ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୭) : ଦେଶରେ ଅଣାୟତ ହେଉଛି କୋରୋନା ସ୍ଥିତି । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରନ୍ତଙ୍କ ସଂଖ୍ୟା । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅନେକ ମେଟ୍ରୋ ସିଟିରେ ହାଲ୍ ବେହାଲ୍ । ଦେଶରେ କୋରୋନା ମୁକାବିଲା ନେଇ ଆଜି ଏକ ଜରୁରୀ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଏନଆଇଟି ଆୟୋଗର ସଦସ୍ୟ, କ୍ୟାବିନେଟ ସଚିବ ଏବଂ କେନ୍ଦ୍ର ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ବୈଠକରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘ଏନସିଆରରେ ବଢୁଥିବା ସଂକ୍ରମଣ ମାମଲାକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ଏମିତି ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍। ବର୍ତ୍ତମାନ ଦିଲ୍ଲୀରେ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ମାମଲା ରହିଛି, କିନ୍ତୁ ଆଶ୍ୱସ୍ତିର ଖବର ଏହା ଯେ ଦେଶର ରାଜଧାନୀରେ ସୁସ୍ଥ ହାର ୭୭ପ୍ରତିଶତ ରହିଛି ।
ସେପଟେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ୮ ଲକ୍ଷ ୨୩ ହଜାର ୪୭୧ରେ ପହଞ୍ଚିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୭ ହଜାର ୭୬୧ ରୋଗୀ ନୂଆ ସଂକ୍ରମଣ ଚିହ୍ନଟ ହେବା ସହ ୫୧୯ ଲୋକ ପ୍ରାଣ ହରାଇଛନ୍ତି । ଏଥିସହିତ ୨୦ ହଜାର ୨୪୬ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ରୋଗୀ ରହିଥିବା ବେଳେ ୫ ଲକ୍ଷ ୧୫ ହଜାର ୩୮୬ଲୋକ ସୁସ୍ଥ ହୋଇଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ ହଜାର ୧୨୩ ଜଣଙ୍କ ମୃତ୍ୟୁ ଘଟିଛି।