October 27, 2021

ଗୁରୁ ଭକ୍ତି

1 min read

ଆ.ଓ.ରି(ତା୨୩|୪)-

ଭଗବାନ୍ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ଗିରି ନାମରେ ଜଣେ ଶିଷ୍ୟ ଥିଲେ। ସେ ଅନ୍ୟ ଶିଷ୍ୟଙ୍କ ତୁଳନାରେ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ। ଗିରିଙ୍କ ଉପରେ ଗୁରୁଙ୍କ ବସ୍ତ୍ର ପ୍ରକ୍ଷାଳନ ସେବା ନ୍ୟସ୍ତ ଥିଲା। ସେ ନିରକ୍ଷର ଥିଲେ ମଧ୍ୟ ଗୁରୁଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ଥିଲା ଓ ସେ ଗୁରୁ ସେବା ନିଷ୍ଠାର ସହ ସମ୍ପାଦନ କରୁଥିଲେ। କିଛି ନ ବୁଝିଲେ ମଧ୍ୟ ଗୁରୁଙ୍କ ବାଣୀ ଓ ଉପଦେଶ ଶ୍ରଦ୍ଧାର ସହ ଶୁଣୁଥିଲେ।

ଦିନେ ଆଚାର୍ଯ୍ୟ ଶଙ୍କର ପାଠ ଆରମ୍ଭ ନ କରି ଇତସ୍ତତଃ ଦୃଷ୍ଟିପାତ କରୁଥିଲେ। ଶିଷ୍ୟମାନେ ଏହା ଦେଖି ଟିକିଏ ବିସ୍ମିତ ହୋଇ ପଚାରିଲେ “ଗୁରୁଦେବ ! ଆପଣ ଅଧ୍ୟାପନା ଆରମ୍ଭ କରୁନାହାନ୍ତି ଯେ ?” ଆଚାର୍ଯ୍ୟ କହିଲେ ” କାହିଁ ତୁମେ ସମସ୍ତେ ତ ଉପସ୍ଥିତ ହୋଇନାହଁ? ଗିରିକୁ ତ ମୁଁ ଦେଖୁନାହିଁ। ସେ ଆସିଲେ ପାଠ ଆରମ୍ଭ କରିବା। ”

ଆଚାର୍ଯ୍ୟଙ୍କ ଆଦେଶରେ କିଛି ସମୟ ଅପେକ୍ଷା କରିବା ପରେ ଜଣେ ଶିଷ୍ୟ କହିଲେ             ” ଗୁରୁଦେବ! ଗିରି ନଦୀ କୂଳକୁ ଆପଣଙ୍କ ବସ୍ତ୍ର ପ୍ରକ୍ଷାଳନ ଉଦ୍ଦେଶ୍ୟରେ ଯାଇଛି”।  ଆଚାର୍ଯ୍ୟ ଶ୍ମିତହାସ୍ୟ କରି କହିଲେ ” ହଉ ସେ ଆସୁ ଆରମ୍ଭ କରିବା। ” ସମସ୍ତେ ଭାବିଲେ ଗିରିତ ନିରକ୍ଷର, ପୁଣି ତାପାଇଁ ଗୁରୁଦେବ ଏତେ ଅପେକ୍ଷା କରୁଛନ୍ତି କାହିଁକି ?

ସେଠାରେ ପଦ୍ମପାଦ ନାମରେ ଆଉଜଣେ ଶିଷ୍ୟ ଥିଲେ। ସେ ହଠାତ୍ କହିଉଠିଲେ “ଠାକୁର! ଗିରି ତ ସମ୍ପୂର୍ଣ୍ଣ ନିରକ୍ଷର , ପୁଣି ସେ ଶାସ୍ତ୍ର ଆଲୋଚନା କଣ ବୁଝିପାରିବ ଯେ ?”

