May 10, 2024

ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା କଟକରେ ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟିତ

1 min read

ଆଓରି- କଟକ(୧୫/୬): କଟକରେ ଦୁଇଟି ସିଏନ୍‌ଜି ଷ୍ଟେସନ୍‌କୁ  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ସତୀଚୌରା ସ୍ଥିତ ବିଶାଲ ପେଟ୍ରୋଲ୍‌ ପମ୍ପ ଓ ବିଦ୍ୟାଧରପୁରସ୍ଥିତ ସିଦ୍ଧିବିନାୟକ ସର୍ଭିସ୍‌ ଷ୍ଟେସନ୍‌ରେ ଏହି ଦୁଇଟି ସିଏନ୍‌ଜି ଷ୍ଟେସନ୍‌ ଖୋଲାଯାଇଛି। ପ୍ରଥମେ ସତୀଚୌରାସ୍ଥିତ ଷ୍ଟେସନ୍‌କୁ ଉଦ୍‌ଘାଟନ କରିବା ପରେ ଏକ ଅଟୋ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଗେଲ୍‌ ଇଣ୍ଡିଆର ଅଧିକାରୀ ଏବଂ ବିଜେପି କର୍ମକର୍ତ୍ତମାନେ ବିଦ୍ୟାଧରପୁର ପର୍ଯ୍ୟନ୍ତ ଯାଇଥିଲେ। ବିଦ୍ୟାଧରପୁରଠାରେ ସିଏନ୍‌ଜି ଷ୍ଟେସନ୍‌କୁ ଉଦ୍‌ଘାଟନ କରି ଏହାକୁ କେନ୍ଦ୍ର ସରକାରଙ୍କର ରଜ ଉପହାର ବୋଲି ଶ୍ରୀପ୍ରଧାନ କହିିଥିଲେ।

ସଏନ୍‌ଜି ବ୍ୟବହାର ଦ୍ୱାରା ଏଣିକି ଗାଡି ଚାଳକଙ୍କ ଖର୍ଚ୍ଚ କମ୍‌ ହୋଇଯିବ। ଅଟୋ ଏକ ଲିଟର ପିଛା ୩୫ କିଲୋମିଟର ଯାଉଥିଲାବେଳେ ଏବେ ସିଏନ୍‌ଜି ପ୍ରାୟ ୫୫ କି.ମି. ପର୍ଯ୍ୟନ୍ତ ଯାଇପାରିବ। ଫଳରେ ଗୋଟିଏ ଦିନରେ ଅଟୋ ଚାଳକଙ୍କର ଦେଢ ଶହରୁ ଦୁଇ ଶହ ଟଙ୍କା କମ୍‌ ଖର୍ଚ୍ଚ ହେବ। ମାସକୁ ୩ରୁ ସାଢେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଚାଳକମାନେ ଲାଭ ପାଇପାରିବେ ବୋଲି ଗେଲ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଟରରେ ସ୍ୱଚ୍ଛ ଇନ୍ଧନ ଆସିଲେ ପ୍ରଦୂଷଣ କମିବ। ଐତିହାସିକ କଟକ ସହରରେ ଏହା ଆରମ୍ଭ ମାତ୍ର। ଆଜି କଟକ ସିଡିଏ ଓ ବିଦ୍ୟାଧରପୁରରେ ଦୁଇଟି ସିଏନଜି ଷ୍ଟେସନ୍‌ ଖୋଲିଥିବା ବେଳେ ସହରରେ ଖୁବ୍‌ ଶୀଘ୍ର ଆଉ ୩ଟି ନୂଆ ସିଏନଜି ଷ୍ଟେସନ୍‌ ଯୋଡି ହେବ। କଟକ ସହରରେ ବର୍ଷକ ଭିତରେ ୫ ହଜାର ପରିବାର ପାଇଁ ସିଏନ୍‌ଜି ବ୍ୟବସ୍ଥା କରାଯିବ। ସିଏନଜି ବ୍ୟବହାର ଦ୍ୱାରା ମାସକୁ ୭ ହଜାର ଟଙ୍କା ଗୋଟିଏ ପରିବାରର ଲାଭ ହେବ। ବର୍ଷକୁ ୫୦ ହଜାର ଟଙ୍କା ଗୋଟିଏ ପରିବାର ସଞ୍ଚୟ କରି ପାରିବ। ଏଥି ସହିତ ୧୫ ଲକ୍ଷ ଲୋକ ରହୁଥିବା କଟକ ସହରରେ ପାଖାପାଖି ଅଢେଇ ତିନି ଲକ୍ଷ ଘର ରହିଛି। ସିଏମସି ପାଇପ ଜଳ ଯୋଗାଣ ଭଳିି ପାଇପ୍‌ ଯୋଗେ ଘରେ ଘରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏଲପିଜିଠାରୁ ସିଏନଜି ସୁବିଧାଜନକ, ଅଧିକ ଶସ୍ତା ଓ ସୁରକ୍ଷିତ। ଗରିବ, ମଧ୍ୟମ ବର୍ଗ ଓ ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସୁଖ ସ୍ୱଚ୍ଛନ୍ଦ କରିବା ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଇନ୍ଧନ ବ୍ୟବସ୍ଥାକୁ ଲୋକାର୍ପଣ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଭୁବନେଶ୍ୱର ସହରରେ ପାଇପ ଯୋଗେ ଗ୍ୟାସ୍‌ ପ୍ରକଳ୍ପ ଆରମ୍ଭ ହୋଇ ସାରିିଥିବା ବେଳେ କଟକରେ ଏହା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ। କଟକ ଓ ଖୋର୍ଦ୍ଧା ସହିିତ ଓଡ଼ିଶାର ଆଉ ୧୭ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ, ପୁରୀ, ଗଞ୍ଜାମରେ ପାଇପ ଲାଇନ ଯୋଗେ ଗ୍ୟାସ୍‌ ଯୋଗାଇ ଦିଆଯିବ। ଓଡ଼ିଶାର ୮୫ ଭାଗ ଲୋକ ରହୁଥିବା ଅଞ୍ଚଳକୁ ପାଇପ ଲାଇନ ଯୋଗେ ଗ୍ୟାସ ଯୋଗାଇ ଦିଆଯିବ। ଗ୍ୟାସ୍‌ ଆଧାରିତ ଅର୍ଥନୀତିରେ ଓଡ଼ିଶାକୁ ଯୋଡା ଯିବ। ଘରୋଇ ଇନ୍ଧନ, ପରିବହନ ଇନ୍ଧନ, ଶିଳ୍ପ ପାଇଁ ଇନ୍ଧନ ସହଜରେ ଯୋଗାଇ ଦିଆଯିବ। ରାଜ୍ୟର ଶିଳ୍ପାୟନରେ ଓ ଓଡ଼ିଶାର ରୋଜଗାର ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ନିବେଦିତା ପ୍ରଧାନ, ନୟନ କିଶୋର ମହାନ୍ତି, ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବିଶ୍ୱଜିତ ମହାନ୍ତି, ମିହିର ଦାସ, ଗେଲ ଇଣ୍ଡିଆର ପ୍ରକଳ୍ପ ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.