ସର୍ବସ୍ବ ଦାନ


ଆ.ଓ.ରି(ତା୨୨|୫)-

ଗୋଟେ ପୁରୁଣା ମନ୍ଦିର ଅର୍ଦ୍ଧଭଗ୍ନ ଅବସ୍ଥାରେ ଥାଏ । ଦିନେ ବହୁତ ଜୋରରେ ବର୍ଷା ହେଲା ଓ ତୀବ୍ର ବେଗରେ ପବନ ବହିଲା । ମନ୍ଦିରର ଅଧିକାଶଂ ଭାଗ ଭାଙ୍ଗିଯାଇ ଖସି ପଡିଲା । ସେହିଦିନ ଜଣେ ସାଧୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଉକ୍ତ ମନ୍ଦିରରେ ନିଜ ଆସ୍ଥାନ ଜମେଇ ଥାଆନ୍ତି । କିନ୍ତୁ ମନ୍ଦିରର ଅଧିକାଶଂ ଭାଗ ଭାଙ୍ଗିବା ପରେ ବି ସାଧୁଙ୍କର କିଛି କ୍ଷୟକ୍ଷତି ହେଲାନାହିଁ । ପରଦିନ ସକାଳ ହେବା ମାତ୍ରେ ସାଧୁ ନିକଟସ୍ଥ ବଜାରରେ ଚାନ୍ଦା ଆଦାୟ କରିବାରେ ଲାଗିପଡିଲେ ।

ସେ ମନେ ମନେ ଚିନ୍ତାକଲେ ମୋର ଉପସ୍ଥିତି ସମୟରେ ମନ୍ଦିର ଭାଙ୍ଗିଛି, ତେଣୁ ଏହାର ପୁନଃ ମରାମତି କାମ କରିବା ମୋର କର୍ତ୍ତବ୍ୟ ଅଟେ ।

ବଜାରରେ ଥିବା ଦୋକାନୀ ବନ୍ଧୁମାନଙ୍କ ମନରେ ଶ୍ରଦ୍ଧା ଭକ୍ତି ଥିଲା । ସାଧୁ ବିଦ୍ବାନ ଥିଲେ ଓ ସେ ଘର ଘର ଦୋକାନ ଦୋକାନ ବୁଲି ଚାନ୍ଦା ଆଦାୟ କଲେ । ମନ୍ଦିରର ମରାମତି ହୋଇଗଲା । ଭଗବାନଙ୍କ ଏକ ବଡ ମୂର୍ତ୍ତି ତିଆରି କରି ଉତ୍ସବର ପରିବେଶରେ ପୂଜାଅର୍ଚ୍ଚନା କରି ଠାକୁରଙ୍କୁ ସ୍ଥାପନା କରାଗଲା। ଉତ୍ସବରେ ଭଣ୍ଡାରର ଆୟୋଜନ ହେଲା ଓ ସମସ୍ତେ ଆନନ୍ଦ ସହକାରେ ପ୍ରସାଦ ସେବନ କଲେ । ଉତ୍ସବର ପରିସମାପ୍ତି ଦିନ ସଂଧ୍ୟାରେ ଏକ ସଭା ସ୍ଥିର ହୋଇଥାଏ । ସାଧୁ ମହାଶୟ ସଭାରେ ଧନ ଦାତାମାନଙ୍କୁ ଧନ୍ୟବାଦ ଦେବା ପାଇଁ ଦଣ୍ଡାୟମାନ ହେଲେ । ତାଙ୍କ ହାତରେ ଏକ କାଗଜ ଥିଲା ଓ ସେଥିରେ ଦାନୀ ମାନଙ୍କ ଲମ୍ବା ସୂଚି ।

ସାଧୁବାବା କହିଲେ ସବୁଠାରୁ ବଡଦାନୀ ଜଣେ ବୁଢୀମାଆ ଥିଲେ ଓ ସେ ସ୍ବୟଂ ଆସି ଦାନ କରି ଯାଇଥିଲେ ।

ସମସ୍ତ ଉପସ୍ଥିତ ଭକ୍ତଗଣ ଚିନ୍ତା କଲେ ବୁଢୀମାଆ ନିଶ୍ଚିତ ରୁପେ ଲକ୍ଷେ ଦୁଇଲକ୍ଷ ଦାନ ଦେଇଥିବେ । କିନ୍ତୁ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ସାଧୁ ମହାଶୟ କହିଲେ ଯେ ବୁଢୀମାଆ ଏକଟଙ୍କା ଓ କିଛି ଚାଉଳ ଦାନ ଦେଇଛନ୍ତି ।

ସମସ୍ତେ ଭାବିଲେ ସାଧୁ ମହାଶୟ ବୁଢୀର କମ୍ ଦାନ ଦେଖି ଥଟ୍ଟା କରୁଛନ୍ତି, ସାଧୁ ମହାଶୟ ନିଜ କଥା ରଖିଲେ । ବୁଢୀମାଆଟି ର କେହି ନିଜର ବୋଲି ନାହାନ୍ତି, ସେ ପ୍ରତ୍ୟେକଦିନ ଭିକ୍ଷା କରି ନିଜ ପେଟ ପୋଷନ୍ତି । ମୁଣ୍ଡ ଗେଞ୍ଜିବା ପାଇଁ ଚାଳ ଖଣ୍ଡେ ବି ନାହିଁ, ରାସ୍ତାକଡରେ ଖରା ହେଉ କି ବର୍ଷା ସବୁଦିନ ସେଇଠାରେ ପଡିରହନ୍ତି । ଆପଣମାନଙ୍କ ପାଖରେ ଅଜଶ୍ର ଧନ ସମ୍ପତ୍ତି ଅଛି, ତଥାପି ଆପଣମାନଙ୍କ ନିକଟରୁ ମୁଁ ମାଗି ଯାଚି ଚାନ୍ଦା ଆଦାୟ କଲି । ଆପଣମାନେ ଯାହା ଦାନ କଲେ ତାହା ପୁଣି ନିଜ ବଳକା ଧନରୁ କରିଥିଲେ । କିନ୍ତୁ ବୁଢୀମାଆଟି ଦିନ ତମାମ ଭିକ୍ଷା ମାଗିବା ପରେ ଯେଉଁ ଏକଟଙ୍କା ଉପାର୍ଜନ କରି ପାରିଥିଲା, ସେହି ଟଙ୍କାଟି ନିଜ ଭୋକିଲା ପେଟରେ ଓଦାକନା ପକାଇ ଭଗବାନଙ୍କୁ ସମର୍ପି ଦେଇଥିଲା । ସର୍ବଶ୍ବ ଦାନ କରିଥିବା ସେ ଶ୍ରଦ୍ଧାଳୁ ମାତାଙ୍କୁ ମୁଁ ଶତ ଶତ ପ୍ରଣାମ କରୁଛି ।

ସମସ୍ତ ଦାତାଗଣ ଓ ଭକ୍ତବନ୍ଧୁମାନେ ବୁଢୀମାଆର ସର୍ବଶ୍ବ ଦାନ ନିକଟରେ ମଥା ନୁଆଁଇଲେ । ପ୍ରକୃତରେ ବୁଢୀମାଆ ଦେଇଥିବା ସର୍ବଶ୍ବ ଦାନ ସବୁଠାରୁ ବଡଦାନ ଥିଲା ।