ସୁରତ ଠାରେ ଓଡିଆ ସମାଜ ଦ୍ଵାରା ଆୟୋଜିତ ଓଡିଶା ପର୍ବ ଉଦ୍‌ଯାପିତ


ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୪/୯) : ଗୁଜୁରାଟ ସୁରତ ଠାରେ ବହୁ ଉତ୍ସାହର ସହିତ ଓଡିଶା ପର୍ବ କାର୍ଯ୍ୟକ୍ରମ ଗତ କାଲି ଉଦ୍‌ଯାପିତ ହୋଇଯାଇଛି। ସେପ୍ଟେମ୍ବର ୨-୩ରେ ସୁରତ ଅନ୍ତରାଷ୍ଟ୍ରୀୟ ପ୍ରଦର୍ଶନୀ  ଶରାସନ ଠାରେ ଦିଲ୍ଲୀସ୍ଥିତ ଅଗ୍ରଣୀ ବେସରକାରୀ ସଂସ୍ଥା ଓଡିଆ ସମାଜ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍‌  ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଲେ, ଓଡ଼ିଆମାନେ ହିଁ ସୁରତକୁ ବନାଇଛନ୍ତି। ଆଜି ତାରିଖରେ ଓଡ଼ିଆ ଯୁବକମାନେ ମୁମ୍ବାଇ, ଦିଲ୍ଲୀ ଛାଡ଼ିଦେଲେ ବଡ଼ବଡ଼ିଆଙ୍କ ଘରେ ପାଣି ଓ ବିଜୁଳି ବନ୍ଦ ହୋଇଯିବ। ଓଡ଼ିଶାର କୋଇଲା ଉତ୍ପାଦନ ନ ହେଲେ ଅଧା ଦେଶ ଅନ୍ଧାରରେ ରହିଯିବ। ଓଡ଼ିଶା ସବୁକ୍ଷେତ୍ରରେ ପୃଥିବୀର ଅନନ୍ୟ ପେଣ୍ଠସ୍ଥଳ ହେବାକୁ ସୁଯୋଗ ରହିଛି। ଓଡ଼ିଆ ଯୁବକ ଯୁବତୀମାନଙ୍କୁ ଏବେ ମାଲିକ ହେବାର ସମୟ ଆସିଛି। ତେଣୁ ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ନୂଆ କରି ଗଢ଼ିବାକୁ ସଂକଳ୍ପ ନେବାକୁ ସେ ଆହ୍ଵାନ ଦେଇଥିଲେ। ଓଡ଼ିଶାରୁ ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇ ଲୋକଙ୍କ ମନୋରଞ୍ଜନ କରିବା ସହ ଓଡ଼ିଶାର କଳା, ସଂସ୍କୃତିର ଗାରିମା ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚିତ୍ର ଜଗତ ତଥା ଭାରତୀୟ ଜନତା ପାର୍ଟିର ସଦସ୍ୟ ଶ୍ରୀ ମିହିର ଦାଶ, ଶ୍ରୀ ଶ୍ରୀତମ ଦାଶ, ଶ୍ରୀମତୀ ଅପରାଜିତା ମହାନ୍ତି ଆଦି ପ୍ରମୁଖ କଳାକାର ଯୋଗଦେବା ସହିତ ଓଡିଶା ବାହାରେ ଓଡିଆ କଳା ସଂସ୍କୃତିର ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦,୦୦୦ରୁ ଊର୍ଦ୍ଧ୍ଵ ଓଡିଆ ମାନେ ଯୋଗଦେଇଥିଲେ। ସେମାନଙ୍କୁ ଭରପୁର ଆନନ୍ଦ ଯୋଗାଇ ଦେବାପାଇଁ ବହୁ ସୁନାମଧନ୍ୟ ଗାୟକ ଦ୍ଵାରା ମଧ୍ୟ ସଙ୍ଗୀତ ପରିବେଷଣ କରଯାଇଥିଲା। ଦର୍ଶକମାନଙ୍କୁ ନିୟୋଜିତ ରଖିବା ପାଇଁ ଓଡିଶାର ସୁଶ୍ଵାଦୁ ଖାଦ୍ୟ ତଥା କଟକ ଦହିବରା ଆଲୁଦମ, ବାରିପଦା ମୁଢି ମାଂସ, ପାହାଳ ରସଗୋଲା ଆଦି ଅନେକ ଖାଦ୍ୟର ଆୟୋଜନ ସହିତ ସମ୍ବଲପୁରୀ ନୃତ୍ୟ , ଛଉ ନୃତ୍ୟ ଏବଂ ବ୍ରହ୍ମପୁରରୁ ଶଙ୍ଖ ବଜାଳି ଦଳ ମାନେ ଯୋଗଦେଇଥିଲେ |

ଉଲ୍ଲେଖଯୋଗ୍ଯ ଓଡିଆ ସମାଜ ଏହା ପୂର୍ବରୁ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ଠାରେ ଓଡିଆ ପର୍ବ ୨୦୧୭ ଓ ୨୦୧୮ ରେ ତିନିଦିନ ବ୍ୟାପୀ ବହୁ ଧୂମଧାମରେ ଆୟୋଜନ କରାଇଥିଲା | ଓଡିଆ ସମାଜ ଓଡିଶାର ବିକାଶ ତଥା ମୂଳ ଗୌରବକୁ ଅକ୍ଷୁର୍ଣ ରଖିବା ପାଇଁ ସବୁବେଳେ ଚିନ୍ତିତ ଏବଂ କାର୍ଯ୍ୟରତ |