ଏଲ୍ଏସିରୁ ପଛକୁ ହଟିଲା ଚୀନ ସେନା
1 min read
ଆଓରି-ନୂଆଦିଲ୍ଲୀ(୦୬/୦୭) : ଲେହରେ ମୋଦିଙ୍କ ଲଲକାର ପରେ ନଇଁଲା ଡ୍ରାଗନ୍ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମାତ୍ର 3 ଦିନ ମଧ୍ୟରେ ସି ଜିନପିଙ୍ଗଙ୍କ ପିଏଲଏ ଆର୍ମି ଗଲୱାନ୍ ଘାଟିରୁ ପଛକୁ ହଟିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ ଚୀନ ସେନା ଗଲୱାନ ଘାଟି ଠାରୁ ପାଖାପାଖି ଦେଢ କିଲୋମିଟର ପଛକୁ ହଟିଛି । ଏଥିସହିତ ଏହାର ଅସ୍ଥାୟୀ ଟେଣ୍ଟ, ସାମରିକ ଅସ୍ତ୍ରଶସ୍ତ୍ରକୁ ବି ପଛକୁ ନେଇ ଫେରିଯାଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ବେଜିଂ ଉପରେ ପଡୁଥିବା ଅନ୍ତର୍ଜାତୀୟ ଚାପ ପରେ ଏହାର ସ୍ୱର ନରମିବାରେ ଲାଗିଛି । ପୂର୍ବରୁ ଗଲୱାନରେ ଦୁଇ ଦେଶର ସେନା ଗତ ଜୁନ 15ରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତର 20 ଯବାନ ସହିଦ ହୋଇଥିଲେ । ଚୀନ ପକ୍ଷର ମଧ୍ୟ ଅନେକ ଯବାନ ମୃତାହାତ ହୋଇଥିଲେ । ପରେ ଉତ୍ତେଜନା କମାଇବା ପାଇଁ ଦୁଇ ଦେଶ ମଧ୍ୟରେ ତିନି ତିନି ଥର କମାଣ୍ଡର ସ୍ତରୀୟ ଆଲୋଚନା କରାଯାଇଥିଲା ।
ତଥାପି ଚୀନ ଏହାର ଦାଦାଗିରି ଜାରି ରଖିଥିଲା । ଭାରତର କୂଟନୈତିକ ପଦକ୍ଷେପ ପରେ ପାଖାପାଖି 27ଟି ଦେଶ ଜାତିସଂଘରେ ଚୀନ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଥିଲେ । ସେପଟେ ଜାପାନ-ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟ ଚୀନକୁ କୌଣସି ବି ହରକତ କଲେ କଡ଼ା ଜବାବ ଦିଆଯିବା ନେଇ ୱାର୍ଣ୍ଣିଂ ଦେଇଥିଲେ । ଆଉ ଏପଟେ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନା ଲଦାଖ ଘାଟିରେ ଏହାର ସାମରିକ ଶକ୍ତି ବଢାଇବା ସହ ଘନ ଘନ ଏୟାର ଅପରେସନ ଜାରି ରଖିଥିଲା । ଏସବୁ ଦେଖି ଶେଷରେ ଭୟଭୀତ ହୋଇ ଡ୍ରାଗନ୍ ଏହାର ପିଏଲଏ ଆର୍ମିକୁ ପଛକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଗଲୱାନ ଘାଟିକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଏହାର ଅର୍ଥ ଏହି ଅଞ୍ଚଳରେ ଏବେ କୌଣସି ବି ପକ୍ଷର ସେନା ଗତିବିଧି ହେବ ନାହିଁ । ଯାହାଦ୍ୱାରା ଜୁନ 15 ଭଳି ଘଟଣାର ସମ୍ଭବନା କମ୍ ରହିବ । ଉଭୟ ସେନା ଏବେ ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ପ୍ରଥମ ପ୍ରୟାସ କରୁଥିବା କୁହାଯାଉଛି ।
ତେବେ 3 ଥର କମାଣ୍ଡର ସ୍ତରୀୟ ଆଲୋଚନା ପରେ ବି ଚୀନ ମାନିନଥିବା ବେଳେ ଏବେ ପଛକୁ ହଟିବାକୁ ନିଷ୍ପତ୍ତି ନେଇଛି । ଜାମ୍ମୁକାଶ୍ମୀରରୁ 370 ହଟାଇବାଠୁ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ସବୁରେ ମୁଖ୍ୟ ଭୂମିକା ନେଇଥିବା ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନଏସଏ) ଅଜିତ ଡୋଭାଲ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ନେଇଥିବା କୁହାଯାଉଛି । ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋନା କରିଥିଲେ ଡୋଭାଲ । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ଦେଖିବାକୁ ମିଳିଛି । ତେବେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଚୀନର ସୁରକ୍ଷା ପରାମର୍ଶ ଦାତା ଅଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ପ୍ରତିନିଧି ଚୟନ କରାଯାଇଥିଲା । ଯେଉଁଥିରେ ଅଜିତ ଡୋଭାଲ ସ୍ଥାୟୀ ସଦସ୍ୟ ମଧ୍ୟ ଅଛନ୍ତି ।