April 19, 2024

ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ପାଇଁ ମଜଭୁତ ସରକାରର ଆବଶ୍ୟକତା ରହିଛି ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୫/୦୩) : ବରଗଡ ଏଥର ଓଡିଶା ନିର୍ବାଚନର ଏକ ପ୍ରମୁଖ ଋଣକ୍ଷେତ୍ର ହେବ । ବିଗତ ୧୯ ବର୍ଷରେ ଚାଷୀ ମାନଙ୍କ ସବୁଠୁ ଉତ୍ପୀଡନ ବରଗଡ ଅଂଚଳର ଚାଷୀମାନେ ହୋଇଛନ୍ତି । ଏହି ଜିଲ୍ଲାରେ ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବି ବିକ୍ରି, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଦୁର୍ନୀତିର ଗନ୍ତାଘର ବରଗଡ ପାଲଟିଛି । ଗତ ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାର ଉତ୍ତର ଦେବାର ମଧ୍ୟ ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଓଡିଆ ଲୋକମାନେ ହରେଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ବରଗଡରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ ଜିଲ୍ଲା ଏଥର ଓଡିଶା ରାଜନୀତିର ଏକ ବହୁଚର୍ଚ୍ଚିତ ନିର୍ବାଚନ ସାମ୍ନା କରିବାକୁ ଯାଉଛି । ଆଜି ବରଗଡ ଲୋକସଭାର ପ୍ରାର୍ଥୀପତ୍ର ଭାରତୀୟ ଜନତା ପାର୍ଟି ତରଫରୁ ଦାଖଲ କରାଗଲା । ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବରଗଡ, ଅତାବିରା ଓ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡର ଲୋକସଭା ଏବଂ ଏହାର ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାଟିକୁ ବହୁତ ଭୋଟରେ ଜନ ଆଶୀର୍ବାଦ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅତୁଟ ବିଶ୍ୱାସ ବରଗଡ ଜିଲ୍ଲାବାସୀଙ୍କ ଉପରେ ଅଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ସ୍ଥାଣୁତା, ସମ୍ବେଦନହୀନତା ହିଁ ପ୍ରଶ୍ନ । ଏହା ଉପରେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଗୋଟେ ନୂଆ ସୁଆଙ୍ଗ ରଚେଇଛନ୍ତି । ଭାରତବର୍ଷରେ ଏକ ଅସ୍ଥିର ସରକାର, ନିର୍ଣ୍ଣାୟକ ସରକାର ନହେଉ ବୋଲି ରାହୁଲ ଗାନ୍ଧି, ମାୟାବତୀ, ଚନ୍ଦ୍ରବାବୁ ନାୟୁଡୁ, ମମତା ବାନାର୍ଜୀ ଏକ ମଜବୁର ସରକାରର ଉପଲବ୍ଧି କରିଛନ୍ତି । ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କ୍ଲବରେ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି ।

ପାକିସ୍ତାନ ସହ ଲଢେଇ, ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ପାଇଁ ମଜଭୁତ ସରକାରର ଆବଶ୍ୟକତା ରହିଛି । ସେହିପରି ଗରିବ ଲୋକମାନଙ୍କୁ ମଧ୍ୟବିତ ପରିବାରରେ ପରିବର୍ତ୍ତନ କରିବା ପାଇଁ ନିର୍ଣ୍ଣାୟକ ସରକାର ଦରକାର । ଯାହା ନରେନ୍ଦ୍ର ମୋଦିଙ୍କ ନାଁରେ ଦେଶ ଆଜି ଆଶ୍ୱସ୍ତ ହୋଇଛି । ସମସ୍ତେ ଆଜି ନରେନ୍ଦ୍ର ମୋଦିଙ୍କୁ ନିର୍ଣ୍ଣାୟକ ସରକାରରୁ ବଞ୍ଚିତ କରିବା ପାଇଁ ଅପଚେଷ୍ଟା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.