ପ୍ଲମ୍ବିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଦେଶ-ବିଦେଶରେ ଓଡିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି (୩/୨/୧୯)ନୂଆଦିଲ୍ଲୀ/ଭୁବନେଶ୍ୱର: ବିନା ପ୍ଲମ୍ବରଙ୍କ ସହାୟତାରେ କିଛି କଳ୍ପନା କରାଯାଇପାରିବ ନାହିଁ । କେବଳ ଦିଲ୍ଲୀ ନୁହେଁ ଭାରତବର୍ଷର ବିଭିନ୍ନ ସହରରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ,ବେଙ୍ଗାଲୁରୁ, କୋଲକାତା, କୌଣସି ରାଜ୍ୟର ବଡ ରାଜଧାନୀରେ ଆଖି ବନ୍ଦକରି ପ୍ଲମ୍ବିଂ ଶିଳ୍ପର ଜଣଙ୍କୁ ଦେଖିଲେ ତାର ପରିଚୟ ମହାପ୍ରଭୁ ଏବଂ ଓଡିଶା ସହ ଯୋଡୁଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ଲମ୍ବିଂ ସ୍କିଲ୍ ମହୋତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲମ୍ବରମାନଙ୍କୁ ଉତ୍ସାହିତ କରିଛନ୍ତି ।
ମାନ୍ୟବର ଶ୍ରୀଯୁକ୍ତ ଡି.ଡି ପ୍ରଧାନ କେନ୍ଦ୍ରାପଡାର ଗୋଟେ ଛୋଟ ଗାଁରୁ ଆସି ୭୦ ବର୍ଷରୁ ଅଧିକ ସମୟ ହେଲା ଦେଶରେ ଓଡିଶାକୁ ନୂଆ ପରିଚୟ ଦେଇପାରିଛନ୍ତି । ଓଡିଶା ତରଫରୁ ଯେତେ ବି କୃତଜ୍ଞତା ଜଣାଇଲେ ତାଙ୍କୁ କମ୍ ହେବ । ସେ ଗରୀବ ପରିବାରର ଜୀବନକୁ ନୂଆ ଆଶା ଓ ନୂଆ ଆଲୋକରେ ଭରିଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର । ଯେଉଁ କାମ ସରକାର କରିନଥିଲେ ସେ ଆଜି ସେ କାମ କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସେ ରୋଜଗାର ଦେଇଛନ୍ତି । ପ୍ଲମ୍ବିଂ ଇଣ୍ଡଷ୍ଟ୍ରି କାରବାରରେ ଭାରତ ଦୁନିଆରେ ନିଜ ପରିଚୟ ତିଆରି କରୁଛି । ଆଜି ଦୁନିଆ ସହ ଦେଶର ମଧ୍ୟ ଆର୍ଥିକ ସ୍ଥିତି ବଦଳିଛି । ପ୍ରଧାନମନ୍ତ୍ରୀ ଦୁଇ ଦିନ ପୂର୍ବରୁ ଦେଶକୁ ବଜେଟ ମାଧ୍ୟମରେ ଗତ ୫ ବର୍ଷରେ ୯ କୋଟିରୁ ଅଧିକ ଘରେ ଶୌଳାଳୟ ନିର୍ମାଣ ହୋଇଛି । ଏଥିପାଇଁ ପ୍ଲମ୍ବିଂ ଶିଳ୍ପର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ପ୍ଲମ୍ବିଂ ଶିଳ୍ପଗୁଡ଼ିକରେ ୮ ଲକ୍ଷ ଲୋକ କାମ କରୁଛନ୍ତି । ରେଲୱେ, ବ୍ୟାଙ୍କିଂ, ପେଟ୍ରୋଲିୟମ ବିଭାଗରେ ମଧ୍ୟ ଏତେମାତ୍ରାର ଲୋକ କାମ କରୁନାହାନ୍ତି । ଭାରତରେ ଆଜି ୨୭ କୋଟି ଘର ଅଛି । ଆଗାମୀ ୨୦୨୨ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୦ କୋଟି କିମ୍ବା ୩୨ କୋଟିରେ ପହଂଚିପାରେ ବୋଲି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଅଛି । ୨୦୨୨ ସୁଦ୍ଧା ଭାରତରେ ଏମିତି ଘର ରହିବନି ଯେଉଁ ଘର ପକ୍କା ହୋଇନଥିବ, ସମସ୍ତଙ୍କ ଗରିବଙ୍କ ଘର ଉପରେ ପକ୍କା ଛାତ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦଶକରେ ଗୃହ ନିର୍ମାଣ ଦ୍ରୁତ ଗତିରେ ବଢିବ ଏବଂ ଏ ଦିଗରେ ପ୍ଲମ୍ବିଂ ଶିଳ୍ପର ଯଥେଷ୍ଟ ଗୁରୁତ୍ୱ ରହିବ । ଫଳରେ ପ୍ଲମ୍ବିଂ ଶିଳ୍ପର ମଧ୍ୟ ଦ୍ରୁତ ବୃଦ୍ଧି ଘଟିବ ।
ପୂର୍ବରୁ ପ୍ଲମ୍ବିଂ କ୍ଷେତ୍ରରେ ସାମାନ୍ୟ ପାଇପ, ଟ୍ୟାପ ଓ ନଳ ଲାଗୁଥିଲା । ମାତ୍ର ଏବେ ସେନସର୍ ଯୋଗ ହେଲାଣି । ଟ୍ୟାପ ଆଗରେ ହାତ ଦେଖାଇଲେ ସ୍ୱୟଂକ୍ରିୟ ଭାବେ ପାଣି ବାହାରୁଛି ଏବଂ ହାତ ଧୋଇସାରିଲେ ସ୍ୱୟଂକ୍ରିୟ ଭାବେ ପାଣି ବନ୍ଦ ହୋଇଯାଉଛି । ଏହି ନୂଆ ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ଆଗାମୀ ଦିନରେ ପ୍ଲମ୍ବିଂ ଇଣ୍ଡଷ୍ଟ୍ରିର ନୂଆ ରୂପରେଖ ଆଣିବ । ପ୍ଲମ୍ବିଂ କନେକ୍ଟିଂ ଆପ୍ ଜରିଆରେ ଲୋକଙ୍କ ଅସୁବିଧା ସମାଧାନ ହୋଇପାରିବ । ଦରକାର ପଡିଲେ ପ୍ଲମ୍ବରଙ୍କୁ ପଠାଇ ଗ୍ରାହକଙ୍କ ସମସ୍ୟାର ସମାଧାନ ଅତି କମ ସମୟରେ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ସରକାରଙ୍କ ପ୍ରାଥମିକତା ଏହି ବିଭାଗର ଲୋକଙ୍କ ପାଇଁ । ଭାରତର ସରକାର କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା ଆଣିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ଲୋକଙ୍କୁ ମଧ୍ୟ ଏହି ଯୋଜନା ଅଧୀନରେ ବୀମା ଦିଆଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ଗୋଟେ ଛୋଟ ଗାଁରୁ ସହର ପର୍ଯ୍ୟନ୍ତ ସବୁ ପ୍ଲମ୍ବରଙ୍କୁ ବୀମା ଦେବା ଆମର ପ୍ରାଥମିକତା । ସେହିପରି ଦେଶରେ ଜଣେ ହେଲେ ବି ପ୍ଲମ୍ବର ରହିବେନି ଯେଉଁମାନଙ୍କ ଜନଧନ ଯୋଜନାରେ ବ୍ୟାଙ୍କରେ ଖାତା ଖୋଲାଯାଇନଥିବ । ସମସ୍ତ ପ୍ଲମ୍ବରଙ୍କୁ ମାଗଣାରେ ଭାରତ ସରକାର ଓ ସେକ୍ଟର ସ୍କିଲ୍ କାଉନସିଲର ମିଳିତ ଉଦ୍ୟମରେ ପ୍ରଶିକ୍ଷଣ ଦିଆଯିବ । ପ୍ଲମ୍ବର ମାନଙ୍କୁ ବୀମା ସୁବିଧା, ବ୍ୟ।ଙ୍କ ଖାତା ଖୋଲାଯିବା ସହ ଦକ୍ଷ ବି କରାଯିବ । ଚିତ୍ରକାର ଯେପରି ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ, ମୂର୍ତ୍ତିଧାରୀ ଯେପରି ନିଖୁଣ ଭାବେ ମୂର୍ତ୍ତି କରେ ସେଭଳି ପ୍ଲମ୍ବରମାନେ ମଧ୍ୟ କୌଣସି ଶିଳ୍ପୀ, କଳାକାର ଏବଂ ବିଶ୍ୱକର୍ମାଙ୍କ ଠାରୁ କମ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ସରକାର