ରିଲିଜ ହେଲା ‘ସଞ୍ଜୁ’, ପ୍ରଥମ ଶୋ’ରୁ ଦର୍ଶକଙ୍କ ଭିଡ


ଆଓରି-ମୁମ୍ବାଇ(୩୦/୬) : ବଲିଉଡର ଲୋକପ୍ରିୟ କଳାକାର ତଥା ସମସ୍ତଙ୍କ ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‍ ‘ସଞ୍ଜୁ’ ଶୁକ୍ରବାର ମୁକ୍ତିଲାଭ କରିଛି। ପ୍ରଥମ ଦିନର ପ୍ରଥମ ଶୋ’ରୁ ପିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗିରହିଛି। ସାରା ଦେଶରେ ପ୍ରାୟ ୪୦୦୦ ପରଦାରେ ‘ସଞ୍ଜୁ’ ରିଲିଜ ହୋଇଥିବା ବେଳେ ୬୫ଟି ଦେଶରେ ୫୩୦୦ଟି ପରଦାରେ ରିଲିଜ ହୋଇଛି। ରାଜକୁମାର ହିରାନୀଙ୍କ ଅନ୍ୟାନ୍ୟ ଫିଲ୍ମ ଭଳି ‘ସଞ୍ଜୁ’ ମଧ୍ୟ ସୁପର ହିଟ୍ ହେବ ବୋଲି ଆଶା କରାଯାଉଛି।

ନର୍ଗିସ ଦତ୍ତ ଓ ସୁନୀଲ ଦତ୍ତଙ୍କ ପରି କିମ୍ବଦନ୍ତୀ କଳାକାରଙ୍କ ଔରସରୁ ଜନ୍ମଲାଭ କରିଥିବା ସଞ୍ଜୟ ନିଜେ ମଧ୍ୟ ୯୦ ଦଶକରେ ବଲିଉଡରେ ରାଜ୍‍ କରୁଥିଲେ।  କିନ୍ତୁ ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ଓ ବେଆଇନଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ତାଙ୍କୁ ଜେଲ୍‍ ଯିବାକୁ ପଡ଼ିଲା।  ତେବେ ଜଣେ ରିଲ୍‍ ଷ୍ଟାରଙ୍କ ରିୟଲ କାହାଣୀକୁ ଫିଲ୍ମର ଆକାର ଦେଇଛନ୍ତି ରାଜକୁମାର ହିରାନୀ। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‍ ‘ସଞ୍ଜୁ’ ଶୁକ୍ରବାର ମୁକ୍ତିଲାଭ କରିଛି।
ଏଥିରେ ସଞ୍ଜୁ ବାବାଙ୍କ ଫିଲ୍ମ କ୍ୟାରିୟର ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ଦେଖିବାକୁ ମିଳିବ। ତାଙ୍କ ପାରିବାରିକ ସମ୍ପର୍କ, ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ସହିତ ବିବାହ ବିଚ୍ଛେଦ ଆଦି ଏଥିରେ ସ୍ଥାନିତ ହୋଇଛି।

‘ସଞ୍ଜୁ’ ରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି। ତେବେ ରଣବୀରଙ୍କ ଅପେକ୍ଷା ସଞ୍ଜୟ ଦତ୍ତଙ୍କ ଝଡ଼ଝଞ୍ଜାପୂର୍ଣ୍ଣ ଜୀବନ ପାଇଁ ଫିଲ୍ମଟି ଅଧିକ ଚର୍ଚ୍ଚାରେ ରହିଛି। ସେହିପରି ପତ୍ନୀ ମାନ୍ୟତା ଦତ୍ତ ଭୂମିକାରେ ଦିୟା ମିର୍ଜା, ବାପା ସୁନୀଲ ଦତ୍ତଙ୍କ ଭୂମିକାରେ ପରେଶ ରାୱଲ ଓ ମା’ ନର୍ଗିସ ଦତ୍ତଙ୍କ ଭୂମିକାରେ ମନୀଷା କୋଇରାଲାଙ୍କ ପରି ଷ୍ଟାର୍‍କାଷ୍ଟ ରହିଛି। ଅନୁଷ୍କା ଶର୍ମା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଟିଜର ମଧ୍ୟ ବେଶ ଲୋକପ୍ରିୟତାର ହାସଲ କରିଛି।