Thu. Jun 20th, 2019

ଆସନ୍ତା କାଲି ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦୀ

1 min read
PM-Narendra-Modi-will-start-Varun-Mitra-Yojna-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୧) : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଓଡ଼ିଶା ପାଇଁ ପାଖାପଖି ୪ହଜାର ୫ଶହ କୋଟି ଟଙ୍କାର ଉପହାର ଦେବେ ବୋଲି ଜଣାପଡ଼ିଛି । ତେବେ ପୂର୍ବରୁ ଡିସେମ୍ବର୨୪ରେ ମୋଦି ଖୋର୍ଦ୍ଧା ଆସିଥିଲେ ଏବଂ ଅନେକ ତୋଫା ଓଡ଼ିଶାକୁ ଦେଇଥିଲେ । କିନ୍ତୁ ଗତ ସାମାବେଶରେ ମୋଦିଙ୍କ ଭାଷଣରେ ଅନେକ ପରିବର୍ତ୍ତନ ଦେଖାଦେଇଥିଲା । ସେ ଯେଉଁ ଆକ୍ରମଣାତ୍ମକ ଢଙ୍ଗରେ ଭାଷଣ ଦିଅନ୍ତି ସେହିଭଳି ତାଙ୍କୁ ଦେଖିବାକୁ ମିଳିନଥିଲା । ରାଜ୍ୟ ସରକାରଙ୍କୁ ସେ ସିଧାସଳଖ ସମାଲୋଚନା ନକରି ପରୋକ୍ଷରେ କରିଥିଲେ । ତେଣୁ ଆସନ୍ତାକାଲି ବାରିପଦା ସମାବେଶରେ ମୋଦି ବିରୋଧୀଙ୍କ ଉପରେ ବର୍ଷିବେ ବୋଲି ଆଶା କରାଯାଉଛି । କାରଣ ମୋଦିଙ୍କ ଭାଷଣ ଆସନ୍ତା ନିର୍ବାଚନ ଲଢେଇ ପାଇଁ ଦଳୀୟ କର୍ମୀଙ୍କୁ ଇନ୍ଧନ ଯୋଗାଇବ । ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ଆସନ୍ତା କାଲି ତାଙ୍କ ଭାଷଣରୁ ହିଁ ଜଣାପଡ଼ିବ । ତେବେ ପ୍ରଥମେ ଏକ ସରକାରୀ କାର୍ଯ୍ୟକ୍ରମରେ ମୋଦି ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ପରେ ଏକ ସାଧାରଣ ସଭାରେ ବିଶାଳ ଜନସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବାରିପଦା ଗସ୍ତରେ ଆସି ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେଇ ଆସୁଛନ୍ତି ଆଉ ଏକ ଉପହାର । କେନ୍ଦ୍ର ସରକାରଙ୍କ ପ୍ରାୟ ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଜନକଲ୍ୟାଣ ଦିଗରେ ଉତ୍ସର୍ଗ କରିବେ । ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି । ଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପମାନ ଉଦ୍‌ଘାଟାନ ଏବଂ ଶିଳାନ୍ୟାସ କରିବେ । ଭାରତ ସରକାରଙ୍କ ହାଇଓ୍ୱେ ଆଣ୍ଡ୍ ଟ୍ରାନ୍ସପୋର୍ଟ, ପେଟ୍ରୋଲିୟମ୍ ଆଣ୍ଡ୍ ନାଚୁରାଲ ଗ୍ୟାସ୍, ରେଳବାଇ, ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସର୍ବମୋଟ ୪୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ବାରିପଦାରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ବାସ୍କେଟ୍ ଜନକଲ୍ୟାଣ ନିମନ୍ତେ କଣ ସବୁ ରହିଛି, ଆସନ୍ତୁ ନଜର ପକାଇବା…

୮୨୮.୩୬ କୋଟି ଟଙ୍କା ବ୍ୟୟରେ ୪ଲେନ୍ ବିଶିଷ୍ଟ ୪୩.୨ କି.ମି ଦୀର୍ଘ ରିମୁଳି-କୋଇଡ଼ା ସେକ୍ସନ ଏନଏଚ୍-୨୧୫, ୧,୩୧୩ କୋଟି ବ୍ୟୟରେ ୪ଲେନ୍ ବିଶିଷ୍ଟ ୧୦୪ କି.ମି ଦୀର୍ଘ ସିଙ୍ଗଡ଼ା-ବିଂଝବାହାଳ ସେକ୍ସନ ଏନଏଚ୍-୬, ୧୧୭୬.୪ କୋଟି ବ୍ୟୟରେ ୪ ଲେନ୍ ବିଶିଷ୍ଟ ୫୩.୨ କି.ମି ଦୀର୍ଘ କୋଇଡ଼ା-ରଜାମୁଣ୍ଡା ଏନଏଚ୍ ୨୧୫ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପାରାଦୀପ-ହଳଦିଆ-ଦୂର୍ଗାପୁର ଏଲପିଜି ପାଇପଲାଇନ୍ ଅନ୍ତର୍ଗତ ଆଇଓସିଏଲର ବାଲେଶ୍ୱର-ଦୁର୍ଗାପୁର ସେକ୍ସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଚିଲ୍ଲିକିଦରା-ସଗଡ଼ପଟା ଏବଂ ନାରଣପୁର –ବସନ୍ତପୁର ରେଳ ଲାଇନର ଦୋହରୀକରଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।ବାଲେଶ୍ୱରସ୍ଥିତ ମଲ୍ଟି ମଡେଲ ଲଜିଷ୍ଟିକ୍ସ ପାର୍କକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ଟାଟାନଗରରୁ ବାଦାମପାହାଡ଼ ପର‌୍ୟ୍ୟନ୍ତ ୨ୟ ଯାତ୍ରୀବାହୀ ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୟୁରଭଞ୍ଜ ହରିପୁରଗଡ଼ସ୍ଥିତ ପ୍ରାଚୀନ ଦୁର୍ଗ ଏବଂ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର‌୍ୟ୍ୟର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆସ୍କା,ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରସ୍ଥିତ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରମାନଙ୍କର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.