April 25, 2024

ବାତ୍ୟା ‘ୟସ୍’ର ବିତ୍ପାତ

1 min read

ଆଓରି-ଭୁବନେଶ୍ଵର(୨୭/୦୫) :ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଲା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟସ’ । ବିଶେଷକରି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟା ‘ୟସ’ ତା’ର କରାଳ ରୂପ ଦେଖାଇଛି । ତେବେ ସୌଭାଗ୍ୟବଶତଃ ବାତ୍ୟା ବଡ଼ଧରଣର କ୍ଷତି ଘଟାଇ ପାରିନି । ବାତ୍ୟାର ପ୍ରଭାବରେ ଧନଜୀବନ ହାନିର ଯେଉଁ ଆଶଙ୍କା ରହିଥିଲା, ତାହା ଟଳି ଯାଇଛି । ବାତ୍ୟାର ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଜାରି ରହିଛି । ବାତ୍ୟା ‘ୟସ’ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିପାରେ ବୋଲି ଆଶଙ୍କା କରାଯାଉଥିଲା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରକୁ ଅଧିକ ବିପଦ ଥିବା ଅନୁମାନ କରାଯାଉଥିଲା । ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ବଡ଼ ବିପଦରୁ ସମ୍ଭବତଃ ବର୍ତ୍ତିଯାଇଛି କହିଲେ ଅତୁ୍ୟକ୍ତି ହେବନି । ଯଦିଓ ଏହି ଦୁଇଟି ଜିଲ୍ଲାରେ ବର୍ଷା ଓ ପବନ ହୋଇଛି, ତଥାପି ଆକଳନଠାରୁ ଏହା କମ୍ ରହିଛି । ଭଦ୍ରକ ଓ ବାଳେଶ୍ୱରରେ କିନ୍ତୁ ଘାଣ୍ଟିଛି ‘ୟସ’ । ଆଶ୍ୱସ୍ତିର କଥା ହେଲା, ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୫୫-୧୬୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଏପରିକି ସମୟେ ସମୟେ ଏହା ୧୮୫ କିମି ପର୍ଯ୍ୟନ୍ତ ଝଟ୍କା ଦେଇପାରେ ବୋଲି ଆଇଏମ୍ଡି ଆକଳନ କରିଥିଲା । ହେଲେ ବାତ୍ୟା ଅଧିକ ଘନୀଭୂତ ହେଉନଥିବା ଦେଖି ଆଇଏମ୍ଡି ତା’ର ଆକଳନରେ ପରିବର୍ତ୍ତନ ଆଣିଥିଲା । ଅତିବେଶିରେ ପବନର ବେଗ ୧୫ଠ କିମି ଟପିବନି ବୋଲି କୁହାଯାଇଥିଲା । ଅତି ଭୀଷଣ ରୂପ ଧାରଣ କରି ବାତ୍ୟା ‘ୟସ’ ଉତ୍ତର ଓଡ଼ିଶା ଉପକୂଳକୁ ମାଡି ଆସିଥିଲା । ଗତକାଲି ମଧ୍ୟରାତିରୁ ଉପକୂଳ ଓଡ଼ିଶାରେ ଏହାର ପ୍ରକୋପ ଆରମ୍ଭ ହୋଇଥିଲା । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ତେବେ ପୂୂର୍ବାହ୍ନ ୧୦ଟା ୩୦ରୁ ସାଢେ ୧୧ ଟା ଯାଏ ତାଣ୍ଡବଲୀଳା ରଚିଥିଲା ‘ୟସ’ । ବାହାନଗାରୁ ଦକ୍ଷିଣ ବାଲେଶ୍ୱର ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଥିଲା ୧୩୦-୧୪୦ କିମି । ବେଳେ ବେଳେ ୧୫୦ କିମି ବେଗରେ ବି ଝଟ୍କା ଦେଉଥିଲା ‘ୟସ’ । ଏହା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି ସମୁଦ୍ର ତଟବର୍ତ୍ତୀ ବହୁ ଗାଁରେ ୪ ମିଟର ଉଚ୍ଚର ଜୁଆର ମାଡି ଯାଇଛି । ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ଟାଣୁନି । ଫଳରେ ଶତାଧିକ ଗ୍ରାମ ଏବେ ବି ପାଣି ଘେରରେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.