‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ଉନ୍ମୋଚିତ
1 min readଭୁବନେଶ୍ୱର : ଆଜି ଅପରାହ୍ନରେ ଉତ୍କଳ ମଣ୍ଡପରେ ଏକ ଭବ୍ୟ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜନ କରାଯାଇଥିଲା। ବିଜେଡିର ‘ବିଜୁ ଜନ୍ମ ଶତବାର୍ଷିକୀ କମିଟି’ ପକ୍ଷରୁ ‘ଟଲ୍ ମ୍ୟାନ୍’ ଏହି ପୁସ୍ତକ ଉନ୍ମୋଚନ ଉତ୍ସବର ଆୟୋଜନ କରାଯାଇଥିଲା | ବିଜୁ ପଟ୍ଟନାୟକ ଏପରି ଜଣେ ମଣିଷ ଥିଲେ, ଯିଏ କି ଜୀବନରେ ଭୟ କ’ଣ ଜାଣି ନ ଥିଲେ। ସେ ତାଙ୍କ ପ୍ରତିଟି କାର୍ଯ୍ୟରେ ନିଜର ସାହସ ଓ ପ୍ରତିବଦ୍ଧତା ଦେଖାଇପାରିଛନ୍ତି। ତାଙ୍କର ବିଶାଳ ହୃଦୟ ହିଁ ତାଙ୍କୁ ଜଣେ ବାସ୍ତବ ଜାତୀୟତାବାଦୀ ନେତା ଭାବେ ଉପସ୍ଥାପନ କରିପାରିଛି। ସେ ପ୍ରକୃତରେ ଜଣେ ‘ଟଲ୍ ମ୍ୟାନ୍’, କେବଳ ଓଡ଼ିଶାର ନୁହେଁ, ସାରା ଭାରତର। ବହୁପ୍ରତୀକ୍ଷିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।
ଶ୍ରୀ ମୁଖାର୍ଜୀ କହିଲେ, ବିଜୁ ବାବୁ ବଡ଼ ସ୍ୱପ୍ନ ଦେଖୁଥିଲେ। ଆଉ ତାହାକୁ ପୂରଣ କରିବା ପାଇଁ ସାହସର ସହ ଆଗେଇ ଯାଉଥିଲେ। ଜାତୀୟ ରାଜନୀତିରେ ସବୁ ଦଳର ନେତାଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିଲା। ଯେତେବେଳେ କୌଣସି ଏକ ଜଟିଳ ଆନ୍ତର୍ଜାତିକ ପ୍ରସଙ୍ଗ ଆସେ, ସେତେବେଳେ ପରାମର୍ଶ ପାଇଁ ବିଜୁଙ୍କୁ ଦିଲ୍ଲୀ ଡାକରା ଆସେ। ଆନ୍ତର୍ଜାତିକ ସ୍ତରରେ ତାଙ୍କର ସ୍ୱତନ୍ତ୍ର ଖ୍ୟାତି ବି ରହିଛି।
ବିଜୁ ବାବୁଙ୍କ ସହ ନିଜ ଅନୁଭୂତି ବର୍ଣ୍ଣନା କରି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ କହିଥିଲେ, ରାଜନୈତିକ ଦୃଷ୍ଟିକୋଣରୁ ବିଜୁ ବାବୁ ଓ ମୁଁ ଭିନ୍ନ ଆଡ଼େ ଥିଲୁ। କିନ୍ତୁ ମାନସିକତା ଓ ଆଦର୍ଶରେ ଆମର ସମାନତା ରହିଥିଲା। ଦେଶର ବିକାଶ ପାଇଁ ଆମେ ବିଭିନ୍ନ ସମୟରେ ଏକାଠି କାମ କରିଛୁ। ୧୯୯୧ ମସିହାରେ ଦେଶର ଯୋଜନା କମିସନ୍ର ଉପାଧ୍ୟକ୍ଷ ଥିଲା ବେଳେ ବିଜୁ ବାବୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ରାଜ୍ୟଗୁଡ଼ିକୁ କିପରି ଅନୁଦାନ ଦିଆଯିବ, ସେ ନେଇ ବିଜୁ ବାବୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ତାଙ୍କର ଲୋକପ୍ରିୟତା, ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ମୋ ଠାରୁ ବହୁ ଆଗରେ ଥିଲା। କିନ୍ତୁ ତାଙ୍କର ବିଶାଳ ହୃଦୟ ଥିବାରୁ ସେ ମୋତେ ବହୁତ ଶ୍ରଦ୍ଧା ଦେଇଥିଲେ। ଓଡ଼ିଶାରେ ନାଲ୍କୋ ପ୍ରତିଷ୍ଠା ଦିଗରେ ବିଜୁ ବାବୁଙ୍କ ଅବଦାନକୁ ଶ୍ରୀ ମୁଖାର୍ଜୀ ମନେ ପକାଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା କହିଲେ, ବିଜୁ ବାବୁଙ୍କ ଜୀବନ ଥିଲା ଏକ ଦୁଃସାହସିକ ଯାତ୍ରା। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ। ସବୁ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ତାଙ୍କ ପାଖରେ ଥିଲା। ଭାରତକୁ ଏକ ଆନ୍ତର୍ଜାତିକ ଶକ୍ତିରେ ପରିଣତ କରିବା ପାଇଁ ବିଜୁ ବାବୁଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦେଶକୁ ତାଙ୍କର ଅବଦାନକୁ ସଂପୃକ୍ତ ଦେଶଗୁଡ଼ିକ ଭୁଲିପାରିବେ ନାହିଁ। ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ଦେଶ ପ୍ରତି ବଳିଷ୍ଠ ଅବଦାନ ପାଇଁ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ଶ୍ରୀ ଦେବେଗୌଡ଼ା ଦାବି କରିଥିଲେ। ବିଜୁ ବାବୁଙ୍କ ସାହସିକତା ଓ ବ୍ୟକ୍ତିତ୍ୱର ଅନେକ ଅଜଣା ଦିଗ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ରେ ଉଲ୍ଲେଖ ଥିବାରୁ ଏହାକୁ ସବୁ ଭାଷାରେ ଅନୁବାଦ କରି ସମସ୍ତଙ୍କୁ ଜଣାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
ଅନ୍ୟତମ ଅତିଥି ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ କହିଥିଲେ, ଜୀବନରେ ଅନେକ ପୁସ୍ତକ ଉନ୍ମୋଚନ କରିଛି। କିନ୍ତୁ ଆଜିର ପୁସ୍ତକ ଉନ୍ମୋଚନ ସଭା ପରି କାର୍ଯ୍ୟକ୍ରମ କେଉଁଠି ଦେଖି ନାହିଁ। ଓଡ଼ିଶାର ରାଜଧାନୀରେ ଏପରି ଏକ ସୁନ୍ଦର ସଭା ଆୟୋଜନ କଳ୍ପନା ବାହାରେ। ଏହି ପୁସ୍ତକଟି ପଢ଼ିଲେ ନିଶ୍ଚିତ ଭାବେ ବିଜୁ ବାବୁଙ୍କ ସମ୍ପର୍କରେ ଅନେକ ଅଜଣା କଥା ଜାଣି ହେବ। ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆସିବ।
ଅନ୍ୟତମ ଅତିଥି ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଲେ, ବିଜୁ ପଟ୍ଟନାୟକ କେବଳ ଚେହେରାରେ ଉଚ୍ଚା ନ ଥିଲେ, ଭାରତର ରାଜନୀତିରେ ଜଣେ ଉଚ୍ଚା ବ୍ୟକ୍ତି ଥିଲେ। ଆଧୁନିକ ଓଡ଼ିଶା ନିର୍ମାଣରେ ସେ ଥିଲେ ଅନ୍ୟତମ ବିନ୍ଧାଣୀ। କଳିଙ୍ଗର ସମୃଦ୍ଧ ଅତୀତକୁ ଫେରାଇ ଆଣିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ୯୦ ଦଶକରେ ମେଣ୍ଟ ରାଜନୀତିରେ ବିଜୁ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେହି ସମୟରେ ଯେତେବେଳେ ସଙ୍କଟ ଦେଖାଦେଉଥିଲା, ସେତେବେଳେ ଦେଶର ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ଦୃଢ଼ କରିବା ପାଇଁ ସେ ଉଚିତ ପରାମର୍ଶ ଦେଉଥିଲେ। ବିନା ନୀତିରେ ନେତା ହେବା ସମ୍ଭବ ନୁହେଁ। ଏବେ ଦେଶ ନେତା ନୁହେଁ, ନୀତି ଚାହୁଁଛି। ନୀତି କ’ଣ, ତାହା ବିଜୁ ବାବୁ ଦେଖାଇଛନ୍ତି। ବାସ୍ତବରେ ଆଧୁନିକତା, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସେ ଥିଲେ ଏକ ସମାହାର।
ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ ଚାଓ୍ଵଲା କହିଲେ, ବିଜୁ ବାବୁ ଆଧୁନିକ ଓଡ଼ିଶାର ଜନକ। ସେ ପ୍ରକୃତରେ ଜଣେ ଜାତୀୟ ନେତା ଥିଲେ, କିନ୍ତୁ କେବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ହୋଇପାରି ନ ଥିଲେ। ତାଙ୍କର ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଥିଲା ସ୍ୱତନ୍ତ୍ର। ଯେତେବେଳେ ଏୟାରଲାଇନ୍ କଥା ଚିନ୍ତା କରିବା କଷ୍ଟ ଥିଲା, ସେତେବେଳେ ସେ କଳିଙ୍ଗ ଏୟାରଲାଇନ୍ ଆରମ୍ଭ କରିଥିଲେ। ବହୁଚର୍ଚ୍ଚିତ କାମରାଜ ପ୍ଲାନ୍ ଥିଲା ବିଜୁ ବାବୁଙ୍କ ମାନସ ସନ୍ତାନ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଅନିଚ୍ଛା ସତ୍ତ୍ୱେ ବିଜୁ ବାବୁ ରାଜ୍ୟ ପାଣ୍ଠିରୁ ପାରାଦୀପ ବନ୍ଦର ନିର୍ମାଣ କରିଥିଲେ। ପରେ ନେହରୁ ପାରାଦୀପ ବନ୍ଦରର ଆବଶ୍ୟକତା ବୁଝିପାରି ଆର୍ଥିକ ସହଯୋଗ ଦେଇଥିଲେ। ବିଜୁ ବାବୁଙ୍କ ପରି ଜଣେ ଉଚ୍ଚା ବ୍ୟକ୍ତିଙ୍କ ଉଚ୍ଚା ପଦକ୍ଷେପର ପଦଚିହ୍ନ ସବୁ ଦିନ ପାଇଁ ପ୍ରେରଣା ଯୋଗାଉଥିବ। ପୁସ୍ତକଟିରେ ବିଜୁ ବାବୁଙ୍କ ସମ୍ପର୍କରେ ଏମିତି ଅନେକ ଅଜଣା ଦିଗ ଉପସ୍ଥାପନ କରାଯାଇଛି।
ସଭାରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ସ୍ୱାଭିମାନ, ନିଃସ୍ୱାର୍ଥପର ସେବା ଓ ସଶକ୍ତୀକରଣ ହିଁ ଥିଲା ବିଜୁ ବାବୁଙ୍କ ଆଦର୍ଶ। ତାଙ୍କ ଆଦର୍ଶ ତାଙ୍କ ସମୟଠାରୁ ବହୁ ଉପରେ ଥିଲା। ସେଥିପାଇଁ ଏହା ପରବର୍ତ୍ତୀ ପିଢ଼ିକୁ ବି ପ୍ରେରଣା ଯୋଗାଉଛି। ଦଳ, ଅଞ୍ଚଳ, ଆଦର୍ଶ ଓ ବୟସର ଊର୍ଧ୍ୱକୁ ଯାଇ ଆଜି ଆମେ ସମସ୍ତେ ଯେପରି ଏକାଠି ହୋଇଛୁ, ତାହା ହିଁ ବିଜୁ ବାବୁଙ୍କ ପ୍ରତି ଆମର ଭଲ ପାଇବା ଓ ସମ୍ମାନକୁ ପ୍ରଦର୍ଶନ କରୁଛି।
ପୁସ୍ତକର ଲେଖକ ସୁନ୍ଦର ଗଣେଶନ୍ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କୁ ଶିଳ୍ପୀ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିମୂର୍ତ୍ତିକୁ ଉପହାର ଭାବେ ଦେଇଥିଲେ।