ପଦ୍ମପାଦଙ୍କ କଥା ଶୁଣି ଆଚାର୍ଯ୍ୟ ଶ୍ମିତହାସ୍ୟ କରି ପୁଣି କହିଲେ “ଆରେ ସେ ଆସୁ । ନ ବୁଝିଲେ ମଧ୍ୟ ସେ ଅତିଶୟ ଶ୍ରଦ୍ଧାରେ ସବୁକଥା ଶ୍ରବଣ କରେ”।

ଏଣେ ଗିରିଙ୍କ ଭାଗ୍ୟ ସୁପ୍ରସନ୍ନ ହୋଇଉଠିଲା। ତାଙ୍କର ଐକାନ୍ତିକ ଗୁରୁଭକ୍ତି ତାଙ୍କୁ ସର୍ବବିଦ୍ୟାଧାରଣର ଉପଯୋଗୀ କରି ପକାଇଲା। ଗ୍ରହଣ କରିବା ଓ ଧାରଣ କରିବାର ସାମର୍ଥ୍ୟ ଏବଂ ଶ୍ରଦ୍ଧାହିଁ ଅଧିକାରର ହେତୁ। ଉପଦେଶ ଗ୍ରହଣ କରିବାର ସାମର୍ଥ୍ୟ ଯାହଙ୍କର ନାହିଁ ଏବଂ ଗୁରୁ ଓ ତାଙ୍କ ଉପଦେଶବାକ୍ୟରେ ଯେଉଁମାନଙ୍କର ଶ୍ରଦ୍ଧା ନାହିଁ ସେମାନେ କେବେହେଲେ କୃପାର ଅଧିକାରୀ ହୋଇ ପାରନ୍ତି ନାହିଁ।

ଆଚାର୍ଯ୍ୟ ଗୁରୁଭକ୍ତିର ମାହାତ୍ମ୍ୟ ବୁଝାଇ ଶିଷ୍ୟମାନଙ୍କର ବିଦ୍ୟାଭିମାନ ଦୂରକରିବା ନିମିତ୍ତ ଏବଂ ନିର୍ବୋଧ ବ୍ୟକ୍ତି ଯେ ଉପେକ୍ଷଣୀୟ ନୂହନ୍ତି ଏସବୁ କଥା ବୁଝାଇବା ନିମିତ୍ତ ମନେମନେ ଗିରିଙ୍କୁ ସର୍ବବିଦ୍ୟା ପ୍ରଦାନ କଲେ। ଗିରି ଗୁରୁଦେବଙ୍କ କୃପାରୁ ବ୍ରହ୍ମବିଦ୍ୟାର ଅଧିକାରୀ ହୋଇଗଲେ। ସେ ସଙ୍ଗେସଙ୍ଗେ ତ୍ରୋଟକ ଛନ୍ଦରେ ଗୋଟିଏ ଗୁରୁମାହାତ୍ମ୍ୟ ସ୍ତୋତ୍ର ରଚନା କରି ଆଚାର୍ଯ୍ୟଙ୍କ ବସ୍ତ୍ର ଧୌତ କରି ସାରି ତାହା ଘେନି ଆଚାର୍ଯ୍ୟଙ୍କ ସମୀପରେ ଉପସ୍ଥିତ ହେଲେ।

ସମସ୍ତେ ଗିରିଙ୍କ ମୁଖରୁ ଅପରୂପ ଶ୍ଲୋକ ଶ୍ରବଣ କରି ଚମକ୍ତୃତ ହୋଇଗଲେ। ଯେ କେବେହେଲେ ସଂସ୍କୃତ ବାକ୍ୟ ଉଚ୍ଚାରଣ କରିପାରେ ନାହିଁ ,  ତା ମୁଖରୁ ଅପୂର୍ବ ଶ୍ଲୋକ ଶ୍ରବଣ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାହିଁ ଥିଲା ଗିରିଙ୍କ ଗୁରୁଭକ୍ତିର ଓ ଗରୁ ନିଷ୍ଠାର ଚମକ୍ତାର।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.