April 19, 2024

ଆନ୍ଦୋଳିତ କରୁଛି କର୍ଣ୍ଣାଟକ ପ୍ରଭାବ

1 min read

ଆ.ଓ.ରି(୧୯|୫)-କର୍ଣ୍ଣାଟକର ରାଜନୈତିକ ନାଟକ ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠ ଦାବିଦାର ହୋଇ ନପାରିବା ଫଳରେ ସର୍ବାଧିକ ଆସନରେ ଜିତିଥିବା ବିଜେପି ସରକାର ଗଢ଼ିବା ପାଇଁ ଶପଥ ନେବା ଓ ସଂଖ୍ୟାର ପ୍ରମାଣ ଦେଇ ନପାରି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଇସ୍ତଫା ଘଟଣା ଜାତୀୟ ରାଜନୀତିକୁ ଉଷ୍ମ କରିଛି।କର୍ଣ୍ଣାଟକରେ ଏ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ଥିବାବେଳେ ଅଣବିଜେପି ଦଳଗୁଡ଼ିକ ଏହା ଗଣତନ୍ତ୍ରର ବିଜୟ ବୋଲି କହିବା ସହ ଏକ ସଶକ୍ତ ବିରୋଧୀ ମେଣ୍ଟ ଗଠନରେ ନିର୍ଣ୍ଣାୟକ ହେବ ବୋଲି ଆକଳନ କରୁଛନ୍ତି।

କର୍ଣ୍ଣାଟକ ନିର୍ବାଚନ ପରବର୍ତ୍ତୀ ସ୍ଥିତି ଏବେ ଓଡ଼ିଶା ରାଜନୀତିକୁ ବି ଆନ୍ଦୋଳିତ କରିଛି। ସାରା ଦେଶରେ ଶକ୍ତି ପ୍ରଦର୍ଶନ କରୁଥିବା ବିଜେପି ୨୦୧୯ ନିର୍ବାଚନରେ ଓଡ଼ିଶାକୁ କବଳିତ କରିବାର ଲକ୍ଷ୍ୟ ରଖିଛି; କିନ୍ତୁ ବିଜେପି ବିରୋଧୀ ଶକ୍ତି କୌଣସି ପରିସ୍ଥିତିରେ ଏହାକୁ ସାକାର କରାଇ ନ ଦେବା ସହ ରାଜନୈତିକ ସ୍ତରରେ ସଂଘବଦ୍ଧ ଭାବେ ପ୍ରତିହତ କରିବା ନେଇ ଖସଡ଼ା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛି।
ଓଡ଼ିଶାରେ ବିଜେପି ଶକ୍ତିକୁ ପ୍ରତିହତ କରିବା ପାଇଁ ଶାସକ ବିଜେଡ଼ି ଯତପରୋନାସ୍ତି ଉଦ୍ୟମ ଚଳାଇଛି। ପଞ୍ଚାୟତ ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିବା ପରେ ଅଧିକ ଉତ୍ସାହିତ ବିଜେପି ବିଜେପୁର ନିର୍ବାଚନରେ ଆଘାତ ପାଇଥିଲେ ବି ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଆଣି ଦଳ ଭିତରେ ନୂଆ ଉନ୍ମାଦନା ଭରିବା ଓ ସାଙ୍ଗଠନିକ ଶକ୍ତି ସକ୍ରିୟ କରି ଲୋକମତ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଚଳାଇଛି।

କ୍ରମାଗତ ଭାବେ ୪ଥର କ୍ଷମତାକୁ ଆସିଥିବା ବିଜେଡି ୨୦୧୯ରେ ବି ଏହାର ବିଜୟ ଧାରା ଅବ୍ୟାହତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି। ସେପଟେ କିଛି ବର୍ଷ ଧରି ରାଜ୍ୟରେ ନିସ୍ତେଜ ହୋଇପଡ଼ିଥିବା କଂଗ୍ରେସ ନୂଆ ପିସିସି ସଭାପତିଙ୍କୁ ପାଇ ଏବେ ଚଳଚଞ୍ଚଳ ହୋଇଛି।
କର୍ଣ୍ଣାଟକରେ ବିଜେପି କ୍ଷମତାଚ୍ୟୁତ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିଜେପି କର୍ଣ୍ଣାଟକରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ହେଲେ ଅଳ୍ପକେ ରକ୍ଷା ପାଇଯାଇଛି। ଅର୍ଥ ଓ ବାହୁ ବଳରେ କ୍ଷମତାକୁ ଜାବୁଡ଼ି ଧରିବାକୁ ବିଜେପି ଉଦ୍ୟମ ଚଳାଇଛି। ଗଣତନ୍ତ୍ରରେ ତାହା ସଫଳ ହେବ ନାହିଁ।

କର୍ଣ୍ଣାଟକ ନାଟକ ପରେ ଏବେ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆସିବ ବୋଲି କଂଗ୍ରେସ ଆଶା ବାନ୍ଧିଛି। ଏଠିକାର କଂଗ୍ରେସ ନେତାମାନଙ୍କ ବିବୃତି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିକଟରେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ଗଣମାଧ୍ୟମକୁ କହିଥିଲେ ଯେ ୨୦୧୯ରେ ଓଡ଼ିଶାରେ କର୍ଣ୍ଣାଟକ ଭଳି ତ୍ରିଶଙ୍କୁ ପରିସ୍ଥିତି ଦେଖାଦେଲେ ବିଜେପିକୁ ରୋକିବା ପାଇଁ କଂଗ୍ରେସକୁ ବିଜେଡି ସମର୍ଥନ ଦେବ।

ବିଜେଡି କଂଗ୍ରେସ ପାଇଁ ଅଛୁଅାଁ ନୁହେଁ। ଏଭଳି ବିବୃତି ଉପରେ ଉଭୟ ବିଜେଡି ଓ ବିଜେପିରେ ପ୍ରତିକ୍ରିୟା ଥମିବା ପୂର୍ବରୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶରତ ରାଉତଙ୍କ ବିବୃତି ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି। ଗଣମାଧ୍ୟମକୁ ସେ ଆଜି ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ଯେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସବୁ ଧର୍ମନିରପେକ୍ଷ ଦଳ ସହିତ ହାତ ମିଳାଇବ। ବିଜେପିକୁ ଅଟକାଇବା ପାଇଁ ଆବଶ୍ୟକ ହେଲେ ବିଜେଡି ସହ ମେଣ୍ଟ ହୋଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ କଂଗ୍ରେସ ଓ ବିଜେଡି ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଏବେ ପଦାରେ ପଡ଼ିଛି। ଦୁଇ ଦଳ ଏବେ ଭାଇ ଭାଇ ହୋଇ କାମ କରୁଛନ୍ତି।
ତେବେ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଉପରେ ବିଜେଡି କହିଛି କଂଗ୍ରେସ ଅବକ୍ଷୟରୁ ରକ୍ଷା ପାଇବା ପାଇଁ ବିଜେଡିର ସାହାରା ନେଉଛି। ବିଜେଡି ମୁଖପାତ୍ର ବିଧାୟକ ସମୀର ଦାସ କହିଛନ୍ତି ଯେ କଂଗ୍ରେସର ଏବେ ନିଜ ଉପରେ ବିଶ୍ୱାସ ପାଉନି। ଆଗାମୀ ଦିନରେ ବିଜେଡିର ସିଧା ସଳଖ କଂଗ୍ରେସ ସହିତ ଲଢ଼େଇ ହେବ। ତେଣୁ କଂଗ୍ରେସ ସହିତ ମେଣ୍ଟର ପ୍ରଶ୍ନ ଉଠୁନାହିଁ। ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତାରେ ରହିବ ବୋଲି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏବେ ବି ତାହା ବଜାୟ ରହିଛି। ତେଣୁ କଂଗ୍ରେସ କେବଳ ନିଜକୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ବିଜେଡ଼ିର ସାହାରା ନେବାକୁ ଉଦ୍ୟମ କରୁଛି।
ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡ଼କୁ ମୁହାଁଇବ ତାହାର ଚିତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଥାପି କଂଗ୍ରେସର ଏଭଳି ବୟାନ ଆଗାମୀ ଦିନରେ ରାଜନୈତିକ ସମୀକରଣକୁ ବଦଳାଇବା କିଛି ବିଚିତ୍ର ନୁହେଁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.