Mon. May 20th, 2019

ଦିଲ୍ଲୀରେ ଗିରଫ ହେଲା କୁଖ୍ୟାତ ଓଡିଆ ଲସ୍କର ଆତଙ୍କବାଦୀ ହବିବୁର ରେହମାନ୍‌କୁ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୭/୮) : ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ହବିବୁର ରେହମାନ୍‌ ଓରଫ୍‌ ହବିବ୍‌କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ଯୋଜନା ମୁତାବକ ସାଉଦି ଆରବ ସରକାର ପକ୍ଷରୁ ହବିବ୍‌କୁ ଆଜି ପ୍ରତ୍ୟର୍ପଣ କରାଯାଇଥିଲା। ଏକ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ତାକୁ ଗିରଫ କରାଯାଇଛି। ଏ ନେଇ ଏନ୍‌ଆଇଏ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ତାକୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବ।

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ହବିବ୍‌ ଲସ୍କର ଆତଙ୍କବାଦୀ ଶୈଖ୍‌ ଅବ୍‌ଦୁଲ୍‌ ନଇମ୍‌ର ସହଯୋଗୀ ଥିଲା। ନଇମ୍‌କୁ ସେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟରେ ସହାୟତା କରୁଥିଲା। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ନଇମ୍‌ ଏକଦା ତା’ର କେତେକ ସାଥୀଙ୍କୁ ଦେଶ ମଧ୍ୟରେ ପ୍ରବେଶ କରିବା ଲାଗି ଉଦ୍ୟମ କରିଥିଲା ଏବଂ ଭାରତରେ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ଲାଗି ନଇମ୍‌ ଓ ହବିବ୍‌ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଥିଲେ।। କିନ୍ତୁ ତା’ର ଏହି ଉଦ୍ୟମ ସଫଳ ହୋଇନଥିଲା। ବରଂ, ୨୦୦୭ ମସିହାରେ ସେ ଗିରଫ ହୋଇଥିଲା। ଏହାପରେ ୨୦୧୪ ମସିହାରେ ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଏଥିରେ ନଇମ୍‌କୁ ସହଯୋଗ କରିଥିଲା ହବିବ୍‌।

ସୂଚନା ଅନୁସାରେ, ପାକିସ୍ତାନରେ ନିୟୋଜିତ ଲସ୍କର କମାଣ୍ଡର ଅମ୍‌ଜାଦ୍‌ୟର ନିର୍ଦ୍ଦେଶକ୍ରମେ ହବିବ୍‌ ଏହି କାର୍ଯ୍ୟ କରୁଥିଲା। ଦେଶ ମଧ୍ୟରେ କେଉଁ ସ୍ଥାନରେ ବିସ୍ଫୋରଣ ଘଟାଗଲେ ଗୁରୁତର କ୍ଷତି ସାଧନ ହେବ, ସେଥିପାଇଁ ନଇମ୍‌ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିରେ ଲାଗିଥିଲା। ଏଥିରେ ବି ହବିବ୍‌ ତାକୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା। ହବିବ୍‌ ସହାୟତାରେ ନଇମ୍‌ ନକଲି ପରିଚୟପତ୍ର ହାସଲ କରି ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ଯାଇଥିଲା। ଏଭଳି କାର୍ଯ୍ୟକଳାପ ଯୋଗୁ ଏନ୍‌ଆଇଏ ଚାର୍ଜସିଟ୍‌ରେ ହବିବ୍‌ ଓ ନଇମ୍‌ ନାମ ସ୍ଥାନ ପାଇଥିଲା। ତେବେ ହବିବ୍‌ ସାଉଦି ଆରବ ରାଜଧାନୀ ରିୟାଦରେ ରହୁଥିଲା। ଶେଷରେ, ହବିବ୍‌କୁ ଏନ୍‌ଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଖୁବ୍‌ଶୀଘ୍ର ତାକୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.