କବିତା କ୍ରିଷ୍ଣାମୂର୍ତ୍ତି ପାଇବେ ଚଳିତ ବର୍ଷର ପ୍ରଫୁଲ୍ଲ କର ସମ୍ମାନ
1 min readଭୁବନେଶ୍ୱର, ୧୨।୨(ଆଓରି)- ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୫ ତାରିଖରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ପ୍ରଫୁଲ୍ଲ କର ଫାଉଣ୍ଡେଶନ୍ ପକ୍ଷରୁ ଆୟୋଜିତ, ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିଆରା ସଙ୍ଗୀତ ସନ୍ଧ୍ୟା ‘କମଳ ଦେଶ ରାଜକୁମାର’ ଆୟୋଜିତ ହେବ। ଚଳିତବର୍ଷ ଲାଗି ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ହିନ୍ଦୀ ପ୍ରଚ୍ଛଦପଟ୍ଟ ଗାୟିକା କବିତା କ୍ରିଷ୍ଣାମୂର୍ତ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ଓଡ଼ିଆ ସଙ୍ଗୀତ ଜଗତକୁ କ୍ରିଷ୍ଣାମୂର୍ତ୍ତିଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କ୍ରିଷ୍ଣାମୂର୍ତ୍ତି ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି।
ସମ୍ମାନ ପ୍ରଦାନ ଉତ୍ସବ ପରେ କବିତା କ୍ରିଷ୍ଣମୂର୍ତ୍ତିଙ୍କ ସହ ବମ୍ବେର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ସିଂ ଏବଂ ମହାପ୍ରସାଦ କରଙ୍କ ଦ୍ୱାରା ସ୍ବତନ୍ତ୍ର ସଙ୍ଗୀତ ଆସର ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ସନ୍ଧ୍ୟାରେ ପ୍ରଫୁଲ୍ଲ କରଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀମାନେ ପ୍ରଫୁଲ୍ଲ ସଙ୍ଗୀତ ପରିବେଷଣ କରିବେ। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଚିତ୍ତ ଜେନା, ଦୁଃଖୀଶ୍ୟାମ ତ୍ରିପାଠୀ, ବିଭୁକିଶୋର, ନାଜିଆ, ଛନ୍ଦା ମିଶ୍ର, ଆଦ୍ୟାଶା, ଅନନ୍ୟା ଓ ମହାପ୍ରସାଦ କର ପ୍ରମୁଖ ଦ୍ୱିତୀୟ ଦିନର ଆକର୍ଷଣ ରହିବେ ବୋଲି ଫାଉଣ୍ଡେଶନ୍ର ଅଧ୍ୟକ୍ଷ ଦାଶ ବେନହୁର କହିଛନ୍ତି।