ମୌଳିକ ସେବାକୁ ରି-ପ୍ୟାକେଜିଂ କରି ସ୍ଵାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

Aajira-Odisha
ଆଓରି-ଭୁବନେଶ୍ଵର(୩୧/୧୦) : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ ନ କରି ନିଜସ୍ଵ ବିଜୁ ସ୍ଵାସ୍ଥ୍ୟ ଯୋଜନା ରାଜ୍ୟରେ ଲାଗୁ କରିଛନ୍ତି। ଏହି ଯୋଜନା ଗତ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଏକ କୋଟି ଲୋକ ଚିକିତ୍ସା ପାଇସାରିଥିବା ରାଜ୍ୟ ସରକାର କହୁଛନ୍ତି। ଏହାକୁ ନେଇ  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି।  ରାଜ୍ୟ ସରକାରଙ୍କ ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୁଇ ମାସରେ ୧କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗାଣା ସ୍ଵାସ୍ଥ୍ୟସେବା ଦେବା କଥା କହିବା ମିଛୁଆ ରାଧୁଆ ଉପାଖ୍ୟାନ । ଲୋକଙ୍କୁ ସବୁଦିନ ପାଇଁ ସରକାର ବୋକା ବନାଇ ପାରିବେ ନାହିଁ । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ, ୨୦୧୭-୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରେ ବର୍ଷସାରା ରାଜ୍ୟର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ୧କୋଟି ଲୋକ ଆସୁ ନ ଥିବା ବେଳେ ୨ମାସରେ ୧କୋଟି୧୦ ଲକ୍ଷ ଲୋକ କେଉଁଠୁ ଆସିଲେ। ଯଦି ଜ୍ୱର, କାଶ ଭଳି ସାମାନ୍ୟ ରୋଗକୁ ନେଇ ହିସାବ ଦେବେ ତାହାହେଲେ କ’ଣ କୁହାଯିବ । ଏହି ମୌଳିକ ସେବାକୁ ରି-ପ୍ୟାକେଜିଂ କରି ଯଦି ସ୍ଵାସ୍ଥ୍ୟସେବା କଥା କହିବେ ତାହାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଲୋକଙ୍କୁ ଠକୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଗରଖି ଓଡିଆ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ସୁବିଧାରୁ ବଞ୍ଚିତ କରନ୍ତୁ ନାହିଁ। ରାଜନୀତିକୁ ତା’ ବାଟରେ ରଖନ୍ତୁ, ମିଛୁଆ ରାଧୁଆ ନ ହୋଇ ଓଡିଆ ଲୋକଙ୍କ ସେବାପାଇଁ ଦାୟିତ୍ୱ ନେବାକୁ ପ୍ରଧାନ ନିବେଦନ କରିଛନ୍ତି।
ରାଜ୍ୟ ସରକାରଙ୍କ ୨୦୧୭-୧୮ ଇକୋନମିକ୍‌ ସର୍ଭେକୁ ଉଦ୍ଧୃତ କରି ପ୍ରଧାନ କହିଛନ୍ତି ଯେ, ୨୦୦୯-୧୦ରେ ୧ଲକ୍ଷ ଲୋକଙ୍କ ପାଇଁ ୧୧ଡାକ୍ତର ଥିଲେ, ଯାହା ୨୦୧୪-୧୫ ସୁଦ୍ଧା ୯କୁ ଖସିଆସିଛି। ସେହିପରି ଓଡିଶାରେ ୨ଟି ବେଡ୍‌ରେ ୩ଜଣ ରୋଗୀ ରହୁଛନ୍ତି। ଓଡିଶାର ୮୧୯୩ ଉପକେନ୍ଦ୍ରର ଆବଶ୍ୟକତା ଥିବାବେଳେ ଆଜି ଦିନରେ ୬୬୮୮ଟି ଅଛି। ରାଜ୍ୟର ୩୦ ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ମାତ୍ର ୧୨ଟିରେ ଆଇସିୟୁ ବ୍ୟବସ୍ଥା ଅଛି। ୧୧୨ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ। ପ୍ରଥମ ମାସରେ ନବଜାତକ ମୃତ୍ୟୁରେ ଓଡିଶା ଦେଶରେ ୧ନମ୍ବର ସେହିପରି ପ୍ରଥମ ବର୍ଷରେ ନବଜାତକ ମୃତ୍ୟୁରେ ୨ନମ୍ବର ଓ ୫ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାରରେ ଓଡିଶା ୩ ନମ୍ବର ସ୍ଥାନରେ ରହିଛି । ରାଜ୍ୟର ୨୫ ଜିଲାରେ ୧୫ପ୍ରତିଶତ କମ୍‌ ଓଜନ ଓ କମ୍‌ ଉଚ୍ଚତା, କୁପୋଷଣର ଶିଶୁ ଜନ୍ମ ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟସେବାର ମାପକାଠି ଓ ନମୁନା ବୋଲି ପ୍ରଧାନ କହିଛନ୍ତି । ଆୟୁଷ୍ମାନ ଯୋଜନା ଲାଗୁକଲେ ମୋଦିଙ୍କ ବିଶ୍ୱସନୀୟତା ଅଧିକ ବଢିବ ବୋଲି ରାଜ୍ୟର ଶାସକ ଦଳ ମନରେ ଭୟ ଅଛି । ମୋଦି ଗତ ମାସରେ ଓଡିଶା ଆସିଥିଲେ।  ଓଡିଶାର ସାଢେ ୪ କୋଟି ଲୋକଙ୍କୁ ସେବା ଯୋଗାଇବା ପାଇଁ ନିବେଦନ କଲେ, ମାତ୍ର ମୁଖ୍ୟମନ୍ତ୍ରୀ ତାହାକୁ ଅଗ୍ରାହ୍ୟ କଲେ ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି।