । କିନ୍ତୁ ସେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଦେବା ଆବଶ୍ୟକ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଦେଖିବାକୁ ବାକି ରହିଲା, ପାକିସ୍ତାନ ଏହି ଆକ୍ରମଣର କିଭଳି ଜବାବ ଦେଉଛି ।

ପାକିସ୍ତାନର ରକ୍ଷା ବିଶେଷଜ୍ଞ କମର ଜୀମା କହିଛନ୍ତି ଯେ, ସେ ମଧ୍ୟ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ବୟାନର ଅପେକ୍ଷାରେ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ମାହୋଲ ସୃଷ୍ଟି କରୁଛନ୍ତି । ମଙ୍ଗଳବାର ତଡ଼କେ ପ୍ରବକ୍ତା ମେଜର ଜେନରାଲ ଆସିଫ୍‌ ଗଫୁର ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଭାରାତୀୟ ବାୟୁ ସେନା ନିୟନ୍ତ୍ରଣ ରେଖା ଉଲଂଘନ କରିଛି । ଏହାକୁ ପାକିସ୍ତାନ ବାୟୁ ସେନା ପକ୍ଷରୁ ବିରୋଧ କରାଯିବାରୁ ଭାରତୀୟ ବିମାନ ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.