Sun. Mar 29th, 2020

ସହଜରେ ମିଳିବନି ମୋଟା ଅଙ୍କର ଋଣ-ସରକାରୀ ବ୍ୟାଙ୍କରେ ଯାଞ୍ଚ କଡ଼ାକଡ଼ି ହେବ

1 min read

ଆଓରି-ନୂଆଦିଲ୍ଲୀ(୧୭/୬): ମୋଟା ଅଙ୍କର ଋଣ ଆଉ ସହଜରେ ମିଳିବନି। ବିଶେଷ କରି ସରକାରୀ ବ୍ୟାଙ୍କଗୁଡ଼ିକଠାରୁ ବିପୁଳ ପରିମାଣର ଋଣ ହାସଲ କରିବାକୁ ହେଲେ ଅନେକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ବ୍ୟାଙ୍କର ବିଶ୍ୱାସ ହେଲେ ହିଁ ଋଣ ମଞ୍ଜୁର ହେବ। ବଡ଼ ସଂସ୍ଥାଗୁଡ଼ିକୁ ଋଣ ମଞ୍ଜୁର କରିବା ପୂର୍ବରୁ ସେମାନଙ୍କ ବିଷୟରେ ଅଧିକ ଯାଞ୍ଚ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସରକାର କହିଛନ୍ତି। ସେମାନଙ୍କ ବିଷୟରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଓ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌ (ଆର୍‌ଓସି)ଠାରୁ ସୂଚନା ହାସଲ କରିବାକୁ ସେମାନଙ୍କୁ କୁହାଯାଇଛି। ଋଣ ଚାହୁଁଥିବା କଂପାନି କୌଣସି ବେଆଇନ କାମରେ ଲିପ୍ତ ଅଛି ନା ନାହିଁ ତାହା ଜାଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନେକ ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ତାହାକୁ ଅନ୍ୟତ୍ର ବ୍ୟବହାର କରୁଛନ୍ତି। କିନ୍ତୁ ଋଣ ପରିଶୋଧ କରିବାକୁ ଚାହୁଁନାହାନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି। ଋଣ ମଞ୍ଜୁର କରିବା ବେଳେ ବ୍ୟାଙ୍କଗୁଡ଼ିକ ଅଡିଟ୍‌ ରିପୋର୍ଟ ଓ ଫାଇନାନ୍ସିଆଲ୍‌ ଷ୍ଟେଟ୍‌ମେଣ୍ଟ୍‌ (ଆର୍ଥିକ ବିବରଣୀ)କୁ ବିଚାରକୁ ନେଉଛନ୍ତି। ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମୋଟା ଅଙ୍କର ଋଣ ଦେବା ବେଳେ ଏହି ଦୁଇ ପ୍ରକାର କାଗଜପତ୍ର ଦେଖିବା ସହିତ ଅତିରିକ୍ତ ସୂଚନା ମାଗିବେ। ଯେଉଁ ସବୁ କାଗଜପତ୍ର ମିଳିଛି ତାହା ଅସଲି ନା ନକଲି ତାହା ମଧ୍ୟ ଯାଞ୍ଚ କରିବେ। ଦେଶର ଅନେକ ସଂସ୍ଥା ବ୍ୟାଙ୍କଗୁଡ଼ିକଠାରୁ ବିପୁଳ ପରିମାଣର ଋଣ ନେଇ ତାହାକୁ ଆଉ ପରିଶୋଧ କରୁନାହାନ୍ତି। ସେମାନଙ୍କଠାରୁ ଋଣ ଅର୍ଥ ଆଦାୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ମାମଲା ଦାୟର କରୁଛନ୍ତି। ସେମାନଙ୍କ ବିରୋଧରେ ଇନସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଜଟିଳ ପ୍ରକ୍ରିୟା ଯୋଗୁ ବ୍ୟାଙ୍କଗୁଡ଼ିକୁ ନାନା ପ୍ରକାର ହଇରାଣ ହରକତ ହେବାକୁ ପଡୁଛି। ଅଧିକ ଯାଞ୍ଚ କରି ଋଣ ପ୍ରଦାନ କଲେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସୁରକ୍ଷିତ ରହିପାରିବ। ଯେଉଁମାନେ ପ୍ରକୃତରେ ଋଣ ଚାହୁଁଛନ୍ତି ସେମାନଙ୍କୁ ସୁବିଧାରେ ତାହା ମିଳିପାରିବ। ଋଣ ଅଭିବୃଦ୍ଧିକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।ଛୋଟ ମୋଟ ଋଣ ଦେବା ବେଳେ ମଧ୍ୟ ବ୍ୟାଙ୍କଗୁଡ଼ିକ ଅଧିକ ଯାଞ୍ଚ କରିପାରିବେ ବୋଲି ସରକାର କହିଛନ୍ତି। ଯଦି କୌଣସି ସଂସ୍ଥା ଋଣ ପାଇଁ ଆବେଦନ କରୁଛି ତେବେ ବ୍ୟାଙ୍କ ପକ୍ଷରୁ ଉକ୍ତ ସଂସ୍ଥା ବିଷୟରେ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌ଠାରୁ ତଥ୍ୟ ମାଗିପାରିବେ। ସଂସ୍ଥାର କୌଣସି ସମ୍ପତ୍ତି ଯଦି ଆଗୁଆ ବନ୍ଧକ ରହିଥିବ ତେବେ ତାହା ଜଣାପଡ଼ିଯିବ। ବ୍ୟାଙ୍କଗୁଡ଼ିକର ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ଓ ସେଣ୍ଟ୍ରାଲ୍‌ ଇକୋନମିକ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋ ପାଖରେ ଥିବା ଡାଟା ବେସ୍‌କୁ ମଧ୍ୟ ବ୍ୟବହାର କରିପାରିବେ। ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ କଂପାନିଗୁଡ଼ିକ ଅଡିଟ୍‌ ରିପୋର୍ଟଗୁଡ଼ିକୁ ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରୁଥିଲେ। ଏହା ଜଣାପଡ଼ିବା ପରେ ଅନେକ ଅଡିଟର୍‌ କଂପାନି ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। କଳାଧନ ଉପରେ ଚଢ଼ଉ ପଦକ୍ଷେପ ସ୍ୱରୂପ ଏସ୍‌ଏଫ୍‌ଆଇଓ ପକ୍ଷରୁ ୧,୧୩,୦୦୦ ସନ୍ଦିଗ୍ଧ କଂପାନିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେଥି ମଧ୍ୟରୁ ୮୦ ହଜାର କଂପାନିକୁ ନକଲି ବୋଲି ବିଚାର କରାଯାଉଥିବା ବେଳେ ୧୬,୫୩୭ଟି କଂପାନି ବେଆଇନ କାମରେ ଲିପ୍ତ ଥିବା ଜଣାପଡ଼ିଛି। ଗତବର୍ଷ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨,୨୬,୦୦୦ଟି କଂପାନିର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ସେମାନେ ଆର୍ଥିକ ବିବରଣୀ ଦାଖଲ କରୁନଥିଲେ। ଚଳିତ ବର୍ଷ ଆଉ ୨,୨୫,୦୦୦ କଂପାନିଙ୍କୁ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌ ଡାଟାବେସ୍‌ରୁ ବାଦ ଦେବାକୁ ଯୋଜନା ରଖାଯାଇଛି

Leave a Reply

Your email address will not be published. Required fields are marked *