April 16, 2024

ଆଇପିଏଲ୍‍-୨୦୧୮ : ଶୀର୍ଷରେ ସନ୍‍ରାଇଜର୍ସ

1 min read

ଆଓରି(ତା୧୫|୪)- ଆଇପିଏଲ୍‍-୧୧ରେ ତା’ର ୩ଟିଯାକ ମ୍ୟାଚ୍‍ ଜିତି ଶୀର୍ଷରେ ପହଞ୍ଚିଛି ସନ୍‍ରାଇଜର୍ସ ହାଇଦରାବାଦ। ରବିବାର ଖେଳା ଯାଇଥିବା ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)କୁ ୫ ୱିକେଟରେ ସନ୍‍ରାଇଜର୍ସ ପରାସ୍ତ କରିଛି। କ୍ରିସ୍‍ ଲିନ୍‍ଙ୍କ ଆକ୍ରମଣାତ୍ମକ ଇନିଂସ ସତ୍ତେ୍ୱ ପ୍ରଥମେ ବ୍ୟାଟିଂକରି କେକେଆର୍‍ ୮ ୱିକେଟରେ ୧୩୮ ରନ୍‍ କରିଥିଲା। ପରେ ଅଧିନାୟକ କେନ୍‍ ୱିଲିୟମ୍‍ସନଙ୍କ ଅର୍ଦ୍ଧଶତକ ବଳରେ ୧୯ ଓଭରରେ ୫ ୱିକେଟ ହରାଇ ସନ୍‍ରାଇଜର୍ସ ଜିତିଥିଲା। ୩ୟ ମ୍ୟାଚ୍‍ରେ ଏହା କଲକାତାର ୨ୟ ପରାଜୟ।
ସନ୍‍ରାଇଜର୍ସ ହାଇଦରାବାଦ ୧୩୯ ରନ୍‍ ଲକ୍ଷ୍ୟରେ ଇନିଂସ ଆରମ୍ଭକରି ୩ ଓଭରରେ ୩୨ ରନ୍‍ କରିଥିଲା। ଋଦ୍ଧିମାନ ଶାହା ୧୫ ବଲ୍‍ରୁ ୫ଟି ଚୌକା ସହ ୨୪ ରନ୍‍କରି ଆଉଟ ହୋଇ ଯାଇଥିଲେ। ପରେ ଶିଖର ଧାୱନ ୭ ରନ୍‍କରି ସୁନୀଲ ନାରାୟଣଙ୍କ ୨ୟ ଶିକାର ହୋଇଥିଲେ। ପରେ ମନୀଷ ପାଣ୍ଡେ ୪ ରନ୍‍କରି ଆଉଟ ହୋଇ ଯାଇଥିଲେ। ୫୫ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ପରେ କେନ୍‍ ୱିଲିୟମ୍‍ସନ ଓ ବାଂଲାଦେଶୀ ସାକିବ୍‍ ଅଲ୍‍ ହାସନ୍‍ ପ୍ରଥମ ଜଗିରଖି ଖେଳିବା ପରେ ଷ୍ଟ୍ରୋକ୍‍ଖେଳିବା ଆରମ୍ଭ କରିଥିଲେ। ଦୁହେଁ ୫୯ ରନ୍‍ ଯୋଡ଼ିବା ପରେ ସାକିବ୍‍ ୨୭ ରନ୍‍କରି ଆଉଟ ହୋଇଥିଲେ। ୱିଲିୟମ୍‍ସନ ୪୪ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍‍ କରିଥିଲେ। ୟୁସୁଫ୍‍ ପଠାନ୍‍ ୭ ବଲ୍‍ରୁ ଦ୍ରୁତ ୧୭ ରନ୍‍ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। 

ସନ୍‍ରାଇଜର୍ସ ହାଇଦରାବାଦ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ କଲକାତା ନାଇଟ ରାଇଡର୍ସର ଓପ୍‍ନର ରବିନ୍‍ ଉଥପ୍ପା ୩ ରନ୍‍କରି ଆଉଟ ହୋଇ ଯାଇଥିଲେ। ୭ ଓଭରରେ କଲକାତା ୧ ୱିକେଟରେ ୫୧ ରନ୍‍ କରିଥିବା ବେଳେ ବର୍ଷା ଯୋଗୁଁ ଘଣ୍ଟାଏ ଖେଳ ବନ୍ଦ ରହିଥିଲା। ବର୍ଷା ପରେ ନୀତୀଶ ରାଣା ୧୮ ରନ୍‍କରି ଆଉଟ ହେବା ପରେ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରାୟଣ ୯ ରନ୍‍କରି ଆଉଟ ହୋଇଥିଲେ। ତେବେ ଅନ୍ୟପଟେ ଓପ୍‍ନର କ୍ରିସ୍‍ ଲିନ୍‍ ଚମତ୍କାର ବ୍ୟାଟିଂ କରି ଚାଲିଥିଲେ। ୧୩ଶ ଓଭରରେ ଅଷ୍ଟ୍ରେଲୀୟ ଲିନ୍‍ ଆଉଟ ହୋଇଯିବା ପରେ କଲକାତାର ରନ୍‍ହାର ଧିମେଇ ଯାଇଥିଲା। ଲିନ୍‍ ୩୪ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୯ ରନ୍‍ କରିଥିଲେ। ଦିନେଶ କାର୍ତ୍ତିକ ୮ ଓଭର କ୍ରିଜ୍‍ରେ ରହିଥିଲେ ହେଁ ଦ୍ରୁତଗତିରେ ସ୍କୋର୍‍ କରି ପାରିନଥିଲେ। ଆନ୍ଦ୍ରେ ରସେଲ ୯ ରନ୍‍ କରିଥିଲେ। ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ଦଳର ଦୁଇ ସଦସ୍ୟ ଶୁବ୍‍ମାନ ଗିଲ୍‍ (୩) ଓ ଶିବମ୍‍ ମାଭି (୭) ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳିଥିଲେ ହେଁ ଦୁହେଁ ବିଫଳ ହୋଇଥିଲେ। ଅଧିନାୟକ କାର୍ତ୍ତିକ ୨୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍‍ କରିଥିଲେ। ଭୁବନେଶ୍ୱର କୁମାର ୩ଟି ଏବଂ ବିଲି ଷ୍ଟାନ୍‍ଲେକ୍‍ ଓ ରସିଦ୍‍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.