April 25, 2024

ଯୁଦ୍ଧକୁ ମୁହାଁ ହୋଇଛି ପାକ୍‌  ; ଏଲଓସି ନିକଟରେ ମୁତୟନ କଲା ୨୦୦୦ରୁ ଅଧିକ ସୈନିକ

1 min read

ଆଓରି-ନୂଆଦିଲ୍ଲୀ(୦୫/୦୯) : କାଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ବେଇଜତ୍‌ ହେବାପରେ ଏବେ ପାକ୍‌ ଯୁଦ୍ଧର ଢୋଲ ବଜାଉଛି । ପରମାଣୁ ଯୁଦ୍ଧର ଫମ୍ପା ଧମକ୍‌ ଦେବାପରେ ଏବେ ନୂଆ ଷଡଯନ୍ତ୍ର ଆରମ୍ଭ କରିଦେଇଛି ପାକିସ୍ତାନ । ସୀମାର ସଟେବାଘ ଓ କୋଟଲୀ ସେକ୍ଟରରେ ସେନା ମୁତୟନ କରିଛି ପାକିସ୍ତାନ । ଏଥିରେ ୨୦୦୦ରୁ ଅଧିକ ସୈନିକ ଅଛନ୍ତି । ତେବେ ଏହି ସ୍ଥାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ  ଅବସ୍ଥିତ ।  ଭାରତୀୟ ସେନାଙ୍କ ସୂଚନାଅନୁଯାୟୀ, ପାକ୍‌ର ସୈନିକମାନେ ଏଲଓସିର   ୩୦କିମି ପରିସର ମଧ୍ୟରେ ମୁତୟନ ଅଛନ୍ତି । ଭାରତୀୟ ସେନା ପାକିସ୍ତାନ ସୈନିକ ମାନଙ୍କ ଉପରେ ତିକ୍ଷଣ ନଜର ରଖିଛନ୍ତି ।  ତେବେ ସୀମାରେ ପାକିସ୍ତାନର ଷଡ଼ଯନ୍ତ୍ରକୁ କଡ଼ା ଯବାବ ଦେବାକୁ ସେନା ତଥା ସୁରକ୍ଷା ଏଜେନ୍ସି ଗୁଡ଼ିକ ଆଲର୍ଟ  ରହିଛନ୍ତି ।

ପାକ୍‌ ଭାରତରେ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛି । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପଡୋଶୀ ଦେଶ ଏଲଓସିରେ ୧୦୦ ଜଣ ଯବାନ ମୁତୟନ କରିଥିଲା । ଏଥିରୁ ସ୍ପଷ୍ଟ ହେଉଛି ଭାରତ ବିରୋଧରେ କିଛି ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି ପାକିସ୍ତାନ । ସୀମାରେ ମୁତୟନ ସେନା ଭାରତରେ ଅନୁପ୍ରବେଶ ଉଦ୍ୟମ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିପାରନ୍ତି ବୋଲି ଗୁପ୍ତ ସୂଚନା ମିଳିଛି । ସୂଚନାଯୋଗ୍ୟ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଠିବା ପରେ ପାକିସ୍ତାନ ପୁରା ବିବ୍ରତ ହୋଇପଡିଛି । ଭାରତ ସହିତ ସବୁ ସମ୍ପର୍କ ଛିନ୍ନ କରି ଏବେ ଯୁଦ୍ଧକୁ ମୁହାଁ ହୋଇଛି ପାକ୍‌ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.