April 20, 2024

ସଲ୍‌ମାନ୍‌ ଖାନ୍‌ଙ୍କୁ ଜାମିନ ମିଳିଛି

1 min read

ଆଜିର ଓଡିଶା (ତା୭|୪)-କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ସଲ୍‌ମାନ୍‌ ଖାନ୍‌ଙ୍କୁ ଜାମିନ ମିଳିଛି । ଏହି ରାୟ ସଲୁ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଯେତିକି ଖୁସି ଆଣିଛି, ପ୍ରଯୋଜକ ଓ ବିଜ୍ଞାପନ ସଂସ୍ଥାଙ୍କ ପାଇଁ ତା’ଠାରୁ ଅଧିକ ଆଶ୍ୱସ୍ତି ଆଣିଛି । ଜୁନ୍‌ ୧୫ରେ ସଲ୍‌ମନ୍‌ଙ୍କ ରେସ୍‌ ୩ ରିଲିଜ୍‌ କରିବାକୁ ପ୍ରଯୋଜନା ସଂସ୍ଥା ଯୋଜନା କରିଛି । ସଲୁଙ୍କୁ ଜାମିନ୍‌ ମଞ୍ଜୁର ହୋଇ ନ ଥିଲେ ରେସ୍‌ ୩ର ରିଲିଜ୍‌ ଅନ୍ତତଃ ୫ବର୍ଷ ବିଳମ୍ବିତ ହୋଇଥାନ୍ତା । ହୁଏତ ପ୍ରଯୋଜନା ସଂସ୍ଥା ଫିଲ୍ମର ଷ୍ଟାରକାଷ୍ଟ ବଦଳାଇ ଦେଇଥାନ୍ତେ । କିନ୍ତୁ ରିଲିଜ୍‌ ପରେ ବକ୍ସ ଅଫିସ୍‌ ଉପରେ ତାର ଗୁରୁତର ପ୍ରଭାବ ପଡ଼ିଥାନ୍ତା । ସଲମନଙ୍କ ଅଭିନୀତ ବିଗତ ଦିନର ଫିଲ୍ମର ବକ୍ସ ଅଫିସ କଲେକସନ୍‌ ବା ବ୍ୟବସାୟ ପରିମାଣ ସହିତ ଅନ୍ୟାନ୍ୟ ଷ୍ଟାରକାଷ୍ଟ ଫିଲ୍ମ(କେବଳ ଅମିର ଓ ଶାହରୁଖଙ୍କୁ ବାଦ୍‌ ଦେଲେ)ର ବ୍ୟବସାୟକୁ ତୁଳନା କଲେ ସଲମନଙ୍କ ବିନା ରେସ୍‌ ୩ରେ ପ୍ରଯୋଜନା ସଂସ୍ଥାକୁ ଯେ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥାନ୍ତା ଏହାକୁ ଅସ୍ୱୀକାର କରାଯାଇନପାରେ । ସେହିପରି ଆଗକୁ ଆସୁଛି ଅତୁଲ ଅଗ୍ନିହୋତ୍ରୀଙ୍କ ଭାରତ । ଏହାପରେ ପରେ ସଲ୍‌ମନ୍‌ ଓ ସୋନାକ୍ଷୀଙ୍କୁ ନେଇ ଦବଙ୍ଗ ୩ ଏବଂ କିକ୍‌ ୨ର ଘୋଷଣା ହୋଇଛି । ଏହିସବୁକୁ ବିଚାରକୁ ନେଲେ ସଲ୍‌ମନ୍‌ଙ୍କୁ ନେଇ ୧୦,୦୦୦ କୋଟି ଟଙ୍କାର ବାଜି ଲଗାଇଛି ବଲିଉଡ୍‌ ସିନେମା ଶିଳ୍ପ । ଏହାବାଦ୍‌ ସଲୁଙ୍କ ଟିଭି ସିରିଏଲ୍‌ ଶୋ ‘ଦଶ୍‌ କା ଦମ୍‌’ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ‘ବିଗ୍‌ ବସ୍‌’ର ଦ୍ୱାଦଶ ସଂସ୍କରଣ ମଧ୍ୟ ଆରମ୍ଭ ହୋଇଛି । ସଲୁଙ୍କ ବିନା ଏହି ଶୋର ଲୋକପ୍ରିୟତା ଓ ବ୍ୟବସାୟ ଏକପ୍ରକାର ଧୂଳିସାତ୍‌ ହୋଇଥାନ୍ତା ବୋଲି କୁହାଯାଇପାରେ ।
ଏତଦ୍‌ବ୍ୟତୀତ ସଲ୍‌ମନ୍‌ଙ୍କ ଜାମିନ୍‌କୁ ନେଇ ଅନେକ ଆଶା ଓ ଆଶଙ୍କାରେ ରହିଥିଲେ ବିଜ୍ଞାପନ ସଂସ୍ଥା । ରିଭାଇଟାଲ୍‌, ହ୍ୱିଲ୍‌, ସୁଜୁକି ମୋଟରବାଇକ୍‌, ଡିକ୍ସ ସ୍କଟ୍‌, ସ୍ପାଲ୍‌ସ, ରିଲାକ୍ସୋ ପରି କମ୍ପାନୀ ବ୍ରାଣ୍ଡ ଆମ୍ବାସଡର ଥିବା ସଲ୍‌ୁଙ୍କ ଠାରୁ ଗତ କିଛି ମାସ ଧରି ସଂସ୍ଥାମାନେ ମୁହଁ ଫେରାଇ ନେବାରେ ଲାଗିଥିଲେ । ଯଦି ସଲୁଙ୍କୁ ଜାମିନ୍‌ ମିଳି ନ ଥାନ୍ତା ତେବେ ତାଙ୍କ ପାଇଁ ଭବିଷ୍ୟତରେ ବିଜ୍ଞାପନ ବଜାରକୁ ଫେରିବା ବାଟ ଏକପ୍ରକାର ବନ୍ଦ ହୋଇଯାଇଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏପରିକି ଜେଲ୍‌ ଫେରନ୍ତା ସଲୁଙ୍କୁ ଷ୍ଟାର ଭାବେ ନେବା ପାଇଁ ପ୍ରଯୋଜନା ସଂସ୍ଥା ମଧ୍ୟ ସେତେଟା ଆଗ୍ରହୀ ହୋଇ ନ ଥାନ୍ତେ । ସଞ୍ଜୟ ଦତ୍ତଙ୍କୁ ଏହାର ଉଦାହରଣ ରୂପେ ନିଆଯାଇପାରେ । ଜେଲ୍‌ରୁ ମୁକୁଳିବା ପରେ ସଞ୍ଜୟ ଦତ୍ତଙ୍କ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସରେ ପ୍ରଭୂତ କ୍ଷତି ସହିଥିଲା । ଜାମିନ୍‌ ମଞ୍ଜୁର ହେବା ପରେ ‘ଟାଇଗର ବଚାଲିଆ ବଲିଉଡ୍‌କୋ’ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.