April 20, 2024

କନଫ୍ୟୁଜନରେ କାଳିଆ ଯୋଜନା

1 min read

ଆଓରି-ଭୁବନେଶ୍ଵର(୨୪/୦୧) : କାଳିଆ ଯୋଜନା ଟଙ୍କା ଟ୍ରାନ୍ସଫରକୁ ନେଇ ଖୋଦ ସରକାର କନଫ୍ୟୁଜ ଥିଲା ଭଳି ଲାଗୁଛି  । ମନ୍ତ୍ରୀ ଓ ସଚିବଙ୍କ କଥାରେ ତାଳମେଳ ନଥିବାରୁ ଏଭଳି ସନ୍ଦେହ ଉପୁଜିଛି  । କାଳିଆ ଫର୍ମକୁ ନେଇ ଆଗରୁ ରାଜ୍ୟ ବ୍ୟାପି ଅସନ୍ତୋଷ ଦେଖାଯାଇଥିଲା  । ଏବେ କେବେ ଟଙ୍କା ଦିଆଯିବ, କେତେ ଜଣଙ୍କୁ ପ୍ରଥମ ଦଫାରେ ମିଳିବ, ଅନ୍ତିମ ତାଲିକା ତିଆରି ହେଲାଣି କି ନାହିଁ ତାକୁ ନେଇ କନଫ୍ୟୁଜନ୍‌ ସୃଷ୍ଟି ହୋଇଛି  ।

ବହୁ ଚର୍ଚ୍ଚିତ କାଳିଆ ଯୋଜନାକୁ ନେଇ କୃଷକ ମାନେ ଅଜ୍ଞ ଥିବା ବେଳେ ଖୋଦ୍‌ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ କନ୍‌ଫ୍ୟୁଜ୍‌ ରହିଛନ୍ତି । ସେପଟେ କୃଷକ ମାନେ କାଳିଆ ଯୋଜନାରୁ କେବେ ଟଙ୍କା ପାଇବେ ବୋଲି ଆଶାକରି ଦିନ ଗଣୁଥିବା ବେଳେ ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀମାନେ ସେମାନଙ୍କୁ ଏଣୁ ତେଣୁ କହି ଦ୍ୱନ୍ଦ୍ୱରେ ପକାଉଛନ୍ତି ।

କାଳିଆ ଯୋଜନାର ହିତାଧିକାରୀଙ୍କୁ କେବେ ଟଙ୍କା ଦିଆଯିବ ବୋଲି ପ୍ରଶ୍ନରେ ଅର୍ଥମନ୍ତ୍ରୀ ଶଶି ଭୁଷଣ କହିଛନ୍ତି ଯେ, ୨୫ ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ । ଏହାପରେ ୨୬ ତାରିଖ ଠାରୁ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ।

ସେପଟେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଲୋକଙ୍କୁ ଟଙ୍କା ଦିଆଯିବ ଓ ପରବର୍ତ୍ତି ପର୍ଯ୍ୟାୟରେ ୨୦ ଲକ୍ଷ ଲୋକଙ୍କୁ ଦିଆଯିବ । ପୁଣି ଶେଷରେ କହିଲେ କାଳିଆ ଯୋଜନା ନେଇ ସେ ସଠିକ୍‌ ତଥ୍ୟ ଜାଣି ନାହାନ୍ତି ।

ସେହିଭଳି ସମବାୟ ସଚିବ କିଶାନ କୁମାର କହିଛନ୍ତି ୧୨ ଲକ୍ଷ ୪୫ ହଜାର ୪୯୦ ହିତାଧିକାରୀଙ୍କୁ ୨୫ ତାରିଖରେ (ଆସନ୍ତାକାଲି) ଟଙ୍କା ବଣ୍ଟାଯିବ ।

ଏବେ ପ୍ରଶ୍ନ ହେଲା କିଏ ଠିକ୍ କହୁଛି  ? କାହା ପାଖରେ ସଠିକ୍‌ ତଥ୍ୟ ଅଛି  ? ସୂର୍ଯ୍ୟପାତ୍ର ଠିକ୍ କହୁଛନ୍ତି ନା ଅର୍ଥମନ୍ତ୍ରୀ ଠିକ୍ କହୁଛନ୍ତି  ? କାଳିଆ ଯୋଜନା ପାଇଁ ଆକସ୍ମିକ ପାଣ୍ଠିକୁ ବ୍ୟବହାର କରାଯାଉଛି । ସୂର୍ଯ୍ୟ ପାତ୍ରଙ୍କ କହିବା ମୁତାବକ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଲୋକଙ୍କୁ ଟଙ୍କା ଟ୍ରାନ୍‌ସଫର କରାଯିବ କି ସଚିବ କିଶାନ କୁମାରଙ୍କ କହିବା ଅନୁସାରେ  ୨୫ ତାରିଖ ଦିନ ପାଖାପାଖି ୧୨ ଲକ୍ଷ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ ?  କଥା ହେଲା ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ଓ ସଚିବଙ୍କ କଥାରେ ଯଦି ତାଳମେଳ ରହୁନି ତେବେ ଯୋଜନା ପାଇଁ ସଠିକ୍‌ ହିତାଧିକାରୀ ଚୟନକୁ ନେଇ ସନ୍ଦେହ ଉଠିବା ସ୍ୱଭାବିକ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.