April 19, 2024

ନବୀନ ନିବାସ ଘେରାଉ ସମୟରେ ପୁଲିସ ଓ ବିଜେପି ମହିଳା କର୍ମୀ ଧସ୍ତାଧସ୍ତି

1 min read
Naveen-Niwas-Gherao-By-BJP-Mahila-Morcha

ଆଓରି-ଭୁବନେଶ୍ଵର(୦୨/୦୧) : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ପରେ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ମହିଳାମୋର୍ଚ୍ଚାର ସଦସ୍ୟମାନେ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳକୁ ପୁଲିସ ମହିଳା କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା କର୍ମୀ ଧସ୍ତାଧସ୍ତି ହୋଇଥିଲେ । ପ୍ରାୟ ୨୦ରୁ ଅଧିକ ବିଜେପି ମହିଳା କର୍ମୀଙ୍କୁ ପୁଲିସ ଅଟକ ରଖିଛି ।

ଗତକାଲି ମଧ୍ୟ ନବୀନ ନିବାସ ଘେରାଉ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ଏହା ପୂର୍ବରୁ ସିବିଆଇ ତଦନ୍ତ ଦାବି ଓ ମହାରଥୀଙ୍କ ଇସ୍ତଫା ଦାବି କରି କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିଥିଲେ ମହିଳା କର୍ମୀ । ପିପିଲିର ବେବିନା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଖସିଯିବା ଘଟଣାରେ ବିଜେପି ତା’ର ଆନ୍ଦୋଳନ ଜାରି ରଖିଛି। ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ ପରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି।

ମହାରଥୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ଘଟଣାର ସିବିଆଇ ତଦନ୍ତ ଦାବି ସହ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ଦଳ ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୨୫ କିଲୋମିଟର ଦୂରରେ ଘଟିଥିବା ଏହି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ରାଜ୍ୟ ସରକାର  ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନ କରି ଖସାଇ ଦେଇଛନ୍ତି । ବିଧାନସଭା ଓ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଥିଲେ କି ନାହିଁ ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା । ଜଣେ ମନ୍ତ୍ରୀ ଯେପରି ଭାବେ ମନ୍ତବ୍ୟ ଦେଇଛନ୍ତି ଏହା ସମ୍ପୂର୍ଣ ଭାବେ ସମ୍ବେଦନହୀନ ।

ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନ ଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.