Wed. Jul 17th, 2019

ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

1 min read
Chakradhar-Sahoo-Passed-Away-Aajira-Odisha

ଆଓରି-ଭୁବନେଶ୍ଵର(୦୬/୦୨) : ଓଲିଉଡ ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ । ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ ଚକ୍ରଧର ସାହୁ । ଯେଉଁ ରୋଗରେ ଆକ୍ରାନ୍ତ ଥାଇ ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି ।  ସେ ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରିଚର୍ଚ୍ଚିତ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ଚକ୍ରଧର ସାହୁଙ୍କ ପରଲୋକରେ ସିନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଅସୁସ୍ଥତା ହେତୁ ସେ ଗତ ୧୫ ଦିନ ଧରି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୫ଟା ୪୫ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ସେ କିଛି ଦିନ ମୁମ୍ବାଇରେ କାର୍ଯ୍ୟ କରିବା ପରେ ଓଡ଼ିଶା ଆସିଥିଲେ । ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ଶ୍ୟାମ ବୋନଗାଲଙ୍କ ସହକାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢ଼ିବାବେଳେ ରାଜକୁମାର ହୀରାନୀ, ସଞ୍ଜୟ ଲୀଳା ଭଂସାଲିଙ୍କ ପରି ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କର ସହପାଠୀ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଛି ଓ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.