ଦାନ୍ତଜନିତ ସମସ୍ୟାରୁ ମୁକ୍ତି ପାଇବାର କିଛି ଉପାୟ

Aajira-Odisha

ଭଲ ଭାବରେ ଚୋବାଇ ଖାଇଲେ ଖାଦ୍ୟ ହଜମ ହୋଇଥାଏ, ଆଉ ଏହି କାମଟିକୁ ତୁଲାଏ ଦାନ୍ତ। ଦାନ୍ତରେ ଯଦି କିଛି ସମସ୍ୟା ଦେଖାଦେଲା, ତେବେ ଆମକୁ ଖାଇବାରେ ଅସୁବିଧା ହୋଇଥାଏ। ତେଣୁ ଦାନ୍ତ କିପରି ସୁସ୍ଥ ତଥା ସବଳ ରହିବ, ସେଥିପାଇଁ ଆମେ ପ୍ରତିଦିନ ସକାଳୁ ଦାନ୍ତ ଘଷୁ। କେତେକ  ଅଳ୍ପ ସମୟ ଭିତରେ ଏହି କାମ ଶେଷ କରିଦିଅନ୍ତି। ଫଳରେ ଦାନ୍ତ ଭଲ ଭାବରେ ସଫା ହୋଇ ନ ଥାଏ। ଦାନ୍ତ ମାଢ଼ିରେ ଖାଦ୍ୟ ଅବଶିଷ୍ଟାଂଶ ରହିଯାଏ, ଯାହା ଦ୍ଵାରା ଦାନ୍ତଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। କେତେକେ ପ୍ରତିଦିନ ଦାନ୍ତ ଘଷି ନ ଥାନ୍ତି। ଏଭଳି ଅଭ୍ୟାସ ତୁରନ୍ତ ଛାଡ଼ନ୍ତୁ। ସକାଳୁ ଉଠିବା ପରେ ପ୍ରଥମ କାମ ହେଲା ଦାନ୍ତ ଘଷିବା। ଏଥିପାଇଁ ଭଲ ବ୍ରଶ ଏବଂ ପେଷ୍ଟ ଚଏସ୍‌ କରନ୍ତୁ। ନିଶାଦ୍ରବ୍ୟ ସେବନ କିମ୍ବା ଗୁଟ୍‌ଖା ଆଦି ଖାଇଲେ ଦାନ୍ତ କଳା ପଡିଥାଏ ଏବଂ ପରବର୍ତ୍ତୀ ସମୟରେ ମୁଖଗହ୍ବର କ୍ୟାନ୍‌ସର ହେବାର ଆଶଙ୍କା ରହିଛି। ତେଣୁ ସୁସ୍ଥ ଦାନ୍ତ ପାଇଁ ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ। ପ୍ରତି ୨-୩ ମାସରେ ଟୁଥ ବ୍ରଶ ବଦଳାନ୍ତୁ। ଟୁଥବ୍ରଶ ଅଧିକ ଦିନ ଧରି ବ୍ୟବହାର କଲେ ତାହା ଦାନ୍ତମୂଳରେ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ବ୍ରଶ କରିବା ସମୟରେ ଟୁଥ୍‌ବ୍ରଶକୁ ୪୫ ଡିଗ୍ରୀ ଆଙ୍ଗେଲରେ ବୁଲାନ୍ତୁ। ବ୍ରଶ୍‌କୁ ସବୁବେଳେ ପେନ୍‌ସିଲ ଧରିବା ପରି ଧରନ୍ତୁ, ଏହାଦ୍ୱାରା ଭଲ ଭାବରେ ଦାନ୍ତ ଘଷି ହୋଇଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ଜିଭ ଭଲ ଭାବରେ ସଫା କରନ୍ତୁ। ଏପରି ଖାଦ୍ୟ ଖାଆନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଦାନ୍ତ ଉପରେ ପଡିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା-ପ୍ରତିଦିନ ସକାଳେ ଏବଂ ରାତିରେ ଶୋଇବାକୁ ଯିବା ପୂର୍ବରୁ ଦାନ୍ତ ଘଷନ୍ତୁ।