April 20, 2024

ବିପଦ ସମୟରେ ଓଡିଶାର ହିତେଶୀ ଭାବରେ ଦାୟିତ୍ଵ ନେଇଛନ୍ତି ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୦୬/୦୫) : ମହାବାତ୍ୟା ଫୋନିର ପ୍ରଭାବରେ ରାଜ୍ୟରେ ଯେଉଁ ପ୍ରଳୟ ହେଲା ଏହା ରାଜ୍ୟପାଇଁ ଅପୂରଣୀୟ କ୍ଷତି । ଓଡିଶାର ଏହି ପ୍ରାକୃତିକ ବିପତ୍ତିର ଗମ୍ଭୀରତାକୁ ଦେଖି ପୁନଃରୁଦ୍ଧାର ପାଇଁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଫୋନି ଆସିବା ପୂର୍ବରୁ ୩୪୧ କୋଟି ଟଙ୍କା ଘେ।ଷଣା କରିବାର ଦାୟିତ୍ୱ ନେଇଥିଲେ ଭାରତ ସରକାର । ଏବେ ୧୦୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସହାୟତା ଘୋଷଣା ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି କରିବ । ବିଶେଷକରି ଘର, ବିଜୁଳି. ପିଇବା ପାଣି, ଫସଲହାନୀର ବୀମା, ନଡିଆ ଗଛର ପୁନଃରୁଦ୍ଧାର ସବୁପ୍ରକାର ସହଯୋଗ ପାଇଁ ଭାରତ ସରକାର ହାତ ବଢାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟେକ୍ନୋଲୋଜି ଓ ସୂଚନାତନ୍ତ୍ର ସକ୍ରିୟତା କାରଣରୁ ଏହି ମହାବିପତ୍ତିରୁ ଲୋକେ ରକ୍ଷା ପାଇଯାଇଛନ୍ତି । ବିଶେଷକରି ଓଡିଶାର ଜନତା ଓ ମତ୍ସଜୀବିଙ୍କୁ ଏ ନେଇ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଘଟଣା ଘଟିବା ପରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମସ୍ୟା କିପରି ସମାଧାନ ହୋଇପାରିବ ତାହା ଉପରେ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହିତ ପଶୁସମ୍ପଦ ନଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୁଏ ଏହାର ସମାଧାନ ସହ ବିଜୁଳି ସଂଯୋଗ କିପରି ଶୀଘ୍ର ହୋଇପାରିବ ଏହା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଆକାଶମାର୍ଗରୁ ପୁରୀ ଶ୍ରୀମନ୍ଦିର ସହ କୋଣାର୍କ ମନ୍ଦିର, ପିପିଲି. ନିମାପଡା, ବାଲିଅନ୍ତା-ବାଲିପାଟଣା, ଜଟଣୀ, ଭୁବନେଶ୍ୱର ଆଦି ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବା ସହ ବିପଦ ସମୟରେ ଓଡିଶାର ହିତେଷୀ ଓ ରାଷ୍ଟ୍ରର ନାୟକ ଭାବେ ଦାୟିତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରୁଛି ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ସମୟରେ ବିଜୁଳି ବଡ ଆହ୍ୱାନ । ବିଜୁଳି ଯୋଗାଣ ପକ୍ରିୟା ସ୍ୱାଭାବିକ ହେଲେ ପେଟ୍ରୋଲ ପମ୍ପ ଗୁଡିକ କାର୍ଯ୍ୟକ୍ଷମ ହେବ । ପୁରୀ ଜିଲ୍ଲାରେ ଗତ ଦୁଇଦିନ ତଳେ ୫୨ଟି ପେଟ୍ରୋଲ ପମ୍ପରୁ ୨୯ ଟି ଅଚଳ ଥିବା ବେଳେ ଆଜି ସେଥିମଧ୍ୟରୁ ୮ଟି କାର୍ଯ୍ୟକ୍ଷମ ହୋଇଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପୁରୀ ଜିଲ୍ଲାରେ ସ୍ଥିତି ବହୁତ ଖରାପ । ବାଲିଖଣ୍ଡ ଉପଖଣ୍ଡର ଗୋପ-ନିମାପଡା, ବ୍ରହ୍ମଗିରି ବଡ କ୍ଷତିଗ୍ରସ୍ତ ହୋଇଛି । ଜଙ୍ଗଲ ସମ୍ପଦ, କଚ୍ଚାଘର, ପଶୁସମ୍ପଦ କ୍ଷତି ହୋଇଛି । ମହାପ୍ରଭୁଙ୍କ କଳ୍ପବଟ ଦେଖି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଗଲେ । ଜଗନ୍ନାଥ ମହାପ୍ରଭୁଙ୍କର ସେ ଅନନ୍ୟ ଭକ୍ତ । ପୁରୀ ତାଙ୍କ ପାଇଁ ବିଶେଷ ସ୍ଥାନ ବୋଲି ସେ କହିଛନ୍ତି ।

ପୁରୀ ସମେତ କୋଣାର୍କ ମନ୍ଦିରର କାମ ପାଇଁ ଏଏସଆଇ ଡିଜିଙ୍କୁ ଡାକି କଥା ହେବି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.