April 19, 2024

୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳିଲା ପିଏମ୍ କିସାନ ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ

1 min read

ଆଓରି-ନୂଆଦିଲ୍ଲୀ(୧୬/୦୬) : ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି, ପିଏମ୍‍-କିସାନ ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଦେଶର ୩,୧୦,୭୭,୪୪୪ଜଣ ହିତାଧିକାରୀଙ୍କୁ ମିଳି ସାରିଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।
ମଙ୍ଗଳବାର ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ଶ୍ରୀ ତୋମାର କହିଛନ୍ତି ଯେ, ଏ ବାବଦରେ ହିତାଧିକାରୀମାନଙ୍କୁ ଚଳିତ ମାସ ୫ ତାରିଖ ସୁଦ୍ଧା ୭,୨୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପିଏମ୍‍-କିସାନ ଯୋଜନାର ପ୍ରଥମ କିସ୍ତି ଭାବେ ପ୍ରାୟ ୭,୧୨୧ କୋଟି ଟଙ୍କା ୩, ୫୬, ୦୩, ୩୪୪ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ସାରିଛି।

ପୂର୍ବରୁ ପିଏମ୍‍-କିସାନ ଯୋଜନାରେ ୨ ଏକର ପର୍ଯ୍ୟନ୍ତ ଚାଷ ଜମିଥିବା କୃଷକଙ୍କୁ ସିଧା ସଳଖ ଆୟ ସହାୟତା ପାଇଁ ବର୍ଷକୁ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତି ପର୍ଯ୍ୟାୟରେ ଏହି ମହତ୍ୱାକାଂକ୍ଷୀ ଯୋଜନାରେ ଯେତେ ଚାଷଜମି ଥିଲେ ମଧ୍ୟ ଦେଶର ସମସ୍ତ କୃଷକଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି । ସେ କହିଛନ୍ତି ଏହି ଯୋଜନାକୁ ସମ୍ପ୍ରସାରିତ କରିବା ଦ୍ୱାରା ୨୦୧୯-୨୦ ଆର୍ଥିକ ବର୍ଷରେ ଯୋଜନାର ସଂଶୋଧିତ ଆନୁମାନିକ ବ୍ୟୟ ଅଟକଳ ୮୭,୨୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି ଦେଶର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପେନସନ୍‍ ପ୍ରଦାନ ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବା ଶ୍ରୀ ତୋମାର କହିଛନ୍ତି । ଏହି ଯୋଜନାରେ ୬୦ ବର୍ଷ ବୟସର କୃଷକମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଁଏ ସ୍ଥାୟୀ ପେନସନ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.