ସଚ୍ଚିଦାନନ୍ଦ ରାଉତରାୟଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
1 min readସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ – ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ‘ମାଟିର ଦ୍ରୋଣ’, ‘କବିଗୁରୁ’, ‘ମାଟିର ମହାକବି’, ‘ସମୟର ସଭାକବି’ ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ “ଅତ୍ୟାଧୁନିକତା”ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୬ରେ ଜନ୍ମଗ୍ରହଣ କରିଥିଲେ । ଚାଟଶାଳୀରେ ପଢିବା କାଳରେ ସେ ସ୍ଵାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢି, ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ ଓ ତାପରେ ତାଙ୍କର ପିଲାବେଳ କଟିଥିଲା ବଙ୍ଗପ୍ରଦେଶରେ । ଏଗାର ବର୍ଷ ବୟସରୁ ରାଉତରାଏ କବିତା ଲେଖା ଆରମ୍ଭ କରିଥିଲେ । ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ ‘ରକ୍ତଶିଖା’ଓ ୧୯୪୩ରେ ‘ଉଠ ଜାଗ ଭୋକବନ୍ଦୀ’କୁ ଫିରିଙ୍ଗି ମାନେ ଲୋକଙ୍କ ପାଖରେ ପହଞ୍ଚିବାରୁ ରୋକି ଦେଇଥିଲେ । ‘୧୯୩୮ରେ ତାଙ୍କର କାବ୍ୟ ‘ବାଜି ରାଉତ’କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ ‘ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା’ ମର୍ମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ ।
ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ଗୋଳାପଲିର ଜଣେ ତେଲୁଗୁ ରାଜଜେମାଙ୍କୁ ସେ ବିଭା ହୋଇଥିଲେ । ସ୍ଵାଧିନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ । ସେ କଟକଠାରେ ୨୧ ଅଗଷ୍ଟ ୨୦୦୪ରେ ଦେହତ୍ୟାଗ କରିଥିଲେ
୧୯୨୮ ମସିହାରେ ୧୫ ବୟସରୁ ସଚ୍ଚି ରାଉତରାୟଙ୍କ କବିତା ରଚନାର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ‘ନବୀନ’ ପତ୍ରିକାରେ ‘ଭଗବାନ ଅଛ କାହିଁ’ ପ୍ରଥମ ପ୍ରକାଶିତ କବିତାରେ ସାମ୍ୟବାଦୀ ବୈପ୍ଲବିକ ମାର୍କ୍ସୀୟ ଚେତନା ରହିଥିଲା । ଏକଦା ଛାତ୍ର ଆନ୍ଦୋଳନ ସମରେ ରେଭେନ୍ସା କଲେଜର ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନଜନିତ ସେ ଯେପରି ଲେଖିଥିଲେ ‘ଚିରପ୍ରଦୀପ୍ତ’, ସେହିପରି ଏକ ନୂତନ ଦେଶର ଗର୍ଭଯନ୍ତ୍ରଣାକୁ ନେଇ ୧୯୭୧ରେ ଆରମ୍ଭ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରା ପାଇଁ ରଚନା କରିଥିଲେ ତାଙ୍କର ଚିରଅମର ପଂକ୍ତିମାଳା – ‘ମୁଁ ତା’ର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ଵ ପ୍ରଦକ୍ଷଣ !’ ଜୀବଦ୍ଦଶାରେ କବି ରାଉତରାୟ ବାଂଲାଦେଶକୁ ଜଣେ ସାରସ୍ଵତ ରାଷ୍ଟ୍ରଦୂତ ଭାବରେ ଯାଇ ରୋଶନରା ସମ୍ପର୍କିତ ଏ କବିତାକୁ ପାଠ କରୁଥିବା ବେଳେ ପାଇଥିଲେ ପ୍ରଚୁର ଖ୍ୟାତି ।
ସଚ୍ଚି ରାଉତରାୟଙ୍କଦ୍ଵାରା ପ୍ରକାଶିତ ପୁସ୍ତକ ଯଥା ଖଣ୍ଡକାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା, ଏବଂ ଆତ୍ମଚରିତ ଦେଶବାସୀଙ୍କୁଭେଟି ଦେଇଛନ୍ତି ସେଗୁଡ଼ିକ ହେଲା ଛୋଟ ମୋର ଗାଁଟି, ପୂର୍ଣିମା , ଅଭିଯାନ , ପଲ୍ଲୀଶ୍ରୀ , ବାଜି ରାଉତ , ରକ୍ତଶିଖା , ମଶାଣିର ଫୁଲ , ମଲା କଈଁ , ଆଙ୍ଗୁଠି , ମାଟିର ତେଜ , ହାଟର କାହାଣୀ , ତଳେ ମାଟି ଉପରେ ଆକାଶ , ସାଗର ତଳର ଢେଉ ଇତ୍ୟାଦି ।