Sun. Jul 12th, 2020

ରାଏବରେଲି ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ

1 min read
PM-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୧୨) : ବିଧାନସଭା ନିର୍ବାଚନ ଫଳାଫଳ ପରେ ଆଜି (ରବିବାର) ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଉତ୍ତରପ୍ରଦେଶର ରାଏବରେଲିରେ ପହଞ୍ଚିଛନ୍ତି । ରାଏବରେଲି ପରେ ପ୍ରଧାନମନ୍ତ୍ରୀ ପ୍ରୟାଗ୍‌ରାଜ ଯିବେ ବୋଲି ସୂଚନା ରହିଛି ।

ପୂର୍ବାହ୍ନ ୧୦ଟାରେ ମୋଦି ଲକ୍ଷ୍ନୌରେ ପହଞ୍ଚିଥିଲେ । ସେଠାରୁ ରାଜ୍ୟପାଳ ରାମ ନାଇକ୍‌ ଓ ସିଏମ୍‌ ଯୋଗୀ ଆଦିତ୍ୟନାଥ ତାଙ୍କୁ ପାଛୋଟି ନେଇଛନ୍ତି । ଏହା ପରେ ମୋଦି ରାଏବରେଲି ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ ରାଏବରେଲି ଯାଇଛନ୍ତି । ରାଏବରେଲି ହେଉଛି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳି । ସେଠାରେ ପ୍ରଧାନମନ୍ତ୍ରୀ ୧୧୦୦ କୋଟି ଟଙ୍କାର ଏକ ଯୋଜନାର ଲୋକର୍ପଣ କରିବେ ।

ରାଏବରେଲିରେ ପିଏମ୍‌ ମୋଦି ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି ବୁଲି ଦେଖିଛନ୍ତି । ତାଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ପୀଉଷ ଗୋଏଲ, ରାଜ୍ୟପାଳ ରାମ ନାଇକ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ବେଟେରୀ କାର୍‌ରେ ବସି ପୁରା ରେଳ କୋଚ୍‌ ଫ୍ୟାକ୍ଟ୍ରି ବୁଲି ନିରିକ୍ଷଣ କରିଛନ୍ତି ।

ରାଏବରେଲିରେ ପିଏମ୍‌ ମୋଦି ଆଧୁନିକ ରେଳ କୋଚ କାରଖାନା ଓ ୫୫୮ କୋଟି ଟଙ୍କାରେ ନିର୍ମିତ ରାଏବରେଲି-ବାନ୍ଦା ହାଇଓ୍ୱେର ଲୋକାର୍ପଣ କରିବେ । ହମସଫର ରେଳ କୋଚକୁ ସବୁଜ ପତାକା ଦେଖାଇ ଏହି ପ୍ରକଳ୍ପକୁ ମୋଦି ଆରମ୍ଭ କରିବେ । ଏହା ମେକ୍‌ ଇନ୍‌ ଇଣ୍ଡିଆର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । କୁହାଯାଉଛି କି ଏହି ମଡର୍ଣ୍ଣ ରେଳ କୋଚ୍‌ ଫ୍ୟାକ୍ଟ୍ରିରେ ବୁଲେଟ୍‌ ଟ୍ରେନ୍‌ ଓ ମେଟ୍ରୋ ଟୋନ୍‌ର ଡବ୍ବା ମଧ୍ୟ ନିର୍ମାଣ କରାଯିବ । ଏହା ପରେ ମୋଦି ଲାଲଗଞ୍ଜରେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ପରେ ପ୍ରୟାଗ୍‌ରାଜ ଅଭିମୁଖେ ବାହାରି ସେଠାରେ ୩୫୦୦ କୋଟି ଟଙ୍କାର ଯୋଜନାର ଲୋକାର୍ପଣ କରିବେ । ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଓ ସିଭିଲ୍‌ ଏୟାରପୋର୍ଟ ଟର୍ମିନାଲର ଉଦ୍‌ଘାଟନ କରିବେ । ଅପରାହ୍ନ ୧ଟାରେ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ ମୋଦି । ଅପରାହ୍ନ ୩ଟାରେ ଝାନ୍ସିରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published. Required fields are marked *