ଶ୍ରମିକ ସମାଜ ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି । ଗୋଟେ ଗରୀବ ପରିବାର ପାଇଁ ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଁ ମେଡିକାଲ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନାରେ ଗତ ୩ ମାସରେ ୧୦ ଲକ୍ଷ ଲୋକଙ୍କୁ ୩ ହଜାର କୋଟି ପହଂଚାଯାଇଛି । ଏହା ଆମ ସରକାରଙ୍କ ଚିନ୍ତା ଏବଂ ଦାୟିତ୍ୱ । ମାତ୍ର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଆୟୁଷ୍ମାନ ଯୋଜନା ଲାଗୁ କଲେ ଦିଲ୍ଲୀରେ କାମ କରୁଥିବା ଓଡିଶାର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇର ପ୍ଲମ୍ବରମାନେ ନିଜ ବୁଢା ବାପା ମା’ଙ୍କୁ ଧରି ଏଠାରେ ବିଭିନ୍ନ ମେଡିକାଲରେ ଚିକିତ୍ସା କରିପାରନ୍ତେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଅନ୍ତରୀଣ ବଜେଟରେ ଭାରତବର୍ଷର ଶ୍ରମିକ ମାନଙ୍କ ପାଇଁ ଶ୍ରମୟୋଗୀ ଯୋଜନାରେ ପେନସନ୍ର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଶ୍ରମିକମାନେ ୬୦ ବର୍ଷ ପରେ ତିନି ହଜାର ଟଙ୍କା ପାଇବେ । ସରକାର ଅଧା ପ୍ରିମିୟମ ଦେବାବେଳେ ଲାଭାର୍ଥୀମାନେ ଅଧା ପଇସା ଦେବେ । ଶ୍ରୀ ପ୍ରଧାନଙ୍କ ଆହ୍ୱାନରେ ଉପସ୍ଥିତ ଶହଶହ ପ୍ଲମ୍ବରମାନେ ଏକାଠୀ ନିଜ ମୋବାଇଲର ଫ୍ଲାସ୍ ଲାଇଟ ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ଶ୍ରମୟୋଗୀ ଯୋଜନା ପାଇଁ ଅଭିନନ୍ଦନ କରିଥିଲେ ।
ପ୍ଲମ୍ବରଙ୍କ ବ୍ୟବସାୟ ବୃଦ୍ଧି କରିବା ସହ ନିଜ ମାଲିକ ହେବା ପାଇଁ ଆଜି ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ନେବା ସହ ପ୍ଲମ୍ବିଂ ସେକ୍ଟର ସହ ଯୋଡିହେବେ ସେମାନଙ୍କୁ ଭାରତ ସରକାରଙ୍କ ମୁଦ୍ରା ଯୋଜନା ଅଧୀନରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା କରାଯିବ । କବେଳ ପ୍ଲମ୍ବରମାନେ ଅନ୍ୟର ଦରମାରେ ଚଳିବେ ନାହିଁ ଆଗାମୀ ଦିନରେ ଅନ୍ୟକୁ ବି ଦରମା ଦେବେ ଏହା ନୂଆ ଭାରତର ସ୍ୱପ୍ନ ବା କଳ୍ପନା ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହା ସହ ସେ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ସହ ଯୋଡିହେବାକୁ ପ୍ଲମ୍ବର ମାନଙ୍କୁ ଆହ୍ୱାନ କରିବା ସହ ନୂଆ ଓଡିଶା ହେଲେ ନୂଆ ଭାରତ ବନିବ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।