April 20, 2024

ଆଧାରରେ ସର୍ବୋତ୍ତମ ସୁବିଧା ମିଳିବ ଭାବିବା ଭୁଲ୍‌

1 min read

ଆଓରି(ତା୨୦|୪)- ଆଧାର ମାଧ୍ୟମରେ ଯେ ନାଗରିକଙ୍କୁ ସର୍ବୋତ୍ତମ ସରକାରୀ ସୁବିଧା ସୁଯୋଗ ମିଳିପାରିବ ସେପରି ଭାବିବା ଭୁଲ। ଆଧାର ମାଧ୍ୟମରେ ସରକାରଙ୍କ ସହ ନାଗରିକଙ୍କୁ ସାମ୍ନାସାମ୍ନି କରିବା ପାଇଁ ଏହା ସର୍ବୋତ୍ତମ ମଡେଲ ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ଏଭଳି କହି ଲୋକଙ୍କୁ ଭୂତାଇ ପାରିବା ନାହିଁ। ସରକାର ପ୍ରତ୍ୟକ୍ଷ ଭାବେ ସେମାନଙ୍କ ପାଖକୁ ଯାଇ ସେବା ଯୋଗାଇ ଦେବା ଆବଶ୍ୟକ। ଆଧାର କେବଳ ପରିଚୟର ଗୋଟିଏ ମାଧ୍ୟମ ବୋଲି ଆମେ ଭାବୁଛୁ। ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଆଧାରର ସାମ୍ବିଧାନିକ ବୈଧତା ସମ୍ପର୍କିର୍ତ ମାମଲାର ବିଚାର କରୁଥିବା ସର୍ବୋଚ୍ଚ ନ୍ୟାୟାଳୟର ୫ଜଣିଆ ସମ୍ବିଧାନ ପୀଠ।
ୟୁଆଇଡିଏଆଇ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ରାକେଶ ଦ୍ୱିବେଦୀ ପୀଠ ସମ୍ମୁଖରେ ଯୁକ୍ତି ଦର୍ଶାଇଥିଲେ ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିକାଶ ଅପରିହାର୍ଯ୍ୟ। ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ମଧ୍ୟ ସରକାରଙ୍କ ଦାୟିତ୍ୱ। ବକ୍ତବ୍ୟ ଓ ଭାବ ପ୍ରକାଶର ସ୍ୱାଧୀନତା ସଂକ୍ରାନ୍ତ ସମ୍ବିଧାନର ଧାରା ୨୧କୁ ବଳି ଦେଇ ହେବ ନାହିଁ। ଅତଏବ ସର୍ବୋଚ୍ଚ ନ୍ୟାୟାଳୟ ଏସବୁ କ୍ଷେତ୍ରରେ ସମତୁଲତା ରଖିବା ଉଚିତ। ଏ କ୍ଷେତ୍ରରେ ଆଧାରର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି; କାରଣ ଏହା ନାଗରିକ ବା ବ୍ୟକ୍ତିଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରିବ। ଆଧାର ଆଇନର ଧାରା ୭ ଅନୁସାରେ ଏହା ମାନବିକ ଅଧିକାରର ସୁରକ୍ଷା କରିବ। ଏହାଛଡ଼ା ଆଧାର ବ୍ୟକ୍ତିର ଗୋପନୀୟତାର ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବ।
ଏହି ପରିପ୍ରେକ୍ଷୀରେ ଆଧାରରେ କୌଣସି ବ୍ୟକ୍ତିଙ୍କର ଜାତି, ଧର୍ମ ବା ସମ୍ପ୍ରଦାୟ ଉଲ୍ଲେଖ କରାଯାଏ ନାହିଁ। ଅତଏବ ଆଧାର ଦ୍ୱାରା ନାଗରିକଙ୍କ ମଧ୍ୟରେ ବିଭେଦ ସୃଷ୍ଟିର ଆଶଙ୍କା ନାହିଁ। ଏସବୁକୁ ବାଦ ଦେଇ ଆଧାର ଆଇନ ଗୋପନୀୟତା ରକ୍ଷା ଉପରେ ଗୁରୁତ୍ୱାରୋପ କରିଛି ବୋଲି ଦ୍ୱିବେଦୀଙ୍କ ଯୁକ୍ତି ପୀଠଙ୍କ ହୃଦ୍‍ବୋଧ ହୋଇଥିବା କହିଛନ୍ତି ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼। ଏହା ବାଦ୍‍ ଆଧାର ତଥ୍ୟ ସୁରକ୍ଷା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଦ୍ୱିବେଦୀ ସାମ୍ବିଧାନିକ ପୀଠକୁ କହିଛନ୍ତି। ପାଣିକୁ ଭୟ କରୁଥିବା ବ୍ୟକ୍ତି କଦାପି ପୋଖରୀରେ ପଶିବ ନାହିଁ। ଡେମୋଗ୍ରାଫି, ବାୟୋମେଟ୍ରିକ୍ସ ଭଳି ଚାରି ପର୍ଯ୍ୟାୟ ପରିଚୟ ମଧ୍ୟରୁ ଆଧାର ମୂଳ ବାୟୋମେଟ୍ରିକ୍ସକୁ ଆଦୌ କାହା ସହିତ ସଂଯୋଗ କରେ ନାହିଁ ବୋଲି ଦ୍ୱିବେଦୀ ଦର୍ଶାଇଛନ୍ତି। ତେଣୁ କେହି ଭୟ କରିବାର ନାହିଁ ବୋଲି ଦ୍ୱିବେଦୀ ଦର୍ଶାଇଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ତାରିଖକୁ